୨.୪୦ ଏକର ଜାଗାରେ ଦ୍ବିତଳ ଅତ୍ୟାଧୁନିକ ଶ୍ରେଣୀ ଗୃହ ସାଙ୍ଗକୁ ନିର୍ମିତ ହେବ ଅଡିଟୋରିୟମ ହଲ
ଖର୍ଚ୍ଚ ହେବ ୨ କୋଟି ୭୩ ଲକ୍ଷ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ନିକଟସ୍ଥ ହାଇସ୍କୁଲ ପାଖରେ ରହିଛି ନର୍ଲା ଡିଗ୍ରୀ କଲେଜ । ସ୍ଥାନ ଓ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଚପଟଖଣ୍ଡା ଅଞ୍ଚଳକୁ ଚାଲିଯିବ ନର୍ଲା ଡିଗ୍ରୀ କଲେଜ । କଥାଟା ଅଡୁଆ ଆଡୁଆ ଲାଗୁଥିଲେ ମଧ୍ୟ ଶତ ପ୍ରଶିତ ସତ । ନର୍ଲା ଡିଗ୍ରୀ କଲେଜକୁ ୫-ଟିରେ ସାମିଲ କରିଛନ୍ତି ସରକାର । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚିଠି ଆସିଯାଇଛି । ଟଙ୍କା ମଞ୍ଜୁର ହୋଇଛି ଡିଗ୍ରୀ କଲେଜର ନୂତନ ଭବନ ନିର୍ମାଣ ପାଇଁ । ଗତ ମାସରେ ଉପଜିଲ୍ଲାପାଳ, ନର୍ଲା ତହସିଲଦାର, ଆରଆଇ, ନର୍ଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାଏକ, ଅଧ୍ୟାପକ ସୁଶାନ୍ତ ସାହୁ ପ୍ରମୁଖ ଚପଟଖଣ୍ଡା ଅଞ୍ଚଳକୁ ଯାଇ ୨ ଏକର ୪୦ ଡିସିମିଲ ଜାଗା ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ପତ୍ର ସଂଖ୍ୟା- ୨୦୨୩୭/୧୧/୫/୨୦୨୩ ରେ ୨ କୋଟି, ୪୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ପତ୍ର ସଂଖ୍ୟା- ୯୨୫୧/ ୧୮/୫/୨୦୨୩ ରେ ୨୫ ଲକ୍ଷ ଟଙ୍କା ୫ ଟି ସଚୀବ ପ୍ରଦାନ କରିଥିବା ଜଣାପଡିଛି । ଏଭଳି ମୋଟ ୨ କୋଟି ୭୩ ଲକ୍ଷ ଟଙ୍କା ନର୍ଲା ୫ଟି ଡିଗ୍ରୀ କଲେଜ ପାଇଁ ମଞ୍ଜୁର ହୋଇଥିବା ବେଳେ ଏଥିପାଇଁ ଟେଣ୍ଡର ପ୍ରକ୍ରୀୟା ସରିଯାଇଥିବା ମଧ୍ୟ ନର୍ଲା ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ସୂଚନା ଦେଇଛନ୍ତି । ନର୍ଲା ଡିଗ୍ରୀ କଲେଜର ଏବେ କଳେବର ବଦଳିଯିବ । ୫ଟି ରେ ଏହି ଡିଗ୍ରୀ କଲେଜକୁ ସାମିଲ କରାଯାଇଥିବାରୁ ଅତ୍ୟାଧୁନିକ ଶ୍ରେଣୀ ଗୃହ ସାଙ୍ଗକୁ ଉନ୍ନତ ମାନର କମ୍ପ୍ୟୁଟର କକ୍ଷ, ଅଡିଟୋରିୟମ ହଲ ନିର୍ମିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ନର୍ଲା ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଏବଂ କନିଷ୍ଠ ଯନ୍ତ୍ରୀ ସଂଯୁକ୍ତା ପାଣି ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ କଲେଜର ସମ୍ମେଳନ କକ୍ଷରେ ନର୍ଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ସଭାପତିତ୍ୱରେ ଏକ ମିଟିଂ କରି ଛାତ୍ରଛାତ୍ରୀ ଓ ଷ୍ଟାଫ ମାନଙ୍କୁ ସମସ୍ତ ବିଷୟ ଅବଗତ କରିବା ସହ ସଚେତନ କରିଥିଲେ । ତହସିଲ ଅଫିସ ସମ୍ମୁଖସ୍ଥ ପାଣିଟାଙ୍କି ନିକଟରେ ରହିଥିବା ସରକାରୀ ଜମିରେ ନୂତନ ଡିଗ୍ରୀ କଲେଜ ନିର୍ମାଣ ପାଇଁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଗ୍ରାମସଭା ଜରିଆରେ ରେଜୁଲେସନ ମଧ୍ୟ କରାଯାଇଥିଲା। ହେଲେ ଏହା ଜଙ୍ଗଲ ଜମି କିସମ ହୋଇଥିବାରୁ ଡିଏଫଓ ଅନୁମତି ପାଇଁ ମନା କରିଥିଲେ ।
କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପାଖରେ ୧୯୯୧ ମସିହାରୁ ଦୀର୍ଘ ୩୨ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଚାଲଆସୁଛିି ଯୁକ୍ତଦୁଇ କଳା କଲେଜ ଓ ଡିଗ୍ରୀ ମହାବିଦ୍ୟାଳୟ । ଅବଶ୍ୟ ବର୍ତ୍ତମାନ ନର୍ଲା ଡିଗ୍ରୀ କଲେଜ ଭବାନୀପାଟଣା-ଭୁବନେଶ୍ୱର ମୁଖ୍ୟ ରାଜ୍ୟ ରାଜପଥର ଅତି ନିକଟରେ ମାତ୍ର ୪୦୦ ମିଟର ଦୁରରେ ରହିଥିବାରୁ ବସ ଯୋଗେ ଦୂର ଦୂରାନ୍ତରୁ ପାଠପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ବହୁତ ସୁବିଧା ହେଉଛି । ଚପଟଖଣ୍ଡା ନର୍ଲାରୁ ୫ କି.ମି ଦୁର ହେବ । ଅଳ୍ପଟିକେ ପାହାଡିଆ ଓ ଜଙ୍ଗଲିଆ ରାସ୍ତା ହୋଇଥିବାରୁ ଗମନା ଗମନରେ ଛାତ୍ରଛାତ୍ରୀଙ୍କୁ ଅସୁବିଧା ହୋଇପାରେ ବୋଲି ଅଭିଭାବକମାନେ କହୁଥିବା ଶୁଣିବାକୁ ମିଳୁଛି । ଜୁନିୟର କଲେଜ ଆରମ୍ଭର ମାତ୍ର କେଇ ବର୍ଷ ମଧ୍ୟରେ ନର୍ଲାରେ ଆରମ୍ଭ ହୋଇଥିଲା ଡିଗ୍ରୀ କଲେଜ । ଏହାର ପ୍ରତିଷ୍ଠାତା ଚେୟାରମେନ ରହିଥିଲେ ନର୍ଲାର ବରିଷ୍ଠ ରାଜନେତା ତଥା ବିଶିଷ୍ଟ ଚାଷୀ ଅଶୋକ ଚାନ୍ଦ ଓ ତତ୍କାଳୀନ ବିଧାୟକ ବଳଭଦ୍ର ମାଝୀ ଏହାର ପରିଚାଳନା କମିଟିର ସଭାପତି ରହିଥିଲେ । ଆରମ୍ଭ ସମୟରେ ଏହା ଯୁକ୍ତଦୁଇ କଲେଜ ସହ ମିଶିକି ଚାଲୁଥିଲା । କିଛି ବର୍ଷ ପରେ ଏହା ବିଭାଜିତ ହୋଇ ଯୁକ୍ତଦୁଇ କଲେଜ ପାଶ୍ୱର୍ସ୍ଥ ଜାଗାରେ ଛପର ଘର ତିଆରି କରି ଚାଲିଲା ଡିଗ୍ରୀ କଲେଜ । ସେତେବେଳେ ନର୍ଲା ଅଞ୍ଚଳରେ ଡିଗ୍ରୀ କଲେଜ ନଥିଲା । ସ୍ନାତକ ପାଠ ପଢିବା ପାଇଁ ଭବାନୀପାଟଣା ଯିବାକୁ ପଡୁଥିଲା ଛାତ୍ରଛାତ୍ରୀମାନଙ୍କୁ । ନର୍ଲାରେ ସ୍ନାତକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କିଛି ବୁଦ୍ଧିଜୀବୀ ଉପକ୍ରମ କରିଥିଲେ ନର୍ଲାରେ ଡିଗ୍ରୀ କଲେଜ ପାଇଁ । ଦୀର୍ଘ ୩୨ ବର୍ଷରୁ ଆରମ୍ଭ ହୋଇଥିବା ଡିଗ୍ରୀ କଲେଜ ଆରମ୍ଭରେ ଅନେକ ସମସ୍ୟା ଦେଇ ଗତିକଲା । ଅନେକ ଝଡଝଞ୍ଜା ଦେଇ ଚାଲିଲା ନର୍ଲା ଡିଗ୍ରୀ କଲେଜ । ଚାଳ ଛପର ଘରେ ଆରମ୍ଭ ହୋଇଥିଲା ଡିଗ୍ରି କଲେଜ । ସେତେବେଳେ ମାତ୍ର ୮ ଜଣ ଷ୍ଟାଫ ଥିଲେ । ସେତେବେଳେ ନିୟମିତ ଭାବରେ ଷ୍ଟାଫ ମାନଙ୍କୁ ଦରମା ମଧ୍ୟ ଦେଇପାରୁ ନଥିଲା ପରିଚାଳନା କମିଟି । ଧିରେ ଧିରେ ପରିସ୍ଥିତିରେ ସୁଧାର ଆସିଲା । ଛାତ୍ରଛାତ୍ରୀ ସଂଖ୍ୟା ମଧ୍ୟ ବଢିଲେ । ଅଧିକା ସିଟ ପାଇଁ ମ୍ୟାନେଜମେଣ୍ଟ ଅନୁମତି ପାଇଲା । ପିଲା ସଂଖ୍ୟା ବଢିବାରୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଓ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଛାତ ଯୁକ୍ତ ଶ୍ରେଣୀଗୃହ ଓ ଅଫିସ କୋଠରୀ ନିର୍ମିତ ହେଲା । ହେଲେ ମିଟିଂ ହଲ କିମ୍ବା ଷ୍ଟାଫ ରୁମ ପାଇଁ ଆଉ ଜାଗା ନାହିଁ । ମାତ୍ର ୩୫ ଡିସିମିଲ ଜାଗାରେ ଚାଲିଛି ନର୍ଲା ଡିଗ୍ରୀ କଲେଜ । ଏବେ ଷ୍ଟାଫ ସଂଖ୍ୟା ଆସି ୨୨ରେ ପହଂଚିଛି । ନର୍ଲା ଡିଗ୍ରୀ କଲେଜକୁ ୫-ଟିରେ ସାମିଲ କରିଥିବାରୁ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚୀବଙ୍କୁ ଧନ୍ୟବାଦ ଦେଇଛନ୍ତି । ଏକ ଉନ୍ନତ ମାନର ଅତ୍ୟାଧୁନିକ ସୁବିଧା ରହୀଥିବା ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ସେମାନଙ୍କ ମନରେ ଅନେକ ଉତ୍କଣ୍ଠା ରହିଥିବା ଦେଖିବାକୁ ମିଳୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଆଶୀର୍ବାଦ ଯୋଗୁଁ ଏବେ ବିକାଶ ପଥରେ ନର୍ଲା ବୋଲି ଆଲୋଚନା ହେଉଛି।