ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବିଶ୍ୱ ରକ୍ତଦାତା ଦିବସ ଅବସରରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରଠାରେ ଜିଲ୍ଲା ପ୍ରଶାସନ, ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ, ମାରୱାଡି ଯୁବ ମଞ୍ଚ ଓ ମହିଳା ସମ୍ମେଳନ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ମୋଟ ୩୫ଜଣ ରକ୍ତଦାତା ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ। ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସ (ବାପି)ଙ୍କ ଅନୁରୋଧ କ୍ରମେ ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷା ସଂଯୁକ୍ତା ବେହେରା, ପୂର୍ବତନ ସଦର ବିଧାୟକ ଦୁଷ୍ମନ୍ତ ନାଏକ ଓ ଅନାମ ନାଏକ, ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ ଓ ସଚ୍ଚିଦାନନ୍ଦ ମହାକୁଡ଼, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ବିଜୁ ଜନତା ଦଳର ବିଭିନ୍ନ ପଦାଧିକାରୀ ଯଥା ବରିଷ୍ଠ ଉପସଭାପତି ପ୍ରଦୀପ ମୁଣ୍ଡ, ଜିଲ୍ଲା ଅଳ୍ପ ସଂଖ୍ୟକ ସଭାପତି ମହମ୍ମଦ ଅବଦୁଲ, କାଉନସିଲର ପିଙ୍କି ରାଉତ ଓ ରଂଯୁକ୍ତା ପ୍ରଧାନ, ସେନାପତି ନାଏକ, ସୁନୀଲ ଗହୀର, ସୀତାରାମ ନାଏକ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ମା’ ଓ ସାନଭାଇ ଶୈଳେଶ କୁମାର ସେଠ ମଧ୍ୟ ଶିବିରରେ ଯୋଗଦାନ କରିଥିଲେ। ମାରୱାଡି ମହିଳା କମିଟି ତରଫରୁ ଜିଲ୍ଲା ସଂଯୋଜକ ଶ୍ରୀ ଦାସଙ୍କୁ ଏକ ତୁଳସୀ ଗଛ ଉପହାର ପ୍ରଦାନ କରାଯାଇଥିଲା। ସିଡିଏମଓ, ଏଡିଏମଓ ତଥା ରକ୍ତଭଣ୍ଡାରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ମୋ ପରିବାର ତରଫରୁ ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।