ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପୁଣି ଥରେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ କଲେଜ । ଏବେ ଏହି କଲେଜର ଜଣେ ଛାତ୍ର ହଷ୍ଟେଲରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ଛାତ୍ରଙ୍କ ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନିଖୋଜ ଛାତ୍ର ହେଉଛନ୍ତି କୋକସରା ଥାନା ଚନ୍ଦାମୁଣ୍ଡା ଗ୍ରାମର ତ୍ରିନାଥ ରାଣା (୨୧) । ଛାତ୍ରଙ୍କ ବାପା ସୁରେନ୍ଦ୍ର ରଣାଙ୍କ ଅଭିଯୋଗରୁ ଜଣାଯାଏ ଯେ ତାଙ୍କ ମହାଲିଙ୍ଗ ବିଜ୍ଞାନ କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଭାବେ କଲେଜର ହଷ୍ଟେଲରେ ରହି ପଢୁଥିଲେ । ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ତାର ହଷ୍ଟେଲରେ ରହୁଥିବା ସାଙ୍ଗମାନେ ତ୍ରିନାଥ ସକାଳ ୫ ଘଣ୍ଟା ସମୟରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ପରିବାର ଲୋକେ ମହାଲିଙ୍ଗ ତଥା ଅନେକ ସ୍ଥାନରେ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ଖବର ନମିଳିବାରୁ ଆଜି ଛାତ୍ରଙ୍କ ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କେଗାଁ ଥାନା କେସ ନମ୍ୱର ୩୪/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି କେଗାଁ ପୋଲିସ ।