ଖରା : ଚାରିଟି ଲଘୁକଥା

🖋ମୃଣାଳ

ଏକ

Omkar Vasthu
Omkar Vasthu

ପିଇବାକୁ ପାଣି ମିଳୁନି ।

Pearl dental clinic
Near Ashish Medical Store, Bhawanipatna

– ହାଃ, ହାଃ । ଭଲ ହେଲା । ଆମେ ସମସ୍ତେ କେବଳ ବିଅର୍ ପିଇବା ।

Udyog Nursery
Udyogi Nursery

ନଈ ଶୁଖିଯାଉଛି ।

– ହାଃ, ହାଃ । ଭଲ ହେଲା । ଆମେ ଶୁଖିଲା ନଈପଠାରେ ଆପାର୍ଟମେଣ୍ଟ ତିଆରି କରିଦେବା । ନାଁ ଦେବା ଡେଡ୍ ରିଭର୍ ଭ୍ୟୁ ।

ଜଙ୍ଗଲ ଆଉ ରହିବନି ।

– ହାଃ, ହାଃ । ଭଲ ହେଲା । ସେ ଜାଗାରେ ଆମେ ଫାର୍ମ୍ ହାଉସ୍ କରି ରେଭ୍ ପାର୍ଟି କରିବା । ସିକଷ୍ଟିଜ୍’ର ଗୀତ ଗାଇବା : ଚାହେ କୋଇ ମୁଝେ ଜଙ୍ଗଲି କହେ । ସମାଜକୁ ଜଙ୍ଗଲ କରିଦେବା ।

ଦୁଇ

ଭରତପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଖ ବରଗଛ ମୂଳରେ ଛାଇ ଜାଗା ଟିକେ ଦେଖି ଶୋଇପଡ଼ିଲା ରାନୀ ।

ଆଜିକାଲି ଗଛ କଟିଗଲାଣି, ତେଣୁ ଛାଇ ଜାଗା ମିଳିବା କଷ୍ଟ । ଆଉ ରାନୀ ତ କାହା ଘର ଭିତରେ ଯାଇ ଶୋଇପାରିବନି, କାରଣ ନାଁଟା ସିନା ତାର ରାନୀ, ହେଲେ ସେ ହେଲା କୁକୁର । ଭରତପୁର ଅଞ୍ଚଳର ସବୁଠୁଁ ସୁନ୍ଦରୀ ଆଉ ସେକ୍ସି କୁତି ହେଲା ରାନୀ । କିନ୍ତୁ ଭରତପୁରର ଲୋକ ବିଦେଶୀ କୁତିକୁ ସିନା ଘରେ ରଖିବେ, ଦେଶୀ କୁତି- ସେ ଯେତେ ସୁନ୍ଦରୀ ହୋଇଥାଉ ନା କାହିଁକି, ଘରେ ପୁରାନ୍ତି ନାହିଁ ।

ତ ଏକ୍ଷଣେ ସେଇ ଗଛ ଛାଇରେ ଶୋଇଥିଲା ବାଘା । ସେ ହେଲା ଏ ଅଞ୍ଚଳର ସବୁଠୁଁ ବଳବାନ୍ ଦେଶୀ କୁକୁର । ବେଶୀ ରାତିରେ ସାଇକଲ୍ କି ମଟରସାଇକଲରେ ଯାଉଥିବା ଲୋକଙ୍କୁ ଗୋଡ଼େଇବା ତା’ର ଏକ ଅଭ୍ୟାସ । ଆଉ ତା’ ଫଳରେ କେତେ ଯେ ଲୋକ ପଡ଼ିଯାଇ କିମ୍ବା ଚଳନ୍ତା ଗାଡ଼ିରୁ ଡେଇଁପଡ଼ି ଖଣ୍ଡିଆ ଖାବରା ହୋଇଛନ୍ତି, ସେ ହିସାବ କେବଳ ଭରତପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କମ୍ପାଉଣ୍ଡର୍ ରଣା ବାବୁଙ୍କୁ ଜଣା ।

ତାକୁ ରାନୀ କହିଲା, ଭାଉ… ସିଆଡେ ଯାଇ ଶୋ ବେ । ଏଠି ଲେଡିଜ୍ ଶୋଇବେ । ତୁ ମର୍ଦ୍ଦଟା ଏଠି କଣ ଫାଁ’ଗାଳି ଶୋଇଛୁ! ଲାଜ ଲାଗୁନି?

ବାଘା କହିଲା, ଦେଖ୍ ରାନୀ । ଖରାରେ ମୁଣ୍ଡ ଭାଁ ଭାଁ ହେଉଛି । ଛାଇ ଜାଗା କହିଲେ ଏଇ ଏତିକି । ଏଇଠି ଆମକୁ ଆଡଜଷ୍ଟ୍ ହୋଇ ରହିବାକୁ ପଡ଼ିବ । ମଣିଷ ଭଳିଆ ଆଉ ରାଉରାଉ, ତୋର-ମୋର ହ’ନା । ଆ, ମୋ ପାଖରେ ଚୁପ୍ କରି ଶୋଇପଡ଼ ।

ହେଇ ଦେଖନ୍ତୁ, ରାନୀ ଆଉ ବାଘା କେମିତି ଆନନ୍ଦରେ ଶୋଇଛନ୍ତି ।

ତିନି

ଏବର୍ଷ ଖରାଦିନେ ନଈ ପୋଖରୀ ସବୁ ଶୁଖିଗଲା । ପାଣି ଟୋପାଏ ପାଇଁ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶିଆସିଥିଲା କୁଟ୍ରା ଛୁଆଟି ।

ସେଇ ସମୟରେ ଗାଁବାଲାଏ ପାଣି ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରି ଯଜ୍ଞ କରୁଥିଲେ । କୁଟ୍ରାକୁ ଦେଖି ଅନେକେ ଯଜ୍ଞସ୍ଥଳରୁ ଉଠିଆସି ତାକୁ ଧରିବାକୁ ଗୋଡ଼ାଇଲେ । ତୃଷାର୍ତ୍ତ କୁଟ୍ରା ଛୁଆଟି ଜୀବନ ବିକଳରେ ଧାଇଁଲା । ତେବେ ଯେତେ ହେଲେ ବି ସେ ଶିଶୁ । କେତେ ଧାଇଁଥାନ୍ତା! ଧରାପଡ଼ିଗଲା । ଯଜ୍ଞ କରୁଥିବା ଲୋକେ ତାକୁ ତୁରନ୍ତ ଠେଙ୍ଗାରେ ପିଟିପିଟି ମାରି ପକେଇଲେ । କେତେକେ କୁହାକୁହି ହେଲେ, ଯଜ୍ଞର କି ମହିମା ଦେଖିଲ, ପାଣି ସିନା ବର୍ଷିଲାନି, କୁଟ୍ରା ମାଉଁସର ଯୋଗାଡ଼ ତ ହୋଇଗଲା । ପାଣି ଆସୁ କି ନଆସୁ ମାଉଁସ ତ ଭଗବାନ ପଠେଇ ଦେଲେ ।

ଚାରି

ଭରତପୁର ଗାଁର ପବନା ଗାଁରେ ହିଁ ଥିଲା । ଗାଁରେ ଆଜିକାଲି କାମଦାମ ବିଶେଷ କିଛି ନାହିଁ । କେତେ ଆଉ ତାସପଶା ଖେଳି ଆଉ ମିନି ସହିତ ଗପି ସମୟ କଟେଇବ! ମିନି ହେଲା ପବନାର ଗାର୍ଲଫ୍ରେଣ୍ଡ୍ । ଘରେ ବି ଭାରି ବିରକ୍ତ ହେଲେ ।

ଯବାନ୍ ଟୋକା ଘରେ ନିକମା ହୋଇ ବସିରହିଲେ ସମସ୍ତେ ଗରଗର ହେବେ । ହେଲେ ଗାଁରେ କାମ କହିଲେ କ୍ଷେତଖମାରରେ କାମ ନହେଲେ ଛୋଟମୋଟ ବେପାର । ଏଥିରେ ପରିଶ୍ରମ ବହୁତ । ଖରାତରାରେ ଝାଳ ବୁହାଇବାକୁ ପଡ଼ିବ । ଏସବୁ କରିବାକୁ ପବନାକୁ ଜମା ଇଚ୍ଛା ହୁଏନି । ତେଣୁ ସେ ତାର ଘାଲେଇକି ରହିଥିଲା ।

ହେଲେ ଯେଉଁଦିନ ମିନି କହିଦେଲା- କାମଦାମ କିଛି କରୁନ! ଆମେ ବାହା ହେବା କେମିତି? ସେଇଦିନ ତା’ର ଜିଦ୍ ଆସିଗଲା- ନାଃ! କିଛି କରିବାକୁ ପଡ଼ିବ । ପବନା ସହରକୁ ଆସିଲା । ଯୋଗ ଦେଖ, ଏଠି ଦିନ କେଇଟା ଭିତରେ ତାକୁ ଚାକିରି ମିଳିଗଲା ।

ପ୍ରେମିକା ମିନିକୁ ପବନା ମୋବାଇଲରେ କହିଲା- ବୁଝିଲୁ, ବଢ଼ିଆ ଚାକିରି ମିଳିଛି ମୋତେ । ଏ ଖରାରେ ଥଣ୍ଡା ଘରେ ଚେୟାର୍ ଉପରେ ବସୁଛି ।

ପବନା ଏଟିଏମ୍ କାଉଣ୍ଟରରେ ଗାର୍ଡ୍ ହୋଇଛି ।

ସଂଚାର ମାର୍ଗ, ଢେଙ୍କାନାଳ

ଏଠି କ୍ଲିକ୍ କରି ଓଡ଼ିଆ ବାର୍ତ୍ତାର ସାହିତ୍ୟ ଗ୍ରୁପ ଜଏନ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.