ବିଶ୍ୱସ୍ତ ଓ ସମାଜ ମନସ୍କ ହେଲେ କବିତା କାଳଜୟୀ ହୋଇପାରିବ, କହିଲେ ଅତିଥି
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମାଟି ମନସ୍କତା ଓ ଗଭୀର ଜୀବନ ଦୃଷ୍ଟି ଓଡ଼ିଆ କବିତାକୁ ବହୁ ଭାବରେ ସମୃଦ୍ଧ କରେ। କବିତା ଶାଣିତ ଓ ସତ୍ୟନିଷ୍ଠ ହେଲେ ଏହା ହୃହୟକୁ ଗଭୀର ଭାବେ ସ୍ପର୍ଶ କରିପାରେ। କୌଣସି ଲେଖା କେବେ ଶେଷ ହୁଏନାହିଁ, କିନ୍ତୁ ଚିରନ୍ତନତାରେ ଭାସ୍ୱର ହୁଏ। କବିତା ହୃଦୟ ସହିତ ପ୍ରଜ୍ଞାକୁ ଯୋଡ଼ି ଦିଏ। ଭାବ ଓ ମହାଭାବର ଏହି ଅପୂର୍ବ ସଂଯୋଗ କବିତାକୁ ମହାର୍ଘ କରେ ବୋଲି ସୋର ଶିଙ୍ଗାଖୁଣ୍ଟା-ନୂଆଗାଁ ‘ନୀହାରକନ୍ୟା ସାହିତ୍ୟ ସଂସଦ’ର ଅଷ୍ଟବିଂଶ ସାମ୍ବତ୍ସରିକ ଉତ୍ସବରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।
କବି ଉମାକାନ୍ତ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ବିଶିଷ୍ଟ କବି ଶ୍ରୀଦେବ ଉଦ୍ଘାଟନ କରି କହିଲେ ଯେ ଏବେ ସାହିତ୍ୟରେ ଯେଉଁ ରେନେଁସା ଆସିଛି ତାହା ସମକାଳ ସାହିତ୍ୟକୁ ନୂତନ ଦିଶା ଦେବ। ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ଦାସ ଯୋଗ ଦେଇ କହିଲେ ଯେ କବିତା ରୂପ ଦେଖେ ନାହିଁ ରୂପାତୀତକୁ ଦେଖେ, ଏହି ଚେତନା ବିଭୋର ନହେଲେ ଭଲ କବିତା ଉତୁରେ ନାହିଁ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ଅଭୟ ନାୟକ କହିଲେ ଯେ କବିତା ଗାଁ’ର କଥା କହିଲେ ସବୁ ବେଳେ ମନ ଛୁଏଁ। ସମ୍ମାନିତ ଅତିଥି ଭାବେ ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇ କହିଲେ ଯେ କବିବରଙ୍କ ମାଟିରେ ଯେଉଁ ନବ ପ୍ରଜନ୍ମର କବିମାନେ ଅଛନ୍ତି ସେମାନଙ୍କ କାବ୍ୟଭୂମି ବେଶ ବିସ୍ତାରିତ। କବି ଅମିୟ ରଂଜନ ମହାପାତ୍ର ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗତାନୁଗତିକତାକୁ ଆଧୁନିକ କବିତା କେବେ ଛାଡ଼ିପାରି ନାହିଁ। ଅନ୍ୟତମ ବକ୍ତା ଭାବେ କବି ଚିତ୍ତରଂଜନ ନାୟକ କହିଲେ ଯେ କବିତା ସୃଷ୍ଟି ପାଇଁ ଯେଉଁ ଆବେଗ ଆତ୍ମୀୟତା ଆବଶ୍ୟକ ତାହା ଉତ୍ତରପିଢିର ଧ୍ୟେୟ ହେଉ।
ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ କବି ମମତା ସାହୁ, ଶୀତଲ ମିଶ୍ର ଏବଂ ମନୀଷା ବିଶ୍ୱାଳ ସଂଯୋଜନା କରିଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତାପାଠ କରିଥିଲେ। ପ୍ରତିଭା ଖିଲାର ମଞ୍ଚ ପରିଚାଳନା କରିଥିବା ବେଳେ ପତିତପାବନ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ।
ଦ୍ୱିତୀୟ ଅଧିବେଶନ ସମ୍ବର୍ଦ୍ଧନା ସଭା ଗାଳ୍ପିକ ଚନ୍ଦ୍ରମୋହନ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ଭୀମ ପୃଷ୍ଟି ଯୋଗ ଦେଇ କହିଲେ ଯେ ସମକାଳ ଗଳ୍ପରେ ଥିବା ଶାଣିତ ସ୍ୱର ସମାଜକୁ ସୁଧାରିବାରେ ପ୍ରଯତ୍ନ କରେ। ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ବିଜୟ ଦାଶ ଜୀବନ ରୂପକ ନାଟକରେ କବିତାକୁ ଉପଲବ୍ଧ କଲେ ତାର ମାଧୁର୍ଯ୍ୟ ବହୁଗୁଣିତ ହୁଏ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ କବି ସଂଜିତ ବଳ ଏବଂ ସାହିତ୍ୟିକ ମାନସ ରଂଜନ ମହାପାତ୍ର ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ ସରପଞ୍ଚ ଅନାଦି ଚରଣ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ସୁରଂଜନ ପାତ୍ର ବିବରଣୀ ପାଠ କରିଥିଲେ। କବି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ଗାଳ୍ପିକ ରବି ସ୍ୱାଇଁ, କବି ସୂର୍ଯ୍ୟ ମିଶ୍ର, ସଂଗଠକ ଅରୁଣ ଖିଲାର, ନାଟ୍ୟକାର ରଜନୀ ରଂଜନ, ଗାଳ୍ପିକ ବିରଜା ରାଉତରାୟ, ଡ. ରବୀନ୍ଦ୍ର ବିହାରୀ, ନୀଳମଣି ଚାନ୍ଦ, ବୃନ୍ଦାବନ ଦାସ, କନକଲତା ଦାସ, ସୁଚେତା ନନ୍ଦ, ପ୍ରଭାତ କୁମାର ଆଚାର୍ଯ୍ୟ, ବିଚିତ୍ରା ଦାଶ, ଡକ୍ଟର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ, ସସ୍ମିତା ରାଉତ, ମମତା ପ୍ରିୟଦର୍ଶିନୀ ସାହୁ ଏବଂ ପ୍ରଶାନ୍ତ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଉପସଭାପତି ରବିନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥଲେ।