୧୨ ଘଣ୍ଟା ମଧ୍ୟରେ ଡକାୟତଙ୍କୁ କାବୁ କଲା ଖରିଆର ରୋଡ ପୋଲିସ

୨ ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ପୋଲିସ ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ଦୁଇ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖରିଆର ରୋଡ ସହର ପିଏଚଡ଼ି ପଡ଼ାର ସୁରଜ ଯାଦବ ଓ ବଜାର ପଡ଼ାର ଅନୁରାଗ କୁମାର। ପ୍ରକାଶ ଯେ, ନୂଆପଡା ସହର ୱାର୍ଡ ନମ୍ବର ୯ର ଇମ୍ରାନ ଖାନ (୩୯) ବୁଧୁବାର ବ୍ୟକ୍ତିଗତ କାମରେ ଖରିଆର ରୋଡକୁ ଯାଇଥିଲେ। ସେଠାରେ ସାନ୍ଧ୍ୟ ୫.୩୦ ସମୟରେ ଦୁଇ ଦୁର୍ବୁତ୍ତ ତାଙ୍କୁ ଛୁରୀ ଦେଖାଇ ୪,୬୪୦ ଟଙ୍କା ଓ ଏକ ଭିଭୋ ମୋବାଇଲ ଫୋନ ନେଇଯାଇଥିଲେ। ଏ ନେଇ ଇମ୍ରାନ ଖାନ ଖରିଆର ରୋଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଖରିଆର ରୋଡ ପୋଲିସ ଏ ନେଇ ୬୯/୨୪ରେ କେସ ରେଜିଷ୍ଟର କରି ତଦନ୍ତ ଆରମ୍ଭ କରିଥିଲା। ଆଇଆଇସି ଗୁରୁଦେବ କର୍ମୀଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଅରବିନ୍ଦ ମେହେର, ଏଏସଆଇ ପ୍ରଭାତ କୁମାର ପଣ୍ଡା, ଏଏସଆଇ ରାମକ୍ରିଷ୍ଣା ରେଡ୍ଡୀ, କନେଷ୍ଟବଲ ପ୍ରଦୀପ କୁମାର ପାଣିଗ୍ରାହୀ, ରାଜେଶ କୁମାର ହୋତା, ପୁନିତରାମ ଶବରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତୁରନ୍ତ ସାନ୍ଦିଗ୍ଧ ସ୍ଥାନ ମାନଙ୍କରେ ଅଭିଯୁକ୍ତଙ୍କୁ ଖୋଜାଖୋଜି କରାଯାଇଥିଲା। ପୋଲିସର ଗୁଇନ୍ଧା ସୂତ୍ରରୁ ଖବର ସଂଗ୍ରହ କରାଯାଇ ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଖରିଆର ରୋଡ ପୋଲିସ ସଫଳ ହୋଇଥିଲା। ଅଭିଯୁକ୍ତଙ୍କ ଠାରୁ ଲୁଟ ହୋଇଥିବା ସାମଗ୍ରୀ, ୩ ମୋବାଇଲ ଫୋନ, ଲୁଟରେ ବ୍ୟବହୃତ ହୋଇଥିବା ଦୁଇଟି ଛୁରୀ ଓ ନଗଦ ୪,୪୦୦ ଟଙ୍କା ଜବତ କରାଯାଇଛି। ତେବେ ଆଜି ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.