ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ସଦରମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା | ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଏହି ମେଳାର ଉଦଘାଟନ କରିଥିଲେ | ସାତ ଦିନ ବ୍ୟାପି ହେବାକୁ ଥିବା ଏହି ମେଳାରେ ୧୫୦ ଷ୍ଟଲରେ ରାଜ୍ୟସାରା ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି ହେବ | ୨୮ ଫେବୃଆରୀ ଠାରୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ କୋଶଳ କଳା ମଣ୍ଡଳ ପଡିଆରେ ସୁଭଦ୍ରା ଶକ୍ତି ମେଳା – ୨୦୨୫ ଆୟୋଜିତ ହେଉଅଛି । ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଏହି ଐତିହାସିକ ସୁଭଦ୍ରା ମେଳା | ଓଡ଼ିଶାର ମହିଳାମାନେ ବିକାଶର ପ୍ରତୀକ ହେବେ । ସାରା ବିଶ୍ଵ ପାଇଁ ଓଡିଶାର ମହିଳା ସଶକ୍ତିକରଣ ଉଦାହରଣ ହୋଇ ଝଲସିବ। ଏହି ମେଳାରେ ମୁଖ୍ୟ ଆକର୍ଷଣଭାବେ ଅଂଶଗ୍ରହଣ କରିବେ ଜିଲ୍ଲା ଏବଂ ଜ଼ିଲ୍ଲା ବାହାରରୁ ଆସିଥିବା ୫୦୦ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ | ଆକର୍ଷଣ ର କେନ୍ଦ୍ରବିନ୍ଦୁ ହେବ ମହିଳା ଉଦ୍ୟୋଗୀ ମାନଙ୍କ ଦ୍ୱାରା ପରିଚାଳିତ ୧୫୦ ରୁ ଅଧିକ ଷ୍ଟଲ୍। ଏହି ୭ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସହିତ ଅର୍ଗାନିକ୍ ଉତ୍ପାଦମାନ ପ୍ରଦର୍ଶିତ ହେବ, ଏତଦବ୍ୟତୀତ ମିଶନ ଶକ୍ତି ଏସ୍.ଏଚ୍.ଜି ମାନଙ୍କ ଦ୍ୱାରା ପ୍ରସ୍ତୁତ ୨୦୦ ରୁ ଅଧିକ ସାମଗ୍ରୀର ଅପୂର୍ଵ ସମ୍ଭାର ଦେଖିବାକୁ ମିଳିବ । ହାତପାହାନ୍ତାରେ ମିଳିବ ହସ୍ତଶିଳ୍ପ ଓ କଳାକୃତି, ମିଲେଟ୍ ଓ ଅର୍ଗାନିକ୍ ଉତ୍ପାଦ ବହୁବିଧ ପଦାର୍ଥ |ହସ୍ତତନ୍ତ ଓ ବୟନ ଶିଳ୍ପ, ଖାଦ୍ୟ ଓ ମସଲା ସାମଗ୍ରୀ, ଟେରାକୋଟା, ବାଉଁଶ ଶିଳ୍ପ, ଘରକରଣା ଓ ପ୍ରାକୃତିକ ଉତ୍ପାଦ ସହିତ ଆସବାବପତ୍ର, ସ୍ୱାସ୍ଥ୍ୟ ଓ ୱେଲନେସ ର ବିଭିନ୍ନ ଉପାଦେୟ ପଦାର୍ଥ । ଓଡିଆ ଅସ୍ମିତାର ସ୍ଵାଭିମାନ ଓଡିଶୀ ନୃତ୍ୟ,ପାରମ୍ପରିକ ନୃତ୍ୟକଳା କଥକ ସହିତ ମେଲୋଡି ନାଇଟର ଆୟୋଜନ ହୋଇଛି | ଅତିଥିମାନଙ୍କ ମନୋରଞ୍ଜନ ସହିତ ବଡ ସ୍ତରରେ ନିଜର ଉତ୍ପାଦ ପ୍ରଦର୍ଶନ କରି, ଏସ୍ଏଚ୍ଜିଗୁଡ଼ିକ ଲୋକଲୋଚନକୁ ଆସିବା ସହ ଦୀର୍ଘମିଆଦୀ ବଜାର ସଂଯୋଗ ସୃଷ୍ଟି କରିବାରେ ଏହି ମେଳାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମେଳା ମହିଳା ମାନଙ୍କର ଆୟ ବୃଦ୍ଧି କରିବା ସହ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସ୍ୱାଧୀନତା ଓ ମହିଳା ସଶକ୍ତିକରଣ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷପତି ଦିଦି ସୃଷ୍ଟି କରିବାର ସ୍ବପ୍ନ ସାକାର କରିବ। ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ମୂଳପିଣ୍ଡ ହେବ ମହିଳା ସଶକ୍ତିକରଣ । ଏହି ମେଳାରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ତରଣୀ ସୁନା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଓରମାସ ସିଇଓ କମଳେନ୍ଦୁ ପଲ, ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପାଳଜୀ ପାଣିଗ୍ରାହୀ, ମାନ୍ୟବର ସଂସଦଙ୍କ ପ୍ରତିନିଧି ଦୀନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଭାତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |