ଭାଈକୁ ଭଉଣୀ ଫୋନରେ ପଚାରେ
କେବେ ପହଞ୍ଚିବ ସିଏ
ବଜାରକୁ ଯାଇ ଖୋଜଇ ଭଉଣୀ
ସୁନ୍ଦରିଆ ରାକ୍ଷୀଟିଏ ।
କେମିତିକା ଚିତ୍ର ଅବା ମୂର୍ତ୍ତୀ ଖଞ୍ଜା
ଫିତା କେମିତିଆ ଥିବ
ଭାଇର କଚଟି ଆଖିରେ ନଚାଇ
ସ୍ଥିର କଲା ଯାହା ନେବ।
ଖୋଜିଲା ଓଁ କାର ଚିହ୍ନ ଥିବା ରାକ୍ଷୀ
“ଶାନ୍ତି” ଲେଖା ଥିବ ତଳେ
ବିନ୍ଦୁ ରୂପ ଚତୁର୍ପାର୍ଷ୍ୱେ ଜ୍ୟୋତି ଘେରା
ନାଲି ସୁନେଲି ରଙ୍ଗରେ ।
ଦେଖିଲେ ଲାଗିବ ପ୍ରଭା ମଣ୍ଡଳଟେ
ବିଚ୍ଛୁରିତ ଚକ୍ରାକାରେ
ସତ୍ଵପ୍ରଧାନ ଗୁଣର ରଶ୍ମୀ ରେଖା
ଝରାଏ ଚତୁର୍ଦ୍ଦିଗରେ ।
ଖୋଜୁଥିଲା ଯାହା ମିଳିଗଲା ତାହା
(ପୁଣି ) ଥାଇ ଲକ୍ଷ୍ମୀ ନାରାୟଣ
ସ୍ୱର୍ଣ୍ଣ ସୂତା ଘେରା ନାଲି ନୀଳ ଫିତା
ହାତ ଦିଶିବ ସୁଠାମ ।
ଭାଇହାତ ଦିଶିବ ସୁଠାମ ।
ବରଦାନ ଚିଠା ଉଠାଇ ଦେଖିବ
ଶ୍ରେଷ୍ଠ ଭାଗ୍ୟ ଭରା ବାଣୀ,
ପରମ ପିତାଙ୍କ ଛତ୍ର ଛାୟା ତଳେ
ରହିବ ବିଘ୍ନକୁ ଜିଣି ।
ଲୋଡ଼ିବ ନାହିଁ ସେ ଅର୍ଥ ଉପହାର
ଲୋଡିବ ତା ସତ୍ କର୍ମ
କହିବ ତ୍ୟାଗୀ ଦିଅ ଅବଗୁଣ
ଏହା ତ ଜୀବନ ଧର୍ମ।
ଆସିଛି ପୁନେଇ ଶେଷ ଶ୍ରାବଣରେ
ଆଜି, ଭ୍ରାତା ପାଇଁ ଭଗ୍ନୀ
ଆନ୍ତରିକ ସ୍ନେହ ଶ୍ରଦ୍ଧା ସମର୍ପିବ
(ଯେହ୍ନେ) ଚାନ୍ଦ ଢ଼ାଳଇ ଚାନ୍ଦିନୀ ।
ବସି ଆସନରେ ମୁରୁକି ହସଇ
ଭଗ୍ନୀ ସ୍ନେହ ଅନୁଭବୀ
କଚଟି କହିବ ଦୁନିଆ ଜାଣିବ
ଭଉଣୀଟିଏ ତା ଅଛି ।
ସିନ୍ଦୂର ଚନ୍ଦନ ତିଳକରେ ମଣ୍ଡି
ମସ୍ତକେ ଦୂବ ଚାଉଳ
ପକାଇ ବନ୍ଦାଏ ଦୀପର ଜ୍ୟୋତିରେ
ଅଧରେ ହସ ଜୁଆର।
ବାନ୍ଧିଲିରେ ରାକ୍ଷୀ ହାତରେ ଭାଇର
ରଖି ପରମାତ୍ମା ସାକ୍ଷୀ ,
ରକ୍ଷା କବଚ ତୁ ହେବୁ ମୋ ଭାଇର
ଏ ଦିନ ମହତ ରଖି ।
ସୁନା ଭାଈ ମୋର ସୁନା ତା ସଂସାର।
ସୁଖରେ ନିର୍ବିଘ୍ନେ ରହୁ
ବାନ୍ଧିଲି ରାକ୍ଷୀ ମୁଁ ରକ୍ଷା କର ପ୍ରଭୁ
ସୁଖ ଶାନ୍ତି ସଦା ପାଉ ।