ଶୋଷଣ ମୁକ୍ତ ସମାଜର ନାୟକ: ଅମ୍ବେଦକର

ଭାରତୀୟ ସମ୍ବିଧାନ ପ୍ରଣେତା ଡ଼. ଭୀମ ରାଓ ଅମ୍ବେଦକର ଜନ୍ମ ବାସରେ

ଦେଶର ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସମ୍ବିଧାନର ଆବଶ୍ୟକତା ରହିଛି। ସମ୍ବିଧାନ ପ୍ରଣୟନ କରିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା। ଏମ ଏନ ରାୟ, ଜବାହରଲାଲ ନେହେରୁ ସ୍ବାଧୀନ ଭାରତ ପାଇଁ ସମ୍ବିଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ଆସୁଥିଲେ। କ୍ୟାବିନେଟ ମିଶନ ପ୍ଳାନ ୧୯୪୬ ମସିହା ଅନୁଯାୟୀ ଭାରତରେ ସମ୍ବିଧାନ ପ୍ରଣୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମ୍ବିଧାନ ପ୍ରଣୟନ ପାଇଁ ବିଭିନ୍ନ କମିଟି ଗଠନ କରାଗଲା। ସେଥମଧ୍ୟରୁ ଚିଠା କମିଟି ଅନ୍ୟତମ।୨୯ ଅଗଷ୍ଟ ୧୯୪୭ ମସିହାରେ ଡ.ବି ଆର ଅମ୍ବେଦକରଙ୍କୁ ଚିଠା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଗଲା। ତାଙ୍କୁ ସହଯୋଗ କରିବା ପାଇଁ ଅନ୍ୟ ଛଜଣ ସଭ୍ୟ ରହିଲେ ସେମାନେ ହେଲେ: ଏନ ଗୋପାଳ ସ୍ବାମୀ ଆୟଙ୍ଗର,ଆଳାଦୀ କ୍ରିଷ୍ଣା ସ୍ବାମୀ ଆୟର,କେ ଏମ ମୁନସୀ, ମହମ୍ମଦ ଶାଦୁଲ୍କା, ବି ଏଲ ମିତର ପରେ ତାଙ୍କ ସ୍ଥାନରେ ରହିଥିଲେ ଏନ ମାଧବ ରାଓ, ଡି ପି ଖାତିଆନ ତାଙ୍କ ମୃତ୍ୟୁ ପରେ ରହିଲେ ଟି ଟି କ୍ରିଷ୍ଣାମାଚାରୀ। 
ଚିଠା କମିଟି ବିଭିନ୍ନ କମିଟିର ପ୍ରସ୍ତାବ ଉପରେ ଏକ ପ୍ରାଥମିକ ଚିଠା ପ୍ରସ୍ତୁତ କରି ୨୧ ଫେବୃଆରୀ ୧୯୪୮ ମସିହାରେ ସମ୍ବିଧାନ ପ୍ରଣୟନ ସଭାକୁ ପ୍ରେରଣ କଲେ। ଏହି ସଭାରେ ୪ ନଭେମ୍ବର ୧୯୪୮ମସିହାରେ ଆଲୋଚନା ହୋଇଥିଲା। ପରେ ୧୫ ନଭେମ୍ବର ୧୯୪୮ ରୁ ୧୭ଅକ୍ଟୋବର ୧୯୪୯ରେ ଦିତୀୟ ଥର ପାଠ ଓ ତୃତୀୟ ପାଠ ୧୪ ନଭେମ୍ବର ୧୯୪୯ ଠାରୁ ଆରମ୍ଭ ହୋଇ ୨୬ ନଭେମ୍ବର ୧୯୪୯ ମସିହାରେ ସଂପୂର୍ଣ୍ଣ ହୋଇଥିଲା। ଡ.ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସଭାପତି ୨୬ ନଭେମ୍ବର ୧୯୪୯ ତାରିଖରେ ଚିଠା କମିଟିର ଦ୍ବାରା ପ୍ସସ୍ତୁତ ସମ୍ବିଧାନକୁ ଦସ୍ତଖତ କରିଥିଲେ। ସମ୍ବିଧାନ ତିଆରି କରିବା ପାଇଁ ଦୁଇବର୍ଷ, ଏଗାର ମାସ ସତର ଦିନ ସମୟ ଲାଗିଥିଲା।ସମ୍ବିଧାନ ପ୍ରଣୟନ ସଭାର ଶେଷ ବୈଠକ ୨୪ ଜାନୁଆରୀ ୧୯୫୦ ମସିହାରେ ବସିଥିଲା ଓ ୨୬ ଜାନୁଆରୀ ୧୯୫୦ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସମ୍ବିଧାନରେ ସଂଲଗ୍ନ ବିଭିନ୍ନ ବିଷୟ ବିଭିନ୍ନ ଦେଶର ସଂଗୃହୀତ ହୋଇଥିବାବେଳେ ଅମ୍ବେଦକର କହିଥିଲେ ଆମେ ବିଭିନ୍ନ ଦେଶରୁ ସଂଗ୍ରହ କଲେ ମଧ୍ୟ ସଂପୂର୍ଣ୍ଣ ଭାବରେ ଅନୁକରଣ କରିବା ନାହିଁ। ଆମ ଦେଶ ପାଇଁ ସ୍ବତନ୍ତ୍ର ଭାବରେ ଆମର ସମ୍ବିଧାନ ତିଆରି କରିବା।ସମ୍ବିଧାନ ର ମୂଖ୍ୟ ଅଂଶ ହେଉଛି ପ୍ରିଏମ୍ବୁଲ ଯାହାକୁ ସମ୍ବିଧାନର ଆତ୍ମା କୁହାଯାଏ। ଭାରତୀୟ ସମ୍ବିଧାନରେ ସନ୍ନିବେଶିତ ପ୍ରିଏମ୍ବୁଲ ଭାରତକୁ ସାର୍ବଭୌମ, ସମାଜବାଦୀ,ସର୍ବଧର୍ମ ସମନ୍ଵୟ, ଗାଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ପରିଣତ କରି ପାରିଛି।ଏବଂ ଭାରତୀୟ ମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ସହ ଭାତୃତ୍ୱଭାବ ପ୍ରଦାନ କରି ଏକତା ଓ ଅଖଣ୍ଡ ଭାରତ ଗଠନର ପାଇଁ ପ୍ରତିଶ୍ରୁତି ବଦ୍ଧ। ଭାରତୀୟ ସମ୍ବିଧାନରେ ୩୯୫ଟି ଧାରା, ଆଠ ଗୋଟି ଅନୁଚ୍ଛେଦ ସହ ୨୨ଗୋଟି ଭାଗରେ ବିଭକ୍ତ ହୋଇଥିଲା ଯେତେବେଳେ ମୂଳ ସମ୍ବିଧାନର ସଂପୂର୍ଣ୍ଣ କଳେବର ଆସିଲା। ଭାରତୀୟ ସମ୍ବିଧାନକୁ ସମ୍ୟକ ଭାବରେ ନିରିକ୍ଷଣ କଲେ ଜଣାପଡେ ଭାରତୀୟ ମାନଙ୍କୁ ଭାରତ ହେଉଛି ସାର୍ବଭୌମ, ସାଧାରଣତନ୍ତ୍ର, ଗଣତାନ୍ତ୍ରିକ ରାଷ୍ଟ୍ର। ଭାରତୀୟ ସମ୍ବିଧାନ ଭାରତୀୟ ମାନଙ୍କୁ ମୌଳିକ ଅଧିକାର ଯଥା ସମାନତା, ସ୍ୱତନ୍ତ୍ରତା, ଶୋଷଣ ବିରୁଦ୍ଧ, ଧର୍ମଗତ ସ୍ବାଧୀନତା, ଶିକ୍ଷା ଓ ସଂସ୍କୃତି ଗତ ଓ ସମ୍ବିଧାନିକ ପ୍ରତିକାର ଅଧିକାର ପ୍ରଦାନ କରିଛି।ଏହା ସହିତ ରାଷ୍ଟ୍ରୀୟ ମୂଳକ ନିର୍ଦ୍ଦେଶ, ସଂସଦୀୟ ସରକାର,ସଂଘୀୟ ରାଷ୍ଟ୍ର, ସ୍ବାଧୀନ ନ୍ୟାୟପାଳିକା,ଏକକ ନାଗରିକତ୍ୱ, ସାବାଳକ ଭୋଟ ପ୍ରଥା, ମୌଳିକ କର୍ତ୍ତବ୍ୟ ପରି ଅନେକ ମାନବୀୟ ବିଷୟ ସନ୍ନିବେଶିତ ହୋଇଛି। ଏହି ସବୁ ବିଷୟକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିବା ପାଇଁ ଚିଠା କମିଟିର ସଂପୂର୍ଣ୍ଣ ଦାୟିତ୍ୱ ରହିଥିଲା।ଯେତେବେଳେ ସମ୍ବିଧାନ ପ୍ରଣୟନ ବିଷୟରେ ଅମ୍ବେଦକରଙ୍କୁ ପଚାରାଗଲା ସେ କହିଲେ ସମ୍ବିଧାନ ପ୍ରଣୟନ କରିବାର ଶ୍ରେୟ ସାର ବି ଏନ ରାଓକୁ ଯାଉଛି।ପ୍ରକୃତରେ ସେ ହିଁ ସୁନ୍ଦର ଭାବରେ ସମ୍ବିଧାନକୁ ଲେଖିଛନ୍ତି।ସମ୍ବିଧାନ ତିଆରି କରିବାରେ ନିଜସ୍ୱ ସମସ୍ତ ଜ୍ଞନ କୌଶଳ କୁ ପ୍ରୟୋଗ କରିଥିବା ଜଣେ ମହାନାୟକ ଅମ୍ବେଦକରଙ୍କ ଏହିପରି ଉକ୍ତିଥିଲା। ଅମ୍ବେଦକରଙ୍କ ଭାରତ ଗଣତାନ୍ତ୍ରିକ ଭାରତ। ସମାଜର ଅବହେଳିତ, ନିଷ୍ପେସିତ ଯେତଦିନ ଯାଏ ନିଜର ଅଧିକାର ପାଇ ପାରି ନାହାନ୍ତି ଅନ୍ୟ ସାଧାରଣ ଲୋକଙ୍କ ସହ ସମକକ୍ଷ ହୋଇ ପାରି ନାହାନ୍ତି ସେତେବେଳେ ଯାଏ ଭାରତ ଗଣତାନ୍ତ୍ରିକ ଶାସନ ସ୍ୱପ୍ନ ମାତ୍ର। ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଶର ସମସ୍ତ ନାଗରିକମାନଙ୍କ ସମାନ ଅଧିକାର ଓ ଦାୟିତ୍ୱ ରହିଛି। ଆଇନର ଶାସନ ଉପରେ ଭାରତର ଶାସନ ବ୍ୟବସ୍ଥା ପର୍ଯ୍ୟବସିତ। ଆଉ ଯେତଦିନ ପର୍ଯ୍ୟନ୍ତ ଭାରତର ଜଣେ ସାଧାରଣ ନାଗରିକ ଅନୁଭବ କରୁଥିବ ଆମ ଦ୍ବାରା ଦେଶର ଶାସନ ପରିଚାଳିତ ହେଉଛି ସେଦିନ ସମ୍ବିଧାନ ପ୍ରଣୟନର ଶ୍ରମ ସାର୍ଥକ ହେବ। ଭାରତୀୟ ସମ୍ବିଧାନ ପ୍ରଣୟନର ମୂଖ୍ୟ ଆଧାର ସଂପର୍କରେ ଅଭିମତ ରଖି ଅମ୍ବେଦକର କହିଥିଲେ ଭାରତୀୟ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନେଇ ଏକ ଶୋଷଣମୁକ୍ତ ଭାରତର ପରିକଳ୍ପନା ସହ ଭାରତୀୟ ସମାଜରେ ରହିଥିବା ବିଭିନ୍ନ ପ୍ରକାର କୁ-ସଂସ୍କାର ଓ ଅନ୍ଧ ବିଶ୍ବାସ ମୁକ୍ତ ଭାରତ। ଅମ୍ବେଦକର କେବଳ ଗୋଟିଏ ନିଦ୍ଧିଷ୍ଟ ସଂପ୍ରଦାୟର ବା କୌଣସି ଏକ ବାଦ ଭିତରେ ସୀମିତ ନଥିଲେ। ସେ ଥିଲେ ସଂପୂର୍ଣ୍ଣ ଭାରତର ଜନ ନାୟକ। ତାଙ୍କର ଦର୍ଶନ ଓ ଚିନ୍ତନ ମହାଭାରତୀୟ ସ୍ରୋତରେ ସମସ୍ତକୁ ସାମିଲ କରିବା ପାଇଁ। କୌଣସି ସଂକୀର୍ଣ୍ଣତାର ସରହଦ ଭିତରେ ସେ ସୀମିତ ନଥିଲେ। ତାଙ୍କର ଅତି ମାନବୀୟ ଚିନ୍ତାଧାରା ବିଷୟରେ ଉପଲବ୍ଧି କରିବା ପାଇଁ କେତେ ଯେ ସମୟ ଲାଗିବ ସମୟ କହିବ।ଭାରତୀୟ ସମ୍ବିଧାନରେ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ କରିବାର ସମସ୍ତ ଉପାଦାନ ସନ୍ନିବେଶିତ ଆମର ସମ୍ବିଧାନ ନିଶ୍ଚିତ ବିଶ୍ଵର ସମ୍ବିଧାନ ମଧ୍ୟରେ ଅଦ୍ବିତୀୟ ଅଟେ। ଏହିପରି ଏକ ଅନନ୍ୟ ସମ୍ବିଧାନର ପ୍ରଣେତା ଡ଼.ଭୀମରାଓ ଅମ୍ବଦକରଙ୍କୁ ସହର୍ଷ ଶ୍ରଦ୍ଧାଂଜଳି।

ମୋହନ ଚରଣ ବିଷି
ଗଡରାମାଲ, କୋକସରା
କଳାହାଣ୍ଡି
ମୋ:୯୭୭୭୪୬୮୮୪୧
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.