ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ମା’ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଉଛି। ଶୁକ୍ରବାର ଗ୍ରାମ ପୋଖରୀରୁ ଦେବୀଙ୍କ ପୂଜାସ୍ଥଳୀ ପର୍ଯ୍ୟନ୍ତ ବୀରବାଦ୍ୟର ତାଳେ ତାଳେ ଦୀର୍ଘ ପଥ ବ୍ୟାପି କଳସଯାତ୍ରା ପରେ ପୂଜାରମ୍ଭ ହୋଇଥିଲା। ଶନିବାର ଦେବୀଙ୍କ ପୂଜା ଆରମ୍ଭ ସହ ପୁରାଣପାଠ ହୋଇଥିଲା। ରାତିରେ ପଶ୍ଚିମ ଓଡ଼ିଶାର ଲୋକକଳା ବାରମାସୀ ଦଣ୍ଡ ନୃତ୍ୟ ପରିବେଷିତ ହୋଇଛି। ରବିବାର ହୋମ ଯଜ୍ଞ, ପଣା ସଂକ୍ରାନ୍ତି ଏବଂ ରାତିରେ ନୃତ୍ୟ ଆସର ଆୟୋଜିତ ହେବ। ସୋମବାର ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମ ସମାପନ ହେବବୋଲି ଆୟୋଜକ ମାଁ ତାରିଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି। ଏଥିରେ ପୂଜକ ଭାବେ ଗଜେନ୍ଦ୍ର ମାଝୀ ଓ କାନ୍ତ ମାଝୀ ଓ ଦେବେନ୍ଦ୍ର ମାଝୀ କାର୍ଯ୍ୟ ସଂପାଦନ କରୁଥିବାବେଳେ ମାଁ ତାରିଣୀ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ/ସଦସ୍ୟା ବୃନ୍ଦ ସହଯୋଗ କରୁଛନ୍ତି।