ଉନ୍ମୋଚିତ ହେଲା ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ପ୍ରଫେସର କୃଷ୍ଣଚରଣ ସାହୁଙ୍କ ତୈଳଚିତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡିଶାର ପ୍ରାଚୀନ ସାରସ୍ୱତ ଅନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍ ତଥା ଗବେଷକ ପ୍ରଫେସର କୃଷ୍ଣଚରଣ ସାହୁଙ୍କ ତୈଳଚିତ୍ର ସଂପ୍ରତି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଉନ୍ମୋଚିତ ହୋଇଯାଇଛି।

ସାହିତ୍ୟ ସମାଲୋଚନା, ପ୍ରବନ୍ଧ ରଚନା ଓ ପୋଥି ସମ୍ପାଦନା କ୍ଷେତ୍ରରେ ପ୍ରଫେସର ସାହୁଙ୍କ ଅବଦାନ ଉଲ୍ଲେଖଯୋଗ୍ୟ। ଜଣେ ଛାତ୍ରବତ୍ସଳ ଅଧ୍ୟାପକ,ପତ୍ରିକା ସମ୍ପାଦକ ଓ ପ୍ରାଚୀନ ଓଡ଼ିଆ ସାହତ୍ୟର ମାର୍ଗଦର୍ଶୀ ଗବେଷକ ଭାବେ ସେ ସୁପରିଚିତ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷାସାହିତ୍ୟ ବିଭାଗରେ ଦୀର୍ଘବର୍ଷର ଅଧ୍ୟାପନା କାଳରେ ମାର୍ଗଦର୍ଶନ କରି ତାଙ୍କ କର୍ମମୟ ଜୀବନ ପୁଷ୍ପଳ ଓ ସମୃଦ୍ଧ ହୋଇଥିଲା ବୋଲି ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟବକ୍ତା ପ୍ରଫେସର ସଂଘମିତ୍ରା ମିଶ୍ର, ସମ୍ମାନନୀୟ ଅତିଥି ପ୍ରଫେସର ଉଦୟ ନାରାୟଣ ସାହୁ ଓ ସମ୍ମାନନୀୟ ବକ୍ତା ଡକ୍ଟର ତମସାରାଣୀ ଦାସମହାପାତ୍ର ମତପ୍ରକାଶ କରିଥିଲେ। ପ୍ରଫେସର ସାହୁଙ୍କ ଜାମାତା ଡାକ୍ତର ବିଜୟ କୁମାର ସେନାପତି ସ୍ମୃତିଚାରଣ କରିଥିଲେ।

ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଉପସଭାପତି ଜୀବନାନନ୍ଦ ଅଧିକାରୀ ଅତିଥିମାନଙ୍କୁ ସ୍ୱାଗତ, ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ଆଦିତ୍ୟପ୍ରତାପ ଧଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ସଂଗଠନ ସମ୍ପାଦକ ଡକ୍ଟର ସୁନାମଣି ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ଆମନ୍ତ୍ରଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟା ବିଜୟଲକ୍ଷ୍ମୀ ନାୟକ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ
ରାଧାଶ୍ୟାମ ରାଉଳ।

ଅନ୍ୟମାନଙ୍କ ମଧ୍ୟରେ ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ବ୍ରହ୍ମାନନ୍ଦ ମହାନ୍ତି, ଶଶିକାନ୍ତ ରାଉତ, ମୁରଲୀଧର ଶତପଥୀ, ତପନ କୁମାର ସ୍ୱାଇଁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ନଟବର ଶତପଥୀ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ପ୍ରାଧ୍ୟାପକ ତରୁଣ କୁମାର ସାହୁ, ଡକ୍ଟର ପ୍ରଭାତୀ ମିଶ୍ର, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.