ଭୁବନେଶ୍ଵର ଠାରେ ଜୁନ ୨୫ରେ ହେବ କନହେଇଲାଲ ଦାସ ଜୟନ୍ତୀ ସମାରୋହ

‘କନହେଇ କଥା ପୁରସ୍କାର’ ପାଇବେ ଗାଳ୍ପିକ ସରୋଜ ବଳ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଯୁବପିଢିର ପ୍ରମୁଖ କଥାକାର ଭାବରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସରୋଜ ବଳଙ୍କୁ ଚଳିତ ବର୍ଷ ‘କନହେଇ କଥା ପୁରସ୍କାର ୨୦୨୫’ ପ୍ରଦାନ କରାଯିବ। ଓଡ଼ିଆ କଥାସାହିତ୍ୟର ପ୍ରତିଭାବାନ ଗାଳ୍ପିକ ସ୍ବର୍ଗତ କନହେଇଲାଲ ଦାସଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତି ବର୍ଷ ୫୦ ବର୍ଷ ବୟସ ସୀମାରେ ଜଣେ ଯୋଗ୍ୟ ଗାଳ୍ପିକଙ୍କୁ ପ୍ରଦାନ କରାଯାଇଥାଏ।

ବାଲେଶ୍ବର ସର୍କିଟ ହାଉସରେ ଆଜି ଏ ଉପଲକ୍ଷେ କନହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନ ବିଷୟରେ ଆଲୋଚନା କରାଯାଇଥିଲା।

ଗାଳ୍ପିକ ତଥା ସ୍ମୃତି ସଂସଦର ଆବାହକ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅଧ୍ଯକ୍ଷତା କରିଥିଲେ ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର।

ପ୍ରାରମ୍ଭରେ ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମତାଲିକା ପ୍ରକାଶ କରଥିଲେ। ପରେ ସର୍ବସମ୍ମତି କ୍ରମେ ସରୋଜ ବଳଙ୍କୁ ଏହି ପୁରସ୍କାର ଲାଗି ମନୋନୀତ
କରା ଯାଇଥିଲା। ପରେ ପରେ ବିଧାୟକ ଭାବେ ଏକ ବର୍ଷ ପୂରଣ କରୁଥିବାରୁ ଗୌତମବୁଦ୍ଧ ଦାସଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।

ସଂସଦର ସମ୍ପାଦକ ଉତ୍ପଳ ମହାନ୍ତି ଚଳିତ ବର୍ଷ ଭୁବନେଶ୍ଵର ଠାରେ ଆୟୋଜିତ ହେବାକୁ ଥିବା ଜୟନ୍ତୀ ସମାରୋହର ରୂପରେଖ ସମ୍ପର୍କରେ ଆଲୋଚନା କରିଥିବା ବେଳେ ସମାରୋହ ଭୁବନେଶ୍ଵର ସ୍ଥିତ ଗୀତଗୋବିନ୍ଦ ଭବନରେ ଜୁନ୍ ୨୫ ତାରିଖ ସନ୍ଧ୍ୟା ୬ଟାରେ ହେବାକୁ ସ୍ଥିର କରାଯାଇଥିବା ବିଷୟରେ ସୂଚନା ଦେଇଥିଲେ। ଏହି ସମାରୋହ ଓଡିଶା ସାହିତ୍ୟ ଏକାଡେମୀ ସହଭାଗିତାରେ କରାଯିବାକୁ ଏକାଡେମୀ ପକ୍ଷରୁ ସଚିବ ଚନ୍ଦ୍ରଶେଖର ହୋତା ସମ୍ମତି ପ୍ରଦାନ କରିଛନ୍ତି।

ଏଥିରେ ଉଦଘାଟକ ଭାବେ ଉଚ୍ଚଶିକ୍ଷା ତଥା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କଥାକାର ଅଜୟ ସ୍ଵାଇଁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ଅବସରରେ କନହେଇ କଥା ପୁରସ୍କାର ବିଜେତା ସରୋଜ ବଳଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ସହ ୧୦ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ। ପୂର୍ବ ବର୍ଷ ମାନଙ୍କରେ ଏହି ପୁରସ୍କାର ଚିରଶ୍ରୀ ଇନ୍ଦ୍ର ସିଂ(୨୦୧୫), ଆଦିତେଶ୍ଵର ମିଶ୍ର, ମୋନାଲିସା ଜେନା, ହିରଣ୍ମୟୀ ମିଶ୍ର, ଅମରେଶ ବିଶ୍ବାଳ, ବିରଜା ରାଉତରାୟ, ରାଜେନ୍ଦ୍ର ରାଉଳ, ଚିତ୍ତରଞ୍ଜନ ଚିରଞ୍ଜିତ(୨୦୨୪) ପ୍ରମୁଖ ଗ୍ରହଣ କରିଛନ୍ତି। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ବର ବିଧାୟକ ଅଶ୍ଵିନୀ ପାତ୍ର, ନିବାରଣ ଜେନା, ବ୍ୟୋମନାଥ ରଥ, ଯାଦବେଶ ମିଶ୍ର, ଅଭୟ ଦାସ, ରାମନାରାୟଣ ଦେ, ସ୍ମୃତି ଦାସ, ଶୁଭେନ୍ଦୁ ଦାସ, ରାଜେଶ ଗିରି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.