ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ବାପ-ମା’ଙ୍କ ଆକୁଳ ନିବେଦନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବେନଗାଁର ଅଜିତ ହରିଜନଙ୍କୁ ପୁଅ ପ୍ରକାଶ ହରିଜନ। ଗତ ମଙ୍ଗଳବାର ସକାଳ ୧୦ଟାରେ ମାଆ ବାଲମତି ଚୂଲିରେ ଭାତ ରୋଷେଇ ପାଇଁ ପାଣି ବସେଇଦେଇ ବାହାରକୁ ଯାଇଥିଲେ। ଏହି ସମୟରେ ଘର ନିକଟରେ ଖେଳୁଥୁଲା ପ୍ରକାଶ ଖେଳୁ ଖେଳୁ ଶୋଷ ଲାଗିବାରୁ ଘର ଭିତରକୁ ପଶିଥିଲା। ଗରମ ପାଣି ତା’ ଉପରେ ଢାଳି ହୋଇଗଲା। ଅତିମାତ୍ରାରେ ଗରମ ପାଣି ଉପରେ ପଡିଯିବାରୁ ଦେହର ବିଭିନ୍ନ ଅଂଶରୁ ଛାଲ ଉତୁରି ଯାଇଥିବାବେଳେ ମଙ୍ଗଳବାର ଅତ୍ୟନ୍ତ ଗୁରୁତର ପ୍ରକାଶକୁ ମା’ ଓ ପରିବାର ଲୋକେ ପ୍ରଥମେ ବିଶ୍ବନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ କିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପ୍ରକାଶର ଚିକିତ୍ସା ଚାଲିଛି ସତ କିନ୍ତୁ ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ହେଉନାହିଁ।ବାପା ଅଜିତ ହରିଜନ ନିଜ ଅଞ୍ଚଳରେ କାମ ନ ମିଳିବାରୁ କେରଳ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ପୁଅ ପ୍ରକାଶ ଗୁରୁତର ଖବର ପାଇ ସେ ସାଙ୍ଗେ ସାଙ୍ଗେ ବାହାରି ଗୁରୁବାର ଦିନ ଭବାନୀପାଟଣା ହସ୍ପିଟାଲରେ ଆସି ପହଞ୍ଚି ଥିଲେ। ଅଜିତ ନିଜର ଗୋଟିଏ ବୋଲି ପୁଅର ଚିକିତ୍ସା ପାଇଁ ଧାରକରଜ କରି ସର୍ବସ୍ୱାନ୍ତ ହେଲେଣି। ବର୍ତମାନ ଡାକ୍ତରମାନେ ଏଇଠି ଭଲ ହେବା ମୁସ୍କିଲ, କୌଣସି ବଡ଼ ହସ୍ପିଟାଲ କିମ୍ବା ବେସରକାରୀ ହସ୍ପିଟାଲକୁ ନେଇଯାଅ ବୋଲି କହିବାରୁ ତାଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ସରକାରଙ୍କ ବିଭିନ୍ନ ସ୍ଵାସ୍ଥ୍ୟସେବା ଯୋଜନା ଥିଲେ ବି ଅଜ୍ଞତାବଶତଃ ସେସବୁର ଲାଭ ଉଠାଇପାରୁ ନାହାନ୍ତି ପ୍ରକାଶଙ୍କ ପରିବାର। ଶେଷରେ ଜିଲ୍ଲାପାଳଙ୍କୁ ସହାୟତା ପାଇଁ ନିବେଦନ କରିବାରୁ ସରପଞ୍ଚ, ସମିତି ସଭ୍ୟଙ୍କଠାରୁ ଲେଖେଇ ଆଣ ବୋଲି କହିବାରୁ ସେ ଆହୁରି ହରଡ଼ଘଣାରେ ପଡିଛନ୍ତି। ପରିବାରରେ ସ୍ଵାମୀ ସ୍ତ୍ରୀ ଓ ଗୋଟିଏ ବୋଲି ପୁଅ ହୋଇଥିବାରୁ ପୁଅକୁ ଛାଡ଼ି ଘରକୁ ଯାଇପାରୁଛନ୍ତି ନା ହସ୍ପିଟାଲରେ ରହିପାରୁଛନ୍ତି। ଅଜିତ ଶେଷରେ ପୁଅର ଚିକିତ୍ସା ପାଇଁ ସେ ସରକାର, ପ୍ରଶାସନ, କିମ୍ବା କୌଣସି ସ୍ୱେଛାସେବୀ ସଂଗଠନ, ବ୍ୟକ୍ତି ବିଶେଷ ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କରିଛନ୍ତି।