ଶ୍ରୀ ଜଗନ୍ନାଥ ମହୋତ୍ସବରେ ସୋନପୁର ସହର ଉତ୍ସବ ମୁଖର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ସ୍ୱର୍ଣ୍ଣ ପ୍ରୟାଗ ରାମେଶ୍ୱର ଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବର ଷଷ୍ଠ ଦିନର ଅନ୍ତିମ ସନ୍ଧ୍ୟାରେ ମହୋତ୍ସବ କ୍ଷେତ୍ର ଜନ ସମୁଦ୍ର ପାଲଟିଥିଲା। ଆର୍ତ୍ତତ୍ରାଣ ବାବାଙ୍କ ସ୍ପର୍ଶ ଚିକିତ୍ସା କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହେଇଥିବା ବେଳେ ମହୋତ୍ସବ କମିଟି ପକ୍ଷରୁ ସପ୍ତାହବ୍ୟାପୀ ଚାଲିଥିବା ଯଜ୍ଞ ଓ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ରେ ଭକ୍ତ ଶ୍ରଦ୍ଧାଳୁ ପ୍ରବଳ ଭିଡ଼ ଜମିଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଉଥିବା ବେଳେ ପଞ୍ଚକୁଣ୍ଡିୟ ଘୃତଯଜ୍ଞ ସହ ଚବିଶ ପ୍ରହରୀ ନାମଯଜ୍ଞ ଓ ଜଗନ୍ନାଥଙ୍କ ଦୁଲ୍ଲଭ ୩୨ ବେଶ ଆଗରେ ଆୟୋଜିତ ବିଷ୍ଣୁ ସହସ୍ର ନାମ ଜପରେ ଅନେକ ଦମ୍ପତ୍ତି ସଂକଳ୍ପ ବ୍ରତ ଗ୍ରହଣ କରିଛନ୍ତି। ଦୁଲ୍ଲଭ ୩୨ ବେଶର ମୁଖ୍ୟ ପରିଚାଳକ ସଚ୍ଚିଦାନନ୍ଦ ମହାପାତ୍ର, ଗୌରୀଗୋପାଳ ସେବାଶ୍ରମ ପୁରୀ ଙ୍କ ସାଜସଜ୍ଜା ଖୁବ୍ ଆକର୍ଷଣ ସାଜିଛି। ମହୋତ୍ସବର ମୁଖ୍ୟମଞ୍ଚରେ ସଂଧ୍ୟାକାଳୀନ ତ୍ରିଆଳତି ସହ ଜଗନ୍ନାଥ କଥାମୃତକୁ ନେଇ ପ୍ରବଚନ ଓ ଭଜନ ପରିବେଷଣ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡକୁ ଦେଖି ସୁବର୍ଣ୍ଣପୁର ମାରୱାଡି ଯୁବା ମଞ୍ଚ ଓ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଜଳଦାନ ସେବା ବ୍ୟବସ୍ଥା କରାଯାଇଥିଲା। ମହୋତ୍ସବର ମୁଖ୍ୟ କମିଟି, ଅର୍ଥ କମିଟି, ଯଜ୍ଞ କମିଟି, ୩୨ ବେଶ ସଞ୍ଚାଳନ କମିଟି, ଅନ୍ନଯଜ୍ଞ କମିଟି, ନାମଯଜ୍ଞ କମିଟି, ଜଳ ଓ ପରିମଳ କମିଟି ସହ ସ୍ୱଚ୍ଛ ଭାରତ, କଲେଜ ଏନସିସି ଓ ପ୍ରଚାର ପ୍ରସାର କମିଟିର ସମସ୍ତ ସଦସ୍ୟଙ୍କ ସକ୍ରିୟ କାର୍ଯ୍ୟ ସମ୍ପାଦନା ଯୋଗୁଁ ଦୀର୍ଘ ଛଅଦିନ ଧରି ମହୋତ୍ସବ ଶାନ୍ତି ଶୃଙ୍ଖଳାରେ ଆଗେଇ ଚାଲିଛି। ଆରମ୍ଭରୁ ଆଜିଯାଏଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମରେ ଯଜ୍ଞସ୍ଥଳୀ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ମହୋତ୍ସବକୁ ସଫଳ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.