ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି। ଯୁଦ୍ଧରେ ଦୁର୍ଯ୍ୟୋଧନ ସହ ଶେଷ ହୋଇଛନ୍ତି, ଧୃତରାଷ୍ଟ୍ରଙ୍କ ଏକ ଶହ ପୁତ୍ର। ଚାରି ଆଡ଼େ ଶୁନ୍ ଶାନ୍। ହସ୍ତିନା ରାଜ ପ୍ରାସାଦ ସ୍ଵାମୀ ହରା ରମଣୀ ମାନଙ୍କ କରୁଣ କ୍ରନ୍ଦନରେ ଫାଟିପଡ଼ୁଛି। କ’ଣ ହେଲା କ’ଣ ହେଲା ଭାବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ଗାନ୍ଧାରୀ ଓ ମହାରାଜ ଧୃତରାଷ୍ଟ୍ର। ଏହି ସମୟରେ ଦିନେ ଭଗବାନ ଶ୍ରୀକୃଷ୍ଣ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କୁ ସାନ୍ତ୍ଵନା ଦେବା ପାଇଁ ହସ୍ତିନା ରାଜ ପ୍ରାସାଦରେ ପହଁଚିଲେ। ସେ ଶୋକାପ୍ଲୁତ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସହ ବେଶ କିଛି ସମୟ ଅତିବାହିତ କଲା ପରେ ଯିବାକୁ ବାହାରୁଛନ୍ତି, ଏହି ସମୟରେ ବିନୟଭରା କଣ୍ଠରେ ରାଜା ଧୃତରାଷ୍ଟ୍ର କହିଲେ, ହେ ସର୍ବାନ୍ତର୍ଯ୍ୟାମୀ! ହେ ନାରାୟଣ! ହେ ବାସୁଦେବ! ମୁଁ ଜାଣେ, ମୋ ଜୀବନରେ ଯାହା ସବୁ ଘଟି ଗଲା ଆପଣ ନିଶ୍ଚୟ ସେ ବିଷୟରେ ଜାଣନ୍ତି। ଏହା ମଧ୍ୟ ମୁଁ ଜାଣେ ମୁଁ ଆପଣଙ୍କ ପ୍ରତି କରିଥିବା ବ୍ୟବହାରର କାରଣ ମଧ୍ୟ ଆପଣଙ୍କୁ ଜଣା। ଜାଣି ଶୁଣି କରୁଥିବା ନାନା ଅକ୍ଷମଣୀୟ କୃତ୍ୟପାଇଁ ମୁଁ କେବେ ଆପଣଙ୍କ ଠାରୁ କ୍ଷମା ଚାହିଁନାହିଁ ଯଦିଓ ଆପଣ ମୋତେ ଯଥା ସମୟରେ ଚେତାବନୀ ଦେଇଛନ୍ତି। ହେ କେଶବ, ମୁଁ ଆପଣଙ୍କର ଜଣେ ନିଷ୍ଠାପର ଭକ୍ତ। କିନ୍ତୁ ରାଜଧର୍ମ ପାଳନ ପାଇଁ ଆପଣଙ୍କ ସହ ଅନେକ ସମୟରେ ବହୁ ଅନୁଚିତ ଆଚରଣ କରିଛି। ହେ କ୍ଷମାମୟ! ଆପଣ ମୋତେ କ୍ଷମା ଗୁଣରେ ସେ ସବୁ କୃତ୍ୟ ପାଇଁ କ୍ଷମା ଦେବେ। ମୁଁ ଆପଣଙ୍କ ଭକ୍ତ ହୋଇ ଥିଲେ ମଧ୍ୟ ମୁଢ଼ତା ବଶତଃ କୌଣସି ଦିନେ ଆପଣଙ୍କ ମାର୍ଗଦର୍ଶନ ଲୋଡ଼ି ନାହିଁ। ଏହାମଧ୍ୟ ମୁଁ ଆପଣଙ୍କୁ କେବେ ପଚାରିନାହିଁ କାହିଁକି ମୋତେ ଏପରି ଶହେଟି ଅପଦାର୍ଥ ପୂତ୍ର ଦେଇଛନ୍ତି ଯାହାଙ୍କ ପାଇଁ ମୁଁ ମୋର ପ୍ରିୟଭାଇ ପାଣ୍ଡୁଙ୍କ ପୁତ୍ରଙ୍କୁ ମୋ ସ୍ନେହରୁ ବଞ୍ଚିତ କରିଛି। ହେ କୃଷ୍ଣ! ଏହି ସବୁ କଥାକୁ ନେଇ ମୁଁ ଓ ଗାନ୍ଧାରୀ ଆମର ଏ ଅଭିଶପ୍ତ ଜନ୍ମ ପାଇଁ ବହୁ ବିନିଦ୍ର ରଜନୀ ବିତାଇଛୁ। ହେ କୃଷ୍ଣ! କୁହନ୍ତୁ କେଉଁଥିପାଇଁ ଆମେ ଏପରି ଜୀବନ ପାଇଛୁ। ଏ ସଂସାରରେ ବୋଧହୁଏ ଆମ ପରି ଦୁର୍ବିସହ ଜୀବନ ଆଉ କାହାର ନଥିବ। ଆଜି ମୁଁ ନିଃଶ୍ୱ। ନିୟତି ମୋପାଖରୁ ଆଜି ସବୁକିଛି ଛଡ଼ାଇ ନେଇଛି। ଏପରି କହି ଧୃତରାଷ୍ଟ୍ର ଅତି ଦୀନ ଭାବେ କୃଷ୍ଣଙ୍କ ଚରଣ କମଳରେ ଲୋଟିପଡ଼ି ଜଣେ ନିର୍ବୋଧ ଶିଶୁପରି କ୍ରନ୍ଦନ କରିବାକୁ ଲାଗିଲେ। ତାଙ୍କୁ ଧୈର୍ଯ୍ୟଦେଇ କୃଷ୍ଣ ତୋଳି ଧରିବାରୁ ଧୃତରାଷ୍ଟ୍ର କହିଲେ, ହେ କୃଷ୍ଣ ! ଜୀବନର ସାୟଂ କାଳରେ ମୁଁ ଆପଣଙ୍କୁ କେବେ ନ ପଚାରି ଥିବା ଗୋଟିଏ କଥା ପଚାରୁଛି। ଆଶା କରେ ଆପଣ ଯଥାଯଥ ଉତ୍ତର ଦେଇ ମୋର ସନ୍ଦେହ ଦୂର କରିବେ। ଏହା କହି ଧୃତରାଷ୍ଟ୍ର ପଚାରିଲେ, ହେ ବାସୁଦେବ! ବର୍ତ୍ତମାନ ମୋତେ କୁହନ୍ତୁ, କେଉଁଥିପାଇଁ ମୁଁ ଜନ୍ମରୁ ଅନ୍ଧ ହୋଇ ଜନ୍ମ ହୋଇଛି? କେଉଁଥି ପାଇଁ ମୁଁ ଆଜି ଏ ବୃଦ୍ଧ ବୟସରେ ଶହେ ପୁତ୍ରଙ୍କ ପାଇଁ ମୋତେ ଏ ଦୁର୍ବିସହ ଶୋକ କରିବା ପାଇଁ ପଡ଼ିଲା। କାହିଁକି ମୁଁ ଓ ଗାନ୍ଧାରୀ ଜୀବନସାରା ଏପରି ସଂଘର୍ଷ ଓ ଦୁଃଖ ମଧ୍ୟରେ ସନ୍ତୁଳିତ ହେଉଛୁ। ଧୃତରାଷ୍ଟ୍ରଙ୍କ ଶ୍ରୀକୃଷ୍ଣଙ୍କୁ ଏ ପ୍ରଶ୍ନ ପାଖରେ ଛିଡ଼ା ହୋଇ ଶୁଣୁଥାନ୍ତି ଯଶଶ୍ଵିନୀ ଗାନ୍ଧାରୀ। ତାଙ୍କ ଚକ୍ଷୁର ଅନ୍ଧ ପୁଟୁଳିଟି ଲୋତକାଦ୍ର ହୋଇ ଧାର ଧାର ଲୁହ ତଳକୁ ଗଡ଼ି ପଡୁଥାଏ। ରାଜା ଧୃତରାଷ୍ଟ୍ରଙ୍କ ପ୍ରଶ୍ନଶୁଣି ଶ୍ରୀକୃଷ୍ଣ ମୃଦୁମୃଦୁ ହସି କହିଲେ, ହେ କୁରୁଶ୍ରେଷ୍ଠ! ଏ ସାରା ସଂସାର ବାନ୍ଧି ହୋଇ ରହିଛି କର୍ମରେ। ମନୁଷ୍ୟକୁ ତା କୃତକର୍ମର ଫଳ, ଇହ ଓ ପର ଜନ୍ମରେ ଭୋଗ କରିବାକୁ ପଡ଼ି ଥାଏ। ତୁମକୁ ଏବେ ଯାହା ଭୋଗକରିବାକୁ ପଡୁଛି ତାହା ତୁମ କୃତ କର୍ମର ଫଳ। ତୁମର ମନେ ନାହିଁ କିନ୍ତୁ ମୋର ମନେ ଅଛି, ତୁମର ଏହା ଭିତରେ ବହୁ ଜନ୍ମ ବ୍ୟତିତ ହୋଇ ସାରିଛି। ତେବେ ଶୁଣ ତୁମର କୃତକର୍ମ ବିଷୟରେ। ତୁମେ ଗୋଟିଏ ଜନ୍ମରେ ଜଣେ ଖୁବ୍ ନିଷ୍ଠୁର ରାଜା ଥିଲ। ଥରେ ତୁମେ ମୃଗୟା ବିନୋଦରେ ଯାଇ ଏକ ପୁଷ୍କରିଣୀ କୂଳରେ ପହଞ୍ଚିଲ। ପଦ୍ମପୁଷ୍ପଭରା ସେହି ସୁନ୍ଦର ପୁଷ୍କରିଣୀରେ ହଂସୀନିଟିଏ ତାର ଏକ ଶହ ଛୁଆଙ୍କୁ ଘେନି ଆନନ୍ଦରେ କ୍ରୀଡ଼ା କରୁଥାଏ। ତାଙ୍କ କ୍ରୀଡ଼ାରୁ ଆନନ୍ଦ ନେବା ପରିବର୍ତ୍ତେ, ତୁମେ କଅଣ କଲ! ଅତି ନିର୍ଦ୍ଦୟ ଭାବେ, ସେହି ମାଆ ହଂସଟିର ଚକ୍ଷୁକୁ ଶର ବିଦ୍ଧକରି ଫୁଟାଇଦେଲ। ତୁମ କୌତୁକ ସେତିକିରେ ମେଣ୍ଟିଲା ନାହିଁ। ତୁମେ ପୁଣି ଜଣ ଜଣ କରି ମାଆ ହଂସ ଆଗରେ ତାର ଛୁଆ ଗୁଡ଼ିକୁ ମାରି ପକାଇଲ। ନିଜ ଆଗରେ ଛୁଆ ମାନଙ୍କର ମୃତ୍ୟୁକୁ ଦେଖି ହଂସୀଟି ଅତି ଦୁଃଖରେ ପ୍ରାଣ ତ୍ୟାଗ କଲା। ତୁମେ ସିନା ଖୁବ୍ ଆନନ୍ଦ ଲାଭ କଲ, ମାତ୍ର ନିୟତି ତା’ ପୁସ୍ତକରେ ତୁମର ସେହି କ୍ରୁର କୃତ୍ୟକୁ ଲେଖି ରଖିଲା। ସେହି କ୍ରୂରକର୍ମର ଫଳ ତୁମକୁ ଗୋଟିଏ ଜନ୍ମରେ ଭୋଗ କରିବାକୁ ପଡ଼ିବ। ଏ ସଂସାରରେ କୌଣସି ପ୍ରାଣୀ ନିୟତିର ଏହି ନିୟମକୁ ଉଲଙ୍ଘନ କରି ପାରିବ ନାହିଁ। ମୋର ଯାହା ମନେ ପଡୁଛି, ପର ଶହେ ଜନ୍ମରେ ତୁମେ ଜଣେ ଖୁବ ଭଲ ମଣିଷ ଥିଲ ଓ ବହୁ ଭଲ କର୍ମକରୁଥିଲ। ପରବର୍ତ୍ତି ଶହେଜନ୍ମର ସଞ୍ଚିତ ଧର୍ମ ଯୋଗୁଁ ତୁମେ ଏ ଜନ୍ମରେ ଜଣେ ରାଜା ହୋଇ ଜନ୍ମ ହୋଇଛ। କିନ୍ତୁ ତା ସହିତ ତୁମର ସେହି କ୍ରୁର କର୍ମ ଫଳ ଭୋଗ କରିବାର ସମୟ ମଧ୍ୟ ଆସି ଯାଇଛି। ଏହାହିଁ ତୁମ ଜନ୍ମାନ୍ଧତା ଓ ପୁତ୍ର ଶୋକର କାରଣ। ହେ ରାଜା! ତୁମେ ଦୁଃଖ କରନାହିଁ। ସଂସାରରେ ସମସ୍ତଙ୍କୁ ଏପରି କୃତ କର୍ମର ପ୍ରାୟଶ୍ଚିତ କରିବାକୁ ପଡ଼ିଥାଏ। କାହାର ସାମର୍ଥ୍ୟ ନାହିଁ, କର୍ମର ଗତିକୁ ପ୍ରତିରୋଧ କରିବା ପାଇଁ।