ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀଙ୍କ ସହ ଓଏସ୍ଇଏଫଡ଼ି ସଂଘର ଆଲୋଚ଼ନା

ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଅନୁରୋଧ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଜି ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା‌ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଓଏସ୍ଇଏଫଡ଼ି ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୋୖଧୁରୀ, କାର୍ଯ୍ୟକର୍ତ୍ତା ଶ୍ରୀ ବେଣୁଧର ଖିଲାର, ଶ୍ରୀ ଅଭିଷେକ ଆଚ଼ାର୍ଯ୍ୟ ସଂଘ ପକ୍ଷରୁ ସ୍ବାଗତ କରିବା ସହ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ଆଲୋଚ଼ନା କରିଥିଲେ। ଏହି ନିଯୁକ୍ତି ପାଇଁ ପି.ଡବ୍ଲୁ.ଡ଼ି ଆକ୍ଟ ୧୯୯୫, ଆର.ପି.ଡବ୍ଲୁ.ଡ଼ି ଆକ୍ଟ ୨୦୧୬ ଏବଂ ଆର.ଟି.ଇ ଆକ୍ଟ ୨୦୦୯ ରହିଛି ତତସହିତ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ‌ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ.ପି (ସି ) ୧୩୨ ଅଫ୍ ୨୦୧୬ ରହିଛି, ଏପରିକି ଓଡ଼ିଶାରେ ୬୪୦୦୦ରୁ ଅଧିକ ସାଧାରଣ ବିଦ୍ୟାଳୟ ଅଛି ଏବଂ‌ ପ୍ରାୟ ୧ ଲକ୍ଷ ୫୦ ହଜାର ବିଶେଷ ଅବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ ଅଭାବ ରହିଛି ଏବଂ ଆଜି ଯାଏଁ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ଏହି ନିଯୁକ୍ତି ପାଇଁ ସଂଘ ପକ୍ଷରୁ ପୂର୍ବ ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲା ଏବଂ ଅହୋରାତ୍ର ଧାରଣା ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା। ଏହି ସମସ୍ତ ବିଷୟକୁ ମାନ୍ୟବର ମନ୍ତ୍ରୀ ଗମ୍ଭୀରତାର ସହ ନେଇ ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ନିଶ୍ଚୟ ହେବ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀଙ୍କ ସହ ଆଲୋଚନା ସକରାତ୍ମକ ହୋଇଛି। ଏହି ନିଯୁକ୍ତି ଦିଆଗଲେ ରାଜ୍ୟ ର ୭୦୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଉପକୃତ ହେବା ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.