ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜାତୀୟ ଶିକ୍ଷା ନୀତି ଆଧାରରେ ଏବର୍ଷ କେବଳ ପ୍ରଥମ ଶ୍ରେଣୀ ପିଲା ନୁହନ୍ତି, ଶିଶୁବାଟିକା ପିଲା ମଧ୍ୟ ବିଦ୍ୟାଳୟରେ ନାମ ଲେଖାଇବେ। ଏପ୍ରିଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ-୨୦୨୫ ଅବସରରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ନିଆରା ଢଙ୍ଗରେ ସ୍ବାଗତ କରାଯିବ।
ଏଥିପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀ ରୁଷିଆ ମେହେର୍ ଶୁକ୍ରବାର ଦିନ ଚମ୍ପାଦେଇପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଅଭିଭାବକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସରପଞ୍ଚ ନରେନ୍ଦ୍ର ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଯକ ସୌଭଗ୍ୟ ରଞ୍ଜନ ସାହୁ, ପ୍ରଧାନ ଶିକ୍ଷକ ପଦ୍ମଲୋଚନ ସୁନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପରମାନନ୍ଦ ପ୍ରଧାନୀ ସମେତ ଅନେକ ଶିକ୍ଷାବିତ୍ ଏବଂ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ସମ୍ପର୍କରେ ସୂଚନା ଦେଇ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମେହେର୍ ପ୍ରକାଶ କରିଛନ୍ତି ଯେ, ଏନେଇ ବିଦ୍ୟାଳୟ ସ୍ତରରେ ଚାରି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଥମ ଦିନ ବିଦ୍ୟାଳୟକୁ ଶିକ୍ଷାର୍ଥୀ, ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ମାତୃ କମିଟି, ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ, ଅଭିଭାବକ ଓ ଗୋଷ୍ଠୀ ସହଯୋଗରେ ଉତ୍ସବମୁଖର ଢଙ୍ଗରେ ସଜାଯିବ। ନୂଆ ପିଲାମାନଙ୍କୁ ତିଳକ, ପୁଷ୍ପଗୁଚ୍ଛ ଓ ବେଜ୍ ଦେଇ ସ୍ବାଗତ କରାଯିବ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରାଯିବ ଏବଂ କିଟ୍ ବଣ୍ଡନ ହେବ। ସ୍ଥାନୀୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ।
ଦ୍ଵିତୀୟ ଦିନ ସାକ୍ଷରତା ଷ୍ଟେସନ୍ ପ୍ରଦର୍ଶନ କରାଯିବ, ଯେଉଁଠାରେ ପିଲାମାନେ ପଞ୍ଚତନ୍ତ୍ର ଓ ଲୋକକଥାରୁ ନୈତିକ ଶିକ୍ଷାଯୁକୁ ଗପ ଶୁଣିବେ, ଶିଶୁଗୀତ ଶିଖୁବେ ଏବଂ ଢୋଲ ମର୍ଦଳ ବାଦନ ତଥା ଲୋକନୃତ୍ୟରେ ଅଂଶଗ୍ରହଣ କରିବେ। ତୃତୀୟ ଦିନ ସଂଖ୍ୟାଜ୍ଞାନ ଷ୍ଟେସନ୍ରେ ଗଣିତ ଖେଳ, ଗପ ଓ ସଙ୍ଗୀତ ମାଧ୍ୟମରେ ଶିକ୍ଷା ଦିଆଯିବ। ଚତୁର୍ଥ ଦିନ ପ୍ରଭାତ ଫେରି ଓ ପିଲାମାନଙ୍କ କୃତି ପ୍ରଦର୍ଶନ ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।
ଏଥିସହ ବ୍ଲକର ସମସ୍ତ ଗାଁ ରେ ସଚେତନତା ରଥ ପରିଭ୍ରମଣ କରି ବୟସ ଅନୁସାରେ ନାମଲେଖା, ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନୀ ଷ୍ଟେସନ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବ। ଏଥିପାଇଁ ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି ସହଯୋଗରେ ଯୋଗ୍ୟ ପିଲାଙ୍କ ତାଲିକା ପ୍ରସ୍ତୁତ କରି ନିମନ୍ତ୍ରଣ ପତ୍ର ବଣ୍ଡନ କରିବେ ଏବଂ ବିଦ୍ୟାଳୟରେ ଏଫ୍ଏଲ୍ଏନ୍ ଓ ସୃଜନୀ ଷ୍ଟେସନ୍ ପ୍ରସ୍ତୁତ କରିବେ।