ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ହାସଲ ଲକ୍ଷ୍ୟରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ରବିବାର ଏକ ସାଂଗଠନିକ ବୈଠକ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲା, ରାଜ୍ୟ, ପୌରପାଳିକା ଓ ବ୍ଲକ ସଂଗଠନରେ ନୂତନ ଦାୟିତ୍ୱ ପାଇଥିବା କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜେଡି ଟାଉନ ସଭାପତି ମନୋଜ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ସଦର ନିର୍ବାଚନମଣ୍ଡଳୀ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ସଂଗ୍ରାମ ମଲ୍ଲିକ, ଜିଲ୍ଲା ସମ୍ପାଦକ କୈଳାଶ ଚନ୍ଦ୍ର ସେଠୀ ଓ ବିଶ୍ୱଜିତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ଅବଦୋଷ ସମତ୍ ଖାନ, ରାଜ୍ୟ ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଆୟୁବ, ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ମୀନା ମହାନ୍ତି, ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ଭରତ ଭୂଷଣ ଦାସ, ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସୋନାଲି ବିଶ୍ୱାଳ, ମହିଳା ଟାଉନ ସଭାନେତ୍ରୀ ମୀତା ପଟ୍ଟନାୟକ, ମହିଳା ସଦର ବ୍ଲକ ସଭାନେତ୍ରୀ ପିୟାଲି ପ୍ରଧାନ ଓ ସଦର ବ୍ଲକ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଜେନା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ବକ୍ତାମାନେ ଆଗାମୀ ପୌରପାଳିକା ଓ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନଙ୍କୁ ନିର୍ବାଚନୀ ରଣନୀତି ସମ୍ପର୍କରେ ମାର୍ଗଦର୍ଶନ ଦେବା ସହ ବିଜେପି ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସମାଲୋଚନା କରିଥିଲେ। ଏଥିସହ ନବୀନ ପଟ୍ଟନାୟକଙ୍କ ପୂର୍ବ ଶାସନର ସୁଶାସନ ସମ୍ପର୍କରେ ଆଲୋଚନା କରି ୨୦୨୯ରେ ପୁଣିଥରେ ନବୀନ ଶାସନ ଫେରାଇ ଆଣିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ବୈଠକରେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଓ ପୌର ୱାର୍ଡରୁ ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ୱାର୍ଡ କାଉନସିଲର, ପୂର୍ବତନ କାଉନସିଲର, ପଞ୍ଚାୟତ ସଭାପତି, ନିର୍ବାଚନୀ ପ୍ରାର୍ଥୀ ଓ ବରିଷ୍ଠ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଟାଉନ ଉପସଭାପତି ସଞ୍ଜୟ ବେହେରା ଓ ସେକ ଅନସର ଅଲ୍ଲୀ, ଟାଉନ ସାଧାରଣ ସମ୍ପାଦକ ସୁବୋଧ ମହାନ୍ତି, ଟାଉନ ସମ୍ପାଦକ କାର୍ତ୍ତିକ ସାହୁ, ଯୁବ ନେତା ଉମାଶଙ୍କର ତିଆଡ଼ି ଓ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଜେଡି ସଦର ବ୍ଲକ ସଭାପତି ବସନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।





