ଶ୍ରୀରାମ ନବମୀ : ଏକ ଆଧ୍ୟାତ୍ମିକ ଅନୁଚିନ୍ତା

ଡା. ସୁଧାଂଶୁ ଶେଖର ମିଶ୍ରଙ୍କ 

ଭାରତ ଏକ ଅଧ୍ୟାତ୍ମ ପ୍ରଧାନ ଦେଶ । ଆମ ଏଠାରେ ପାଳିତ ପ୍ରତ୍ୟେକ ପର୍ବପର୍ବାଣୀ ଆଧ୍ୟାତ୍ମିକ ରହସ୍ୟରେ ସମୃଦ୍ଧ । ଆଜି ଆମେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରୁଛୁ । କିନ୍ତୁ ତା’ର ଆଧ୍ୟାତ୍ମିକ ଉଦ୍ଧେଶ୍ୟ ବିସ୍ମୃତ ହୋଇ ଯାଇଛୁ । ଏହି ପରିପ୍ରେକ୍ଷୀରେ ଶ୍ରୀରାମ ନବମୀ ବା ଶ୍ରୀରାମଙ୍କ ଜନ୍ମୋତ୍ସବ ପ୍ରଣିଧାନ ଯୋଗ୍ୟ । ଭାରତରେ ଏପରି ଜଣେ କେହି ହୁଏତ ନ ଥିବେ ଯିଏକି ରାମଙ୍କ ବିଷୟରେ ଜାଣି ନଥିବେ । ପ୍ରତ୍ୟେକ ପୁର ପଲ୍ଲୀରେ ରାମାୟଣ ବା ରାମ ଚରିତ ମାନସ ପାରାୟଣ କରାଯାଏ । ଅନେକ ଲୋକ ପ୍ରାତଃ କାଳରେ ନିଦ୍ରାତ୍ୟାଗ ପରେ ‘ରାମ’ ଶବ୍ଦ ଉଚ୍ଚାରଣ କରନ୍ତି । କେତେକ ଲୋକ ପ୍ରଥମ ଦର୍ଶନରେ ପରସ୍ପର ମଧ୍ୟରେ ‘ରାମ ରାମ’ କହି ଅଭିବାଦନ କରନ୍ତି । କେତେକ ପରିବାରରେ ପ୍ରଚଳିତ ପରମ୍ପରା ଅନୁସାରେ ନବଜାତ ଶିଶୁର ଜିହ୍ୱାଗ୍ରରେ ‘ରାମ’ ଶବ୍ଦ ଲେଖାଯାଏ । ‘ଶବ ଯାତ୍ରା ସମୟରେ ‘ରାମ ନାମ ସତ୍ୟ ହୈ’ ଏହିପରି ବାକ୍ୟ ଉଚ୍ଚାରଣ କରାଯାଏ । ବର୍ମାନ ପ୍ରଶ୍ନ ଉଠେ ଯେ ‘ରାମ’ ପ୍ରକୃତରେ କିଏ? ଭାରତର ପ୍ରତ୍ୟେକ ଆବାଳ ବୃଦ୍ଧ ବନିତା ତାଙ୍କୁ କାହିଁକି ଏତେ ଶ୍ରଦ୍ଧାର ସହିତ ସ୍ମରଣ କରନ୍ତି ଓ ଚୈତ୍ର ଶୁକ୍ଲପକ୍ଷ ନବମୀ ତିଥିରେ କାହିଁକି ତାଙ୍କ ଜନ୍ମୋତ୍ସବ ପାଳନ କରାଯାଏ? ପ୍ରକୃତରେ ଆମେ କ’ଣ ରାମଙ୍କୁ ଜାଣି ପାରିଛେଁ?

Omkar Vasthu
Omkar Vasthu

ରାମାୟଣରେ ବର୍ଣ୍ଣିତ ଚରିତ୍ର ଗୁଡ଼ିକୁ ଅନୁଶୀଳନ କରି କେତେକ ଏହାର ଐତିହାସିକତା ଉପରେ ପ୍ରଶ୍ନ ଉଠାନ୍ତି । ସେମାନଙ୍କ ମତରେ ଲଙ୍ଗଳ ସିଆରରୁ ସୀତାଙ୍କ ଜନ୍ମ ହେବା, ରାବଣ ନିଜର ଦଶ ଶିର କାଟି ଅଗ୍ନୀରେ ଆହୁତି ଦେବା, ମାଙ୍କଡ଼ ଭଲ୍ଲୁକ ସହିତ ରାମଙ୍କ ମିତ୍ରତା ଓ ସେମାନଙ୍କ ସହାୟତାରେ ରାବଣ ଉପରେ ବିଜୟ ପ୍ରାପ୍ତ କରିବା, ଶତ ଯୋଜନ (ଚାରିଶହ ମାଇଲ) ଦୀର୍ଘ ସମୁଦ୍ରକୁ ହନୁମାନ ଏକ ଡିଅାଁରେ ପାର ହୋଇଯିବା ଇତ୍ୟାଦି ଅନେକ ପ୍ରସଙ୍ଗ ପୁରାଣକାରଙ୍କ କଳ୍ପନା ବିଳାସିତା ବ୍ୟତୀତ ଆଉ କିଛି ନୁହେଁ । କେହି କେହି ରାମ ଚରିତକୁ ଐତିହାସିକ ଘଟଣା ସ୍ୱୀକାର କରନ୍ତି ଓ ରାମାୟଣ ବର୍ଣ୍ଣିତ କେତେକ ପାତ୍ରର ଭିନ୍ନ ଭିନ୍ନ ବ୍ୟାଖ୍ୟା କରନ୍ତି । ଉଦାହରଣ ସ୍ୱରୂପ ରାବଣର ଦଶ ମୁଣ୍ଡର ଅର୍ଥ ହେଉଛି ତା’ର ଚାରି ବେଦ ଓ ଛଅଟି ଶାସ୍ତ୍ରରେ ପାଣ୍ଡିତ୍ୟର ପ୍ରତୀକ । ମନୁଷ୍ୟ ସମାଜର ଏକ ନିଦ୍ଧିର୍ଷ୍ଟ ଜାତିକୁ ହିଁ ବାନର କୁହାଯାଉଥିଲା ବୋଲି ସେମାନେ ଯୁକ୍ତି କରନ୍ତି । ଏଭଳି ବାଦ ବିବାଦ ମଧ୍ୟରେ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ପ୍ରକୃତରେ ରାମ କିଏ? ସୀତା କିଏ? ରାମ ଚରିତର ଯଥାର୍ଥ ସ୍ୱରୂପ କ’ଣ?

Pearl dental clinic
Near Ashish Medical Store, Bhawanipatna

ବାଳ୍ମିକୀ କୃତ ରାମାୟଣ ଅଧ୍ୟୟନ କଲେ ଏହା ସ୍ପଷ୍ଟ ହୁଏ ଯେ ଶ୍ରୀରାମଙ୍କ ଜନ୍ମ ପୂର୍ବରୂ ମଧ୍ୟ ‘ରାମ’ ଶବ୍ଦର ପ୍ରଚଳନ ଥିଲା । ରାଜା ଦଶରଥ ଯେତେବେଳେ ମୃଗୟା ଅବସରରେ ଭ୍ରମବଶତଃ ଶ୍ରବଣ କୁମାରଙ୍କୁ ହତ୍ୟା କରିଥିଲେ ସେତେବେଳେ ବ୍ରହ୍ମହତ୍ୟା ପାପ ତାଙ୍କୁ ଗ୍ରାସ କରିବା ପାଇଁ ଅନୁଧାବନ କଲା । ସେ ଭୟଭୀତ ହୋଇ ପଳାୟନ କଲେ ଓ ବଶିଷ୍ଠ ତପଃ ସାଧନା ପାଇଁ ଅନ୍ୟତ୍ର ଚାଲିଯାଇଥିଲେ । ତାଙ୍କ ପୁତ୍ର ବାମଦେବ ଆଶ୍ରମ ପରି ଚାଳନାରେ ଥାଆନ୍ତି । ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଁ ସେ ଦଶରଥଙ୍କୁ ତିନିଥର ରାମ ନାମ ଜପିବାକୁ ପରାମର୍ଶ ଦେଇଥିଲେ । ଏକଥା ପରେ ଯେତେବେଳେ ବଶିଷ୍ଠ ଜାଣିଲେ ତିନିଥର ରାମ ଶବ୍ଦ ଜପ କରିବାକୁ କହି ଏହାର ଦୁରୁପଯୋଗ କରିଥିବାରୁ ସେ ବାମଦେବଙ୍କୁ ଚାଣ୍ଡାଳ ଯୋନୀରେ ଜନ୍ମହେବାକୁ ଅଭିଶାପ ଦେଲେ । ଏହି ଆଖ୍ୟାୟିକାରୁ ସ୍ପଷ୍ଟ ଯେ ରାମ ଜନ୍ମ ହେବା ପୂର୍ବରୁ ମଧ୍ୟ ‘ରାମନାମ’ ସେତେବେଳେ ପ୍ରଚଳିତ ଥିଲା । ଏହି ‘ରାମ’ କିଏ?

Udyog Nursery
Udyogi Nursery

ଗୋସ୍ୱାମୀ ତୁଳସୀ ଦାସ ଚାରୋଟି ରାମଙ୍କ କଥା ବର୍ଣ୍ଣନା କରିଛନ୍ତି । ଯଥା :- “ଏକ୍ ରାମ ଦଶରଥକା ବେଟା, ଏକ୍ ରାମ ଘଟ୍ ଘଟ୍ ମେଁ ବୈଠା, ଏକ୍ ରାମ୍ ଜଗତ ପସାରା, ଏକ ରାମ୍ ଜଗତ୍ସେ ନ୍ୟାରା ।” ଅର୍ଥାତ୍ ପ୍ରଥମ ଜଣକ ଦଶରଥ ପୁତ୍ର, ଦ୍ୱିତୀୟଟି ଆତ୍ମାରାମ, ତୃତୀୟଟି ନାମ ବାଚକ ରାମ ଓ ଚତୁର୍ଥଟି ପାର୍ଥିବ ଜଗତରୁ ଭିନ୍ନ ଅଟନ୍ତି । ଏହି ୪ଟି ରାମଙ୍କ ମଧ୍ୟରୁ ଆମେ କେବଳ ୨ଟି ରାମଙ୍କ ବିଷୟରେ ଆଲୋଚନା କଲେ ରାମ ଚରିତର ଯଥାର୍ଥ ସ୍ୱରୂପ ବୁଝିପାରିବା । ଜଣେ ହେଉଛନ୍ତି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ରାଜା ରାମଚନ୍ଦ୍ର ।ତାଙ୍କ ରାଜ୍ୟରେ ଯଥା ରାଜା ତଥା ପ୍ରଜା ସମସ୍ତେ ସୁଖ ଶାନ୍ତି ସମୃଦ୍ଧି ଓ ପବିତ୍ରତାରେ ପରିପୁର୍ଣ୍ଣ ଥିଲେ । ତେଣୁ ଆଜି ମଧ୍ୟ ଅନେକ ରାମ ରାଜ୍ୟର ପରିକଳ୍ପନା କରନ୍ତି । ଅନ୍ୟ ଏକ ରାମ ଯିଏ ସମସ୍ତ ଆତ୍ମାଙ୍କ ପରମ ପିତା ଅଟନ୍ତି । ସେ ପରମ ଆତ୍ମା, ପରମ ପବିତ୍ର, ଦେବଗଣଙ୍କ ଦେବ, ରାଜା ରାମଙ୍କ ମଧ୍ୟ ଈଶ୍ୱର ହୋଇ ଥିବାରୁ ରାମେଶ୍ୱର ଓ ଶ୍ରୀକୃଷ୍ଣଙ୍କ ମଧ୍ୟ ଈଶ୍ୱର ହୋଇଥିବାରୁ ଗୋପେଶ୍ୱର ଅଟନ୍ତି । ତେଣୁ ପାର୍ଥୀବ ଜଗତରୁ ଭିନ୍ନ ଏହି ନିରାକାରୀ ରାମ ପରମାତ୍ମା ‘ଶିବ’ ହିଁ ଅଟନ୍ତି । କିନ୍ତୁ ରାମାୟଣରେ ବା ରାମ କଥାରେ ନିରାକାର ରାମଙ୍କ ଚରିତ୍ରକୁ ରାଜା ରାମଙ୍କ ଜୀବନୀ ସହିତ ସଂଯୁକ୍ତ କରି ଦିଆଯାଇଥିବାରୁ ନିଷ୍ପକ୍ଷ ପାଠକମାନଙ୍କ ମନରେ ସଂଶୟ ଉତ୍ପନ୍ନ ହୁଏ । ଏଥିରୁ ସ୍ପଷ୍ଟ ଯେ ତ୍ରେତୟା ଯୁଗର ରାଜା ରାମ ହେଉଛନ୍ତି ଦେବାତ୍ମା ଓ ନିରାକାରୀ ରାମ ହେଉଛନ୍ତି ପରମାତ୍ମା ଶିବ ।

ପରମାତ୍ମା ରାମଙ୍କ ଯଥାର୍ଥ ପରିଚୟ

ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପରମାତ୍ମାଙ୍କୁ ‘ରାମ’କୁହାଯାଏ । କାରଣ ସେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ମନୋରଞ୍ଜନକାରୀ ଅଟନ୍ତି। ସେ ରମଣିକ ଅଟନ୍ତି ଅର୍ଥାତ୍ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି । ରମୟତି ଇତି ରାମଃ । ସେହିପରି ଜ୍ଞାନବାନ ଓ ଯୋଗଯୁକ୍ତ ଆତ୍ମାମାନେ ହିଁ ସୀତାଙ୍କ ପ୍ରତୀକ ଅଟନ୍ତି । କାରଣ ସେମାନେ ଏକ ପରମାତ୍ମାଙ୍କ ସହିତ ସେମାନଙ୍କର ସର୍ବ ସମ୍ବନ୍ଧ ରଖନ୍ତି । ଶ୍ରୀମଦ୍ ଭଗବତ୍ ଗୀତା ଅନୁସାରେ ଶରୀରକୁ କ୍ଷେତ୍ର ଓ ଆତ୍ମାକୁ କ୍ଷେତ୍ରଜ୍ଞ କୁହାଯାଇଛି । ଏହି ଶବ୍ଦାବଳୀ ଅନୁସାରେ ମନୁଷ୍ୟାତ୍ମା (କ୍ଷେତ୍ରଜ୍ଞ) ବୁଦ୍ଧି ରୂପୀ କ୍ଷେତ୍ରରେ ଜ୍ଞାନ ହଳ କର୍ଷଣ କଲେ ଧାରଣା ରୂପକ ସିଆରରୁ ଆତ୍ମା ସୀତା ଜନ୍ମ ହୁଏ । ଏହାକୁ ଲଙ୍ଗଳ ସିଆରରୁ ସୀତାଙ୍କ ଜନ୍ମ ବୋଲି ସ୍ଥୂଳ ରୀତିରେ ବର୍ଣ୍ଣନା କରାଯାଇଛି । ତେଣୁ ସୀତାଙ୍କୁ ଅଯୋନିଜ କୁହାଯାଏ । ଆତ୍ମବିସ୍ମୃତ ବ୍ୟକ୍ତିର ସ୍ମୃତିଲବ୍ଧା ସ୍ଥିତିକୁ ହିଁ ଆତ୍ମା ରୂପୀ ସୀତାଙ୍କ ଜନ୍ମ ବୋଲି କୁହାଯାଏ । ଅନ୍ୟଥା ଆତ୍ମାର ଶାରୀରିକ ଜନ୍ମ ନାହିଁ । ଗୀତା ଅନୁସାରେ ଆତ୍ମା ଅଜନ୍ମା, ନିତ୍ୟ, ଶାଶ୍ୱତ ଓ ଅତି ପ୍ରାଚୀନ ।

ଚତୁର୍ଯୁଗ ବିଶିଷ୍ଟ ସୃଷ୍ଟିରେ ଯେତେବେଳେ ସମସ୍ତ ମନୁଷ୍ୟାତ୍ମା ଆସୁରୀ ପ୍ରବୃତ୍ତି ଦ୍ୱାରା ପୀଡ଼ିତ ହୋଇ ଯାଆନ୍ତି ଓ ଏହାଦ୍ୱାରା ମାନବ ସମାଜ ଧର୍ମଭ୍ରଷ୍ଟନ ହୋଇ ପଡ଼ନ୍ତି; ସେତେବେଳେ ନିରାକାର ପରମାତ୍ମା ରାମ ସୃଷ୍ଟିରେ ଅବତରଣ କରନ୍ତି । ‘ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ….. ।’ ପରମାତ୍ମାଙ୍କ ଦ୍ୱାରା ନିର୍ଦ୍ଧାରିତ ଈଶ୍ୱରୀୟ ମର୍ଯ୍ୟାଦା ରୂପୀ ଲକ୍ଷ୍ମଣ ରେଖା ଯେତେବେଳେ ଆତ୍ମା ସୀତା ଉଲଂଘନ କରେ ସେତେବେଳେ ସେ ଦଶ ବିକାର ରୂପୀ ମାୟା ରାବଣ ଦ୍ୱାରା ଅପହୃତ ହୁଏ । କାମ, କ୍ରୋଧ, ଲୋଭ, ମୋହ, ଅହଂକାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ ଓ ନିଦ୍ରା ଏହି ଦଶ ବିକାର ହେଉଛି ରାବଣର ଦଶ ଶିର । ମାନବାତ୍ମା ଯେତେବେଳେ ଜ୍ଞାନ ଯୋଗ ମାର୍ଗରେ ଚାଲୁ ଚାଲୁ ତା’ର ଜୀବନର ଲକ୍ଷ୍ୟ (ଲକ୍ଷ୍ମଣରେଖା) ବିସ୍ମୃତ ହୋଇଯାଏ ସେତେବେଳେ ସେ ଉପରୋକ୍ତ ଦଶ ବିକାର ମଧ୍ୟରୁ କୌଣସି ବିକାର ଦ୍ୱାରା ଆକ୍ରାନ୍ତ ହୋଇପଡ଼େ ଓ ପରମାତ୍ମା ରାମଙ୍କ ଠାରୁ ତା’ର ବିଚ୍ଛେଦ ଘଟେ । ଏହାହିଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ସୀତା ହରଣର ଯଥାର୍ଥ ରହସ୍ୟ ।

ରାଜା ରାମ : ଜଣେ ଐତିହାସିକ ପୁରୁଷ

ଭାରତୀୟ ପୁରାଣ ଶାସ୍ତ୍ର ସବୁ କାବି୍ୟକ ଶୈଳୀରେ ରଚିତ । ଏହା ମଧ୍ୟରେ ଥିବା ଐତିହାସିକ ତଥ୍ୟ ଉପମା ଅଳଙ୍କାର, ଆଖ୍ୟାନ, ଉପାଖ୍ୟାନ ଦ୍ୱାରା ଆଚ୍ଛାଦିତ । ତେଣୁ ଏହାକୁ ଆଧୁନିକ ଐତିହାସିକ ଦୃଷ୍ଟିକୋଣରୁ ପର୍ଯ୍ୟବେକ୍ଷଣ ନକରି ଏହା ମଧ୍ୟରେ ଥିବା ଆଧ୍ୟାତ୍ମିକ ସତ୍ୟକୁ ଅନ୍ୱେଷଣ କରିବା ଉଚିତ୍ । ଭାରତରେ ପ୍ରତ୍ୟେକ ଜନମାନସରେ ରାଜା ରାମଙ୍କ ମଧୁର ସ୍ମୃତି ଉଜ୍ଜୀବିତ । ଚରିତ୍ର ନଥିଲେ ଚିତ୍ର ଆସିବ କେଉଁଠୁ? ଏକଦା ଭାରତ ସୁଖ ଶାନ୍ତି ସମୃଦ୍ଧି ଓ ପବିତ୍ରତାରେ ଭରପୂର ଥିଲା । ସତ୍ୟଯୁଗରେ ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣ ଓ ତ୍ରେତୟା ଯୁଗରେ ଶ୍ରୀସୀତା ଓ ଶ୍ରୀରାମଙ୍କ ରାଜତ୍ୱ କାଳରେ ଏହି ସୃଷ୍ଟିହିଁ ସ୍ୱର୍ଗ ଥିଲା । ଏହି ଦୁଇ ଯୁଗ କଳ୍ପର ପ୍ରଥମାର୍ଦ୍ଧ ହୋଇଥିବାରୁ କଳିଯୁଗରେ ମାନବ ଉଦ୍ଧ୍ୱର୍ଲୋକରେ ସ୍ୱର୍ଗର ଅବସ୍ଥିତି କଳ୍ପନା କରିଛି । ସୃଷ୍ଟିର ଯେଉଁ କାଳାବଧିରେ ମାନବ ମନ କୁ୍ଣ୍ଠାରହିତ ତାହାହିଁ ବୈକୁଣ୍ଠ । କବି ଭାଷାରେ “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।” ରାମ ରାଜ୍ୟରେ ସମସ୍ତେ ଦୈବୀ ଗୁଣଯୁକ୍ତ ସତୋଗୁଣୀ, ମର୍ଯ୍ୟାଦା ସମ୍ପନ୍ନ, ହିଂସା ରହିତ, ପବିତ୍ର ତଥା ସୁଖ ଶାନ୍ତି ଓ ସମୃଦ୍ଧିରେ ଭରପୁର ଥିଲେ । ଏହାହିଁ ପୁରାଣ ପ୍ରସିଦ୍ଧ ସ୍ୱର୍ଗ ଅଟେ।

ପରମାତ୍ମାଙ୍କୁ ସ୍ୱର୍ଗର ରଚୟିତା କୁହାଯାଏ । ସେ କିପରି ଏହା ରଚନା କରିଥିଲେ? କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମା ଶିବ ସୃଷ୍ଟିରେ ଅବତରଣ କରି ମନୁଷ୍ୟାତ୍ମା ମାନଙ୍କୁ ଯେଉଁ ଜ୍ଞାନ ଓ ଯୋଗ ଶିକ୍ଷା ଦେଇଥିଲେ ତାହା ଯେଉଁମାନେ ଅନୁସରଣ କରିଥିଲେ ସେମାନେ ହିଁ ତ୍ରେତା ଯୁଗରେ ସ୍ୱ ସ୍ୱ ପୁରୁଷାର୍ଥ ଅନୁରୂପ ଶ୍ରୀ ସୀତା, ଶ୍ରୀ ରାମ ତଥା ତାଙ୍କର ପ୍ରଜା ରୂପରେ ଜନ୍ମ ନିଅନ୍ତି। ଶିବ ଧନୁ ଭଗ୍ନ କରି ରାମ ସୀତାଙ୍କୁ ପ୍ରାପ୍ତ ହୋଇଥିଲେ ବୋଲି ରାମାୟଣରେ ବର୍ଣ୍ଣନା ମିଳେ । ‘ଧନୁ’ ପୁରୁଷାର୍ଥର ପ୍ରତୀକ । ଶିବଧନୁ ଅର୍ଥାତ୍ ଶିବଙ୍କ ଦ୍ୱାରା ନିର୍ଦ୍ଧେଶିତ ପୁରୁଷାର୍ଥ । ଏହି ପୁରୁଷାର୍ଥରେ ଚରମ ସଫଳତା ପ୍ରାପ୍ତି ହେଉଛି ଶିବଧନୁ ଭଗ୍ନର ଦ୍ୟୋତକ । ଉଦାହରଣ ସ୍ୱରୂପ କୌଣସି ବିଦ୍ୟାରେ ଅଦ୍ୱିତୀୟ ସଫଳତା ପ୍ରାପ୍ତିକଲେ କୁହାଯାଏ ଯେ “ଇଏତ ରେକର୍ଡ଼ ଭାଙ୍ଗି ଦେଲେ” । ଯେଉଁ ଋଷି ମୁନି ଓ ଯାଜ୍ଞିକ ନିଜ ନିଜ ଜ୍ଞାନ ଦର୍ଶନ ତଥା କର୍ମକାଣ୍ଡ ପଦ୍ଧତି ଦ୍ୱାରା ମାୟା ରୂପୀ ରାବଣକୁ ପରାସ୍ତ କରିପାରି ନଥିଲେ; ରାମ ଜ୍ଞାନ ବାଣ ଦ୍ୱାରା ତାକୁ ବଧ କରିଥିଲେ ଅର୍ଥାତ୍ ବିକାର ଉପରେ ବିଜୟ ପ୍ରାପ୍ତ କରିଥିଲେ । ଏହି ପ୍ରସଙ୍ଗକୁ ଆଳଙ୍କାରିକ ଭାଷାରେ କୁହାଗଲା ଯେ ସେ ଶିବ ଧନୁ ଭଗ୍ନ କରିଥିଲେ । ରାମ ପୂର୍ବ ଜନ୍ମର ପରୁଷାର୍ଥୀ ଜୀବନରେ ଶେଷ ପର୍ଯ୍ୟନ୍ତ ଆସୁରୀ ପ୍ରବୃତ୍ତି ଗୁଡ଼ିକ ସହିତ ପୁରୁଷାର୍ଥ ରୂପୀ ଧନୁ ଓ ଜ୍ଞାନ ରୂପୀ ବାଣ ଦ୍ୱାରା ଯୁଦ୍ଧ କରି ବିଜୟୀ ହୋଇଥିଲେ । ପରିଣାମ ସ୍ୱରୂପ ତ୍ରେତା ଯୁଗରେ ସୀତାଙ୍କ ସହିତ ତାଙ୍କର ପରିଣୟ ହୋଇଥିଲା ଓ ସେ ସୁଖ ଶାନ୍ତି, ସମୃଦ୍ଧି ପବିତ୍ରତା ପରିପୁର୍ଣ୍ଣ ସ୍ୱର୍ଗୀୟ ସାମ୍ରାଜ୍ୟର ଅଧିକାରୀ ହୋଇଥିଲେ ।

ସଂପ୍ରତି ଶ୍ରୀରାମ ନବମୀ ଅର୍ଥାତ୍ ତ୍ରେତା ଯୁଗୀ ଶ୍ରୀରାମଙ୍କ ଶୁଭ ଜନ୍ମୋତ୍ସବ ଅବସରରେ ଆସନ୍ତୁ ଆମେ ସମସ୍ତେ ପରମାତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ଓ ଯୋଗ ମାର୍ଗର (ଗୀତାଜ୍ଞାନ) ଅନୁସରଣ କରି ନିଜ ନିଜ ଜୀବନକୁ ଦେବ ତୁଲ୍ୟ ସର୍ବଗୁଣ ସମ୍ପନ୍ନ, ସମ୍ପୁର୍ଣ୍ଣ ନିର୍ବିକାରୀ ଓ ପୂର୍ଣ୍ଣ ଅହିଂସକ ରୂପେ ଗଢ଼ି ତୋଳି ରାମରାଜ୍ୟ ସ୍ଥାପନାରେ ଈଶ୍ୱରୀୟ ପରିକଳ୍ପନାକୁ ସଫଳ ରୂପାୟନ କରିବା ।

ଶିବଶକ୍ତି ହୋମିଓ ସେବାସଦନ
କାଦୋପଡା ଗଳି
ବସଷ୍ଟାଣ୍ଡ, ପାଟଣାଗଡ଼

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.