ଭାଇ ଭଉଣୀର ଅତୁଟ ବନ୍ଧନର ମୁକ ସାକ୍ଷୀ ହିଁ ରକ୍ଷା ବନ୍ଧନ

ଦୁଷ୍ମନ୍ତ କୁମାର ପଣ୍ଡା

ସାମାଜିକ ଚଳଣି ମଧ୍ୟରେ ପ୍ରତ୍ୟେକ ସମ୍ପର୍କ ଠାରୁ ଭାଇ ଓ ଭଉଣୀର ସମ୍ପର୍କ ସବୁଠାରୁ ପବିତ୍ର ଓ ଅନନ୍ୟ । ଗୋଟିଏ ପରିବାରର ସନ୍ତାନ ହେଉ କି ଅନ୍ୟ ପରିବାର ମଧ୍ୟରୁ ହୋଇଥାଉ ଯେଉଠି ଭାଇ ଓ ଭଉଣୀର ସମ୍ପର୍କ ଆସି ଯାଇଥାଏ, ସେହି ସମ୍ପର୍କ ରେ ସବୁବେଳେ ଅଜସ୍ର ଅନାବିଳ ସ୍ନେହ, ଶ୍ରଦ୍ଧା ଏବଂ ସର୍ତ୍ତ ହୀନ ଭଲ ପାଇବା ରହିଥାଏ । ଭାଇ ଭଉଣୀର ସମ୍ପର୍କ ନିଷ୍କପଟ, ନିସ୍ଵାର୍ଥପରତା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ସହଯୋଗ ସହିତ ଏକ ଅନୁପମ ଭାବର ବନ୍ଧନ । ଭାଇ ଭଉଣୀର ସମ୍ପର୍କ ସର୍ବଦା ସତେଜ ଓ ଶାଶ୍ଵତ । ଏହି ପବିତ୍ର ସମ୍ପର୍କକୁ ଅଧିକ ଦୃଢିଭୂତ କରିଥାଏ ରକ୍ଷା ବନ୍ଧନ ପର୍ବ । ରକ୍ଷା ସୂତ୍ର ଯିଏ ଯାହାକୁ ବାନ୍ଧି ପାରେ କିନ୍ତୁ ଭାଇ ହାତରେ ରକ୍ଷା ସୂତ୍ର ମାଧ୍ୟମରେ ଭଉଣୀ ଭାଇର ସୁରକ୍ଷା ଓ ମଙ୍ଗଳ ମନାସି ଥାଏ ଏବଂ ଭାଇ ମଧ୍ୟ ପ୍ରତ୍ୟେକ ପରିସ୍ଥିତିରେ ଭଉଣୀର ସୁରକ୍ଷା ଦେବାର ସଂକଳ୍ପ କରିଥାଏ । ରକ୍ଷା ବନ୍ଧନ ସମ୍ପର୍କରେ ଏପରିକି ଭଉଣୀର ସୁରକ୍ଷା ପାଇଁ ରକ୍ଷା ବନ୍ଧନର ମହତ୍ଵ ସମ୍ପର୍କରେ ଅନେକ ପୌରଣିକ ଓ ଐତିହାସିକ ମତ ରହିଛି । ତନ୍ମଧ୍ୟରୁ ଦେବ ଦାନବ ଯୁଦ୍ଧରେ ପରାଜିତ ଇନ୍ଦ୍ରଙ୍କୁ ଦେବ ଗୁରୁ ବୃହସ୍ପତି ଇନ୍ଦ୍ରଙ୍କ ହସ୍ତରେ ରକ୍ଷା ସୂତ୍ର ବାନ୍ଧିବା ପରେ ଦେବରାଜ ହୃତ ସିଂହାସନ ଫେରି ପାଇବା ଘଟଣା ପୁରାଣରେ ବର୍ଣ୍ଣିତ । ଭାଇ ଭଉଣୀର ସ୍ନେହ ଶ୍ରଦ୍ଧା ଓ ଦାୟିତ୍ବ ବୋଧ ରକ୍ଷା ବନ୍ଧନର ମହତ୍ଵକୁ ଅଧିକ ପରିବ୍ୟାପ୍ତ କରିଥାଏ । ବଳି ରାଜାଙ୍କୁ ବିପଦ ନ ଆସୁ ବୋଲି ଭକ୍ତ ବତ୍ସଳ ଭଗବାନ ରାଜା ବଳୀଙ୍କ ରାଜ ପ୍ରସାଦରେ ରହିବାକୁ ଲାଗିଲେ । ମାଁ ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳି ର ପ୍ରାସାଦକୁ ଆସି ବଳି ରାଜାଙ୍କୁ ଏହି ପୂର୍ଣ୍ଣିମା ଦିନ ହିଁ ରକ୍ଷା ସୂତ୍ର ବାନ୍ଧିଥିବା ବେଳେ ଭଉଣୀର କଥାକୁ ଟାଳି ନ ପରି ବଳି ରାଜା ଭଗବାନଙ୍କୁ ବୈକୁଣ୍ଠ ଫେରି ଯିବାକୁ ଅନୁରୋଧ କରିଥିବା ପୁରାଣରୁ ଜଣାପଡେ । ଏହି ଦିନ ବଲଭଦ୍ରଙ୍କ ଜନ୍ମ ତିଥି ଅନୁସାରେ ଭଉଣୀ ଶୁଭଦ୍ରା ବଡ ଭାଇ ବଲଭଦ୍ରଙ୍କ ହସ୍ତରେ ରାକ୍ଷୀ ବାନ୍ଧିଥିବାର ବର୍ଣ୍ଣିତ ରହିଛି । ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବଗିଚାରେ ବୁଲୁଥିବା ବେଳେ କଣ୍ଟା ଫୋଡି ଯାଇ ରକ୍ତାକ୍ତ ହେବା ପରେ ଦୌପଦୀ ରୂପରେ ଜଗଦମ୍ବା କ୍ରୀଷ୍ଣା ନିଜ ପଣତ କାନିରୁ କପଡ଼ା ଚିରି କୃଷ୍ଣଙ୍କୁ ବାନ୍ଧି ଥିଲେ । ଆଉ ଏକ ଉପାଖ୍ୟାନ ଅନୁସାରେ ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ରାଜ ସଭାରେ ଶିଶୁପାଳ ବଧ ବେଳେ ସୁଦର୍ଶନଙ୍କ କ୍ରୋଧିତ ଘୂର୍ଣ୍ଣନରେ ଆଘାତ ପ୍ରାପ୍ତ କୃଷ୍ଣଙ୍କ ଆଙ୍ଗୁଠିରେ ଦୌପଦୀ ପଣତ କାନି ରୁ କପଡ଼ା ଚିରି କୃଷ୍ଣଙ୍କୁ ବାନ୍ଧି ଥିଲେ ଏହି ପୂର୍ଣ୍ଣିମା ଦିନ । କାଳ କ୍ରମେ ଭାଇର କର୍ତ୍ତବ୍ୟ ପାଳନ କରିବାକୁ ଯାଇ କୋଟି ବସ୍ତ୍ର ଦେଇ ଭଉଣୀ ଦୌପଦୀ କ୍ରୀଷ୍ଣାଙ୍କ ସମ୍ମାନ ରକ୍ଷା କରିଥିଲେ । ସେହିପରି ଇତିହାସ ପୃଷ୍ଠାକୁ ଦେଖିଲେ ପରାକ୍ରମୀ ରାଜା ପୁରୁଙ୍କ ଠାରୁ ବିଶ୍ବ ବିଜୟୀ ଆଲେକଜାଣ୍ଡାର ପରାସ୍ତ ହେବା ପରେ ଆଲେକଜାଣ୍ଡାରଙ୍କ ପତ୍ନୀ ରୁକସାନା ରାଜା ପୁରୁଙ୍କ ପାଖକୁ ରାକ୍ଷୀ ପଠାଇ ଥିଲେ ଓ ରାଜା ପୁରୁ ରୁକସାନାଙ୍କୁ ଭଉଣୀ କରି ନେଲେ । ଚିତୋରର ରାଣୀ କର୍ଣ୍ଣାବତୀ ସ୍ଵାମୀଙ୍କୁ ହରାଇବା ପରେ ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରିବା କଷ୍ଟକର ଜାଣିବା ପରେ ମୋଗଲ ସମ୍ରାଟ ହୁମାୟୁନଙ୍କୁ ରାକ୍ଷୀ ପଠାଇ ଥିଲେ । ହୁମାୟୁନ ମଧ୍ୟ ଏହି ରାକ୍ଷୀରେ ଭଉଣୀର ଅମାପ ସ୍ନେହ ଶ୍ରଦ୍ଧା ଅନୁଭବ କରି ଚିତୋରର ସୁରକ୍ଷା ଦାୟିତ୍ବ ନିଜ ହାତକୁ ନେଇଥିଲେ । ଏଭଳି ଅନେକ ପୌରଣିକ ଓ ଐତିହାସିକ ସାଂସ୍କୃତିକ ଦୃଷ୍ଟିକୋଣରୁ ରାକ୍ଷୀର ଗୁରୁତ୍ବ ସର୍ବଦା ଅଧିକ ରହିଛି । ଭାଇ ଓ ଭଉଣୀର ଅନାବିଳ ସ୍ନେହ ର ନିଦର୍ଶନ ସ୍ବରୂପ ଏହି ରାକ୍ଷୀ ପର୍ବ ସମାଜରେ ଭାଇ ଚାରାର ବାର୍ତ୍ତା ପ୍ରଚାର କରିବାରେ ସହାୟକ ହୋଇ ପାରିଛି ।

ଜୁନାଗଡ, କଳାହାଣ୍ଡି, ୭୬୬୦୧୪

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.