ଜିଭକୁ ନିୟନ୍ତ୍ରଣରେ ରଖ: ଉଦୟନିଧି ଷ୍ଟାଲିନଙ୍କୁ ନିର୍ମଳାଙ୍କ ଜବାବ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ଶୁକ୍ରବାର ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ବାପାଙ୍କ ଟଙ୍କା’ ମନ୍ତବ୍ୟକୁ ନେଇ ଜୋର ଦାର ବର୍ଷିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଉଦୟନିଧିଙ୍କୁ ଜବାବ ଦେବାକୁ ଯାଇ ତାଙ୍କୁ ନିଜ ଶବ୍ଦର ଚୟନ କଲାବେଳେ ସାବଧାନତାର ସହ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଉଦୟନିଧି ଚଳିତମାସ ପ୍ରାରମ୍ଭରେ କେନ୍ଦ୍ର ପକ୍ଷରୁ ତାମିଲନାଡୁକୁ ଅର୍ଥରାଶି ଦିଆ ନ ଯିବା ଉପରେ ମନ୍ତବ୍ୟ ଦେଇ କହିଥିଲେ, ‘ଆମେ କାହା ବାପାଙ୍କ ପଇସା ମାଗୁନାହୁଁ । ଆମେ କେବଳ ତାମିଲନାଡୁ ଲୋକଙ୍କ ଦ୍ୱାରା ଦିଆ ଯାଇଥିବା ଅର୍ଥର ଭାଗ ମାଗୁଛୁ’ । ଉଦୟନିଧିଙ୍କ ଏହି ମନ୍ତବ୍ୟର ଜବାବ ଦେବାକୁ ଯାଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘ଯଦି ଆମେ ଜଣେ ମନ୍ତ୍ରୀ ତେବେ ଆମକୁ ଦାୟିତ୍ୱବୋଧର ସହ କହିବା ଦରକାର । ସେ ବାପାଙ୍କ ଟଙ୍କା କଥା କହୁଛନ୍ତି । ସେ କ’ଣ ନିଜ ବାପାଙ୍କ ସଂପତ୍ତିର ବ୍ୟବହାର କରି କ୍ଷମତାର ଆନନ୍ଦ ଉପଭୋଗ କରୁଛନ୍ତି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନିର୍ମଳା । ତାଙ୍କୁ ଜନତା ବାଛିଛନ୍ତି । ଏଥିପାଇଁ ଆମେ କ’ଣ ତାଙ୍କୁ ସମ୍ମାନ ଦେଇ ପାରିବା ନାହିଁ ? ରାଜନୀତିରେ ବାପା-ମାଙ୍କୁ ଟାଣିବା ଠିକ ନୁହେଁ ବୋଲି କହିଛନ୍ତି ନିର୍ମଳା । ସେ ଆହୁରି କହିଛନ୍ତି, ଜଣେ ରାଜନେତା ଭାବେ ଉଦୟନିଧି ଆଗକୁ ବଢିବାକୁ ଯଦି ଚାହୁଁଛନ୍ତି ତେବେ ନିଜ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେ ଏପରି ଭାଷା କହିବା ଦରକାର ଯାହା ତାଙ୍କ ପଦର ଗରିମା ଅନୁରୂପ ହୋଇଥିବ । ନିର୍ମଳା କହିଛନ୍ତି, ବର୍ଷା ପ୍ରକୋପ ଯୋଗୁ ରାଜ୍ୟକୁ ୫୦୦ କୋଟି ଟଙ୍କା ପୂର୍ବରୁ ପ୍ରଦାନ କରିଥିଲା । ହେଲେ ମୁଁ ଏହା କହୁନାହିଁ ଯେ ଏହା ମୋ ବାପାଙ୍କ ପଇସା ବା ତାଙ୍କ ବାପାଙ୍କ ପଇସା ବୋଲି । ଅନ୍ୟପକ୍ଷେ ତାମିଲନାଡୁ ଅର୍ଥମନ୍ତ୍ରୀ ଥମଙ୍ଗ ଥେନାରାସୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଅନୁରୋଧ ପରେ ବି ନିର୍ମଳା ସୀତାରମଣ ଅର୍ଥ ପ୍ରଦାନ କରିବାକୁ ମନା କରି ରାଜ୍ୟବାସୀଙ୍କୁ ଅପମାନିତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.