ଓଡ଼ିଶାର ଗଣ ପର୍ବ ରଜ: ମାଟି ଓ ମୌସୁମୀ ମିଳନର ଅପୂର୍ବ ଅବସର

✍🏾ବିଶ୍ବବିଜୟୀ ଦାଶ

ଓଡ଼ିଶା ଏକ ଐତିହ୍ୟ, କଳା, ସଂସ୍କତି ଓ ପରମ୍ପରାର ରାଜ୍ୟ। ଓଡ଼ିଶାରେ ୧୨ ମାସ ୧୩ ପର୍ବ ପାଳିତ ହେଉଥିବା ବେଳେ ରଜ ପର୍ବ ଅନ୍ୟତମ ଗଣ ପର୍ବ ଭାବେ ପାଳିତ ହୋଇଥାଏ। ରଜ ଏକ ଐତିହାସିକ, କୃଷିଭିତ୍ତିକ, ଆଧ୍ୟାତ୍ମିକ ଭରା ପାରମ୍ପରିକ ପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। ଏହା ସହିତ ପହିଲି ରଜର ପୂର୍ବ ଦିନ ହେଉଛି ସଜବାଜ। ଏହିପରି ମୋଟ ଉପରେ ରଜ ପାଞ୍ଚଦିନ ପାଳନ ହୋଇଥାଏ ଓଡ଼ିଶାର ଗାଁ, ସହର ଓ ପୁରପଲ୍ଲୀରେ।

ରଜ ଚାଷର ଆରମ୍ଭକୁ ସୂଚାଇଥାଏ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ।

ମାଟି ଓ ମୌସୁମୀର ମିଳନର ପର୍ବ ରଜ। ପୃଥିବୀର ମାତୃତ୍ଵ କାମନା କରି କରି ସୃଷ୍ଟି ଜୟ ଗୀତଗାନ କରୁଛି କୃଷକ। ଆଦ୍ୟ ଆଷାଢର ପ୍ରଥମ ବାରିପାତରେ ପୃଥିବୀ ଋତୁମତୀ ହୋଇଥିବାରୁ ଖୁସିରେ ଉତ୍ସବ ମୁଖର ହୋଇଉଠୁଛି ସବୁଆଡେ। ଶରୀର ପାଇଁ ବିଶ୍ରାମ ଆଉ ମନ ପାଇଁ ଆନନ୍ଦର ଅବସର ଏହି ରଜ ପର୍ବ। ଦୋଳିରେ ଛୁଟୁଛି- କୁଆଁରୀଙ୍କ ରଜଗୀତର ଲହରା ସ୍ଵର।

ପ୍ରଥମ ବର୍ଷାର ପହିଲି ପସରା ମାଟି ଛୁଇଁଲେ, ଆଦ୍ର ହୋଇ ଉଠେ ପୃଥିବୀ। ଶୀତଳତା ଭରିଯାଏ ସବୁଆଡେ। ଯେମିତିକି ବହୁ ଦିନୁ ପ୍ରତିକ୍ଷୀତ ଏଇ ମାଟି- ମେଘ ସହ ରଚି ବସିଛି ଶୃଙ୍ଗାରର ପର୍ବ। ଆଉ ଏହି ଶୁଭ ଅବସରରେ ମଳିନର ଗୀତ ଗାଉଛନ୍ତି ସମସ୍ତେ। କ୍ଷରଜାଇ ମୌସୁମୀ ଆସିବାରେ ପୃଥିବୀ ତିନ୍ତିଛି ପ୍ରଥମ ବର୍ଷାର ସ୍ପର୍ଶରେ। ଆଦ୍ର ହୋଇଛି ମାଟି। ମାଟିର ଭୁରୁଭୁରୁ ଗନ୍ଧ ମହକେଇ ଦଉଛି – ଗାଁ ଭୁଇଁ। ହଳଦୀ ମୁଖା ନିରିମାଖୀ ଦେହରେ ସରଲା ପଲ୍ଲୀବାଳା ସଜେଇ ହୋଇଛି କୁଙ୍କୁମ ଚନ୍ଦନ। ଋତୁମତୀ ଧରାର ସଂକେତ ବହନ କରି ସେ ଆଜି ସମସ୍ତଙ୍କ ପାଇଁ ମହାନିୟା, ବନ୍ଦନୀୟା ହୋଇଛି। ତେଣେ ଅକ୍ଷୟ ତୃତୀୟାରେ ଧାନ ଅନୁକୂଳ କରି ବସିଥିବା ଚାଷୀ କ୍ଷେତକୁ ଯିବାକୁ ପ୍ରସ୍ତୁତ ହୋଇଥିଲେ ବି ଏଇ ପାଞ୍ଚଦିନ ତା ପାଇଁ ବିଶ୍ରାମର ବେଳ। ଏବେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା। ଫସଲ ଉତ୍ପାଦନ ଭଳି ଗୁରୁତ୍ଵପୂର୍ଣ୍ଣ କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା। ଏ ପର୍ବରେ ପରିବାରର ଲୋକେ କି ଆତ୍ମୀୟସ୍ଵଜନ ଯିଏ ଯେଉଁଠି ଥିଲେ ବି, ଫେରି ଆସିଥାନ୍ତି ଘରକୁ। ବନ୍ଧୁ ବାନ୍ଧବଙ୍କ ଗହଳି ଆଉ ହର୍ଷୋଲ୍ଲାସର ଆସର ଭୁଲାଇ ଦିଏ କର୍ମମୟ ଜୀବନର ଅବସାଦ।ଖରାର ଦର୍ପ କମିଳା ପରେ ମୌସୁମୀର କଅଁଳଛୁଆଁ ଶିହିରିତ କରେ ମତୀକୁ। ବାସୁମତି ବନ୍ଦନାର ଋତୁ ଇଏ। କ୍ଳାନ୍ତ ଧୂସର ଆକାଶରେ ପଇଁତରା ମରୁଛି ବାଦଲ। ଗଛର ସବୁଜିମା ଉପରେ ଆସ୍ତରଣ କମାଇଥିବା ବହଳ ଧୁଳି ଟୋପା ଟୋପା ମେଘରେ ଧୋଇ ହୋଇଯାଉଛି। ପ୍ରକୃତିର ସ୍ଵପ୍ନ ଓ ସୃଜନ ରଚିଛନ୍ତି ମାଳମାଳ କଙ୍କି ଓ ପ୍ରଜାପତି।

ଏହି ପର୍ବ ଆନନ୍ଦ ଓ ଉଲ୍ଲାସର ପର୍ବ।ଆବାଳ ବୃଦ୍ଧବନିତା ସମସ୍ତଙ୍କ ଉଲ୍ଲାସ ଭରିଦିଏ ଏହି ପର୍ବ। ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାରେ ଏହି ପର୍ବର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି। ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି। ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି। ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି। ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ।

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା।ପ୍ରୀତିର ବନ୍ଧନ ହେଉଛି ପାନ। ପ୍ରୀତି, ପ୍ରେମ, ବନ୍ଧୁତାର ଛ’ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି। ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ’ଟି ଆନ୍ତରିକତା ଓ ନିବିଡ଼ତାର କଥା। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା। ବଡ଼ଠାକୁର ଶ୍ରୀ ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି। ପାନ ହେଉଛି ମୁଖବାସ, ପରିତୋଷ। ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ। ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ। ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ। ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର।

ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ। ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ। ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି। ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ। ରଜସ୍ୱଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ। ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ। ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ। ବସୁମାତା ରଜସ୍ୱଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି।

ରଜଗୀତ ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଯାହା ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା।
ରଜ ଗୀତ ହେଲା-
“ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥”
ଆହୁରି ଏମତି ଅନେକ ରଜ ଗୀତ ଅଛି, ଯାହା ଶୁଣିବାକୁ ଖୁବ୍ ମଧୁର ଲାଗେ। ଓଡ଼ିଶାର ଗାଁ, ସହର ଓ ପୁରପଲ୍ଲୀରେ ଏହି ପର୍ବକୁ ସମସ୍ତେ ଆନନ୍ଦ ଓ ହର୍ଷୋଲ୍ଲାସ ରେ ପାଳନ କରିଥାନ୍ତି। ସମସ୍ତ ଜନସାଧାରଣଙ୍କୁ ରଜ ପର୍ବ ର ଶୁଭେଚ୍ଛା ଓ ଅଭିନନ୍ଦନ।

ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା)
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍ ନଂ- ୭୫୨୦୩୫
ଫୋନ: ୬୩୭୦୨୦୮୪୨୮
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.