ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ କଣ୍ଡେରେଇ ଗ୍ରାମର ବିଷ୍ଣୁ ସାହୁଙ୍କ ବ୍ଲଡ଼ ପ୍ରେସର ସମସ୍ୟା ରହିଛି। ସେ ମଧ୍ୟ ଜଣେ ଶ୍ଵାସରୋଗୀ। ୧୫ କିମି ଦୂର ବ୍ୟାଙ୍କକୁ ଯାଇ ବାଦ୍ଧକ୍ୟ ଭତ୍ତା ଟଙ୍କା ଉଠାଇବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ତେଣୁ ସେ ହାତରେ ଭତ୍ତା ଟଙ୍କା ପାଇବାକୁ ଚାହୁଥିଲେ। ଏ ବାବଦରେ ସେ ପିଇଓଙ୍କୁ ଜଣାଇଥିଲେ। ଫଳରେ ପିଇଓ ଦସ୍ତଖତ କରିଦେବାରୁ ତାଙ୍କ ପରିବାର ଲୋକ ଭତ୍ତା ଟଙ୍କା ଉଠାଉଥିଲେ। ମାତ୍ର ଗତ ଫେବ୍ରୁଆରି ମାସରେ ବ୍ୟାଙ୍କ ଅଧିକାରୀ ହିତାଧିକାରୀ ବଞ୍ଚିଛନ୍ତି କି ନାହିଁ ବୋଲି ପଚାରିବା ସହ ଭତ୍ତା ଦେବାକୁ ମନା କରିଦେଇଥିଲେ। ଏ ନେଇ ପୁଣି ଗତ ୧୬ ତାରିଖରେ ପିଇଓଙ୍କୁ ଜଣାଇବାରୁ ସେ କହୁଛନ୍ତି ଯେ ‘ମୁଁ ବ୍ଲକ ଅଫିସ୍ରେ ଲେଖିକି ଦେଇଛି, କେବେ ଲାଗୁ ହେବ କହିପାରିବି ନାହିଁ’ ବୋଲି ପରିବାର ଲୋକଙ୍କୁ କହିଥିଲେ ବୋଲି ବିଷ୍ଣୁ ସାହୁଙ୍କ ପରିବାରବର୍ଗ ପ୍ରକାଶ କରିଛନ୍ତି। ଏନେଇ ପିଇଓ ରମେଶ ମହଲାଙ୍କୁ ଯୋଗଯୋଗ କରିବା ପରେ ବିଷ୍ଣୁଙ୍କୁ କେମତି ନଗଦ ଭତ୍ତା ଟଙ୍କା ମିଳିବ ତା’ର ବ୍ୟବସ୍ଥା କରୁଛି ବୋଲି କହିଥିଲେ।