ଆଜିଠୁ ଆରମ୍ଭ ହେଲା ସର୍ଗିଗୁଡା ଡିଗିରାପଡାର ୧୬ ପ୍ରହର ନାମଯଜ୍ଞ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ଡିଗିରାପଡାରେ ଆଜି ଗୁରୁବାର ୨୧ରୁ ଆରମ୍ଭ ହୋଇଛି ୧୬ ପ୍ରହର ନାମଯଜ୍ଞ । ଚଳିତ ବର୍ଷ ତୃତୀୟ ବର୍ଷ ଭାବରେ ଡିଗିରାପଡାରେ ଅନୁଷ୍ଠିତ ହୋଇଛି ୧୬ ପ୍ରହର ନାମଯଜ୍ଞ । ଏହାକୁ ନେଇ ପଡାବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି । ୧୬ ପ୍ରହର ନାମଯଜ୍ଞ ପାଇଁ ଡିଗିରାପଡ଼ାର ଆବାଳ ବୃଦ୍ଧ ବନିତା, ଯୁବ ଗୋଷ୍ଠୀ ସମସ୍ତେ ଲାଗି ପଡିଛନ୍ତି। ଅସ୍ଥାୟୀ ମଣ୍ଡପରେ ଚାଲିଛି ନାମଯଜ୍ଞ। ଏନେଇ ମଙ୍ଗଳବାର ଅପରାହ୍ନ ୪.୩୦ ସମୟରେ କଳସ ଯାତ୍ରା ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା । ଆଜି ସକାଳ ୭.୧୦ ରେ ନାମ ଆରମ୍ଭ ହୋଇଛି। ଡିଗିରାପଡା ସଂକୀର୍ତ୍ତନ ମଣ୍ଡଳୀ ନାମ ଆରମ୍ଭ କରିଥିଲେ। ୨୧ ଓ ୨୨ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ୨୩ ସକାଳ ୭.୧୦ ସମୟରେ ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ । ପୂର୍ଣ୍ଣାହୂତି ପରେ ଦଧିହାଣ୍ଡିର ନଗର ପରିକ୍ରମା ଓ ଏହାପରେ ଦଧିହାଣ୍ଡି ଭାଙ୍ଗିବା ପ୍ରକ୍ରୀୟା ଚାଲିବ ବୋଲି କମିଟି ସୂତ୍ରରୁ ଜଣାପଡିଛି । ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଋଷି ପଧାନ, ସଧାରଣ ସମ୍ପାଦକ ଭାବରେ ଲକ୍ଷପତି ପଧାନ ବରିଷ୍ଠ ସଦସ୍ୟ ଭାବରେ ଗୋବିନ୍ଦ ବଚ୍ଛା, କୃଷ୍ଣଚନ୍ଦ୍ର ମିର୍ଦ୍ଧା, ଯଦୂପତି ନାଏକ, ବିଜୟ ସାହୁ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡିଛି । ଋକ୍ମୁଣୀ ରଣା ଓ ମଧୁ ରଣା ଦମ୍ପତି ଯଜ୍ଞ କର୍ତ୍ତା ଦାଇତ୍ୱରେ ରହିଥିବା ବେଳେ ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ଶୁକଦେବ ପାଢୀ ଓ ଜପକ ଭାବରେ ଲକ୍ଷ୍ମଣ କର ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡ଼ିଛି। ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଛି। ଡିଗିରାପଡା, ବେହେରାପାଟି ଓ ଦହଲ ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୯ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶ ଗ୍ରହଣ କରିଥିବା ସୂଚନାରୁ ଜଣାପଡିଛି । ଡିଗିରାପଡାର ସମସ୍ତ ଯୁବ ଗୋଷ୍ଠି ଓ ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.