ବାଲେଶ୍ଵରରେ ଯଶ୍ୱସୀ କବି ରମାକାନ୍ତ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ୨୦ କବି: ‘ଭଲ କବିତାର ଖୋଜ୍’ ଆୟୋଜନ କଲା ଶୋକସଭା

“କବିତା ପାଇଁ ଚିରଦିନ ଅମର ରହିବେ ରମାକାନ୍ତ”

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯଶସ୍ବୀ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହରର ଏପିସିଏଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।

‘ଭଲ କବିତାର ଖୋଜ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କବି ଶ୍ରୀଦେବଙ୍କ ପୌରୋହିତ୍ୟରେ ତଥା କବି ଉତ୍ପଳ ମହାନ୍ତିଙ୍କ ସଂଚାଳନରେ ହୋଇଥିଲା। ବାଲେଶ୍ୱରର ବହୁ କବି ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ଦିବଂଗତ କବି ଶ୍ରୀ ରଥଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।

ସଭାରେ ଉପସ୍ଥିତ ବକ୍ତାମାନେ ଦିବଂଗତ କବିଙ୍କ ସହ ବିତାଇଥିବା ସମୟ ଓ ତାଙ୍କର କୃତି ଓ ବୃ୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ କବିତାରେ ଶବ୍ଦର ଯାଦୁକରୀ ସ୍ପର୍ଶ କିଭଳି ପାଠକଙ୍କୁ ବିମୋହିତ କରେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ନିଜ କବିତା ପାଇଁ ସେ ଚିରଦିନ ଅମର ହୋଇ ରହିବେ ବୋଲି ସଭାରେ ବକ୍ତାମାନେ ମତ ରଖିଥିଲେ।

ତାଙ୍କ ଲେଖନୀରୁ ଝରିପଡ଼ିଥିବା ‘ଶ୍ରୀରାଧା’, ‘ସପ୍ତମ ଋତୁ’, ‘ଶ୍ରୀପଳାତକ’ ଭଳି କାବ୍ୟ, କବିତା ପୁସ୍ତିକାର ଲାଳିତ୍ୟ, ଛନ୍ଦ ଆଜି ବି କିଭଳି ପାଠକଙ୍କ ମନରେ ଶିହରଣ ସୃଷ୍ଟି କରେ ସେ ସମ୍ପର୍କରେ ବକ୍ତାମାନେ କହିଥିଲେ। ଶ୍ରୀ ରଥଙ୍କ କବିତା ଯୁବପିଢ଼ିର ପାଠକଙ୍କୁ ବତିଘର ସଦୃଶ ନୂତନ ପଥ ଦେଖାଇବା ସହ ନୂଆ ସକାଳର ସ୍ୱପ୍ନ ଦେଖାଇବ ବୋଲି ମତପ୍ରକାଶ ପାଇଥିଲା।

ଏହି ଶ୍ରଦ୍ଧାଞ୍ଜଳି ସଭାରେ କବି ବିମଳ ଜେନା, ଅଭୟ ଦାସ, ସିତାଂଶୁ ଲେଙ୍କା, ରଂଜନ ବାଗ, ସତ୍ୟଶିବ ସୁନ୍ଦର ଦାସ, ଶଶିରଞ୍ଜନ ମଲ୍ଲିକ, ଗୋପାମୁଦ୍ରା ମହାପାତ୍ର, ସୁବାସ ଚନ୍ଦ୍ର ପାତ୍ର, ପ୍ରଶାନ୍ତ ଦାସ, ଶୁଭେନ୍ଦୁ ଦାସ, ଡ.ସନ୍ତୋଷ କୁମାର ନାୟକ, ଡ.ରମାକାନ୍ତ ନାୟକ, ସୃଷ୍ଟିଧର ପରିଡ଼ା, ଗଙ୍ଗାଧର ବିଶ୍ୱାଳ, ଡ. ହରିଶ୍ଚନ୍ଦ୍ର ବେହେରା, ସଞ୍ଜୟ କୁମାର ପଣ୍ଡା, ସତ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ରମାକାନ୍ତଙ୍କ କବିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ସ୍ମୃତିଚାରଣ କରିଥିଲେ। ଅସୁସ୍ଥତା ଯୋଗୁ କବି ତଥା ‘ଭଲ କବିତାର ଖୋଜ୍’ର ଆବାହକ କୃଷ୍ଣ କୁମାର ମହାନ୍ତି ପଠାଇଥିବା ବାର୍ତ୍ତାକୁ ସଭାରେ କବି ଶ୍ରୀଦେବ ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.