ମ.ରାମପୁରକୁ ଭଣ୍ଡାଇଦେଲେ ରାଜ୍ୟ ସରକାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟରେ ୧୬ଟି ନୂଆ ଏନଏସି ଓ ୭ଟି  ମ୍ୟୁନିସପାଲିଟି ଗଠନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଏନଏସି ତାଲିକାରେ କଳାହାଣ୍ଡି ଜିଲ୍ଲାର ନର୍ଲା ଓ ଜୟପାଟଣା ରହିଥିବାବେଳେ ମ.ରାମପୁର ପୁଣି ବାଦ୍ ପଡ଼ିଛି। ଜିଲ୍ଲାର ପ୍ରମୁଖ ଦାବିଦାର ଥିବା ମ.ରାମପୁରକୁ ଅଣଦେଖା କରାଯାଇଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନଏସି ମାନ୍ୟତା ପାଇବା ପାଇଁ ରହିଥିବା ମାନଦଣ୍ଡ ପୂରଣ କରୁଥିବା ମ.ରାମପୁର ଏହି ମାନ୍ୟତା ପାଇଁ ଦୀର୍ଘ ବର୍ଷରୁ ଦାବି କରି ଆସୁଛି। ତତ୍କାଳୀନ ବିଜେଡ଼ି ସରକାରଙ୍କ ସମୟରେ ମ.ରାମପୁରକୁ ଏନଏସି ଘୋଷଣା କରାଯାଇଥିଲା କିନ୍ତୁ ସରକାର ବଦଳିବା ପରେ ଏହି ନିଷ୍ପତ୍ତିକୁ ଚାପି ଦିଆଯାଇଛି। ଗତ ଅଗଷ୍ଟ ୨୫ରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ୱାଭିମାନ ବିକାଶ ମଞ୍ଚ ମ.ରାମପୁରକୁ ଏନଏସି ମାନ୍ୟତା ପ୍ରଦାନ ଦାବୀ ନେଇ ବିଶାଳ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଥିଲା। ହେଲେ ମ.ରାମପୁରର ଦାବିକୁ ଶୁଣିଲେନି ରାଜ୍ୟ ସରକାର। ଏନେଇ ରବିବାର ସନ୍ଧ୍ୟାରେ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାର ତୁରନ୍ତ ମ.ରାମପୁରକୁ ଏନଏସି ଘୋଷଣା ନକଲେ ଭୟାବହ ଆନ୍ଦୋଳନ ହେବ ବୋଲି ଏଥିରେ ମତପ୍ରକାଶ ପାଇଥିବା ଜଣାପଡିଛି। ଏନଏସି ମାନ୍ୟତା ଦାବି ନେଇ ମ.ରାମପୁରବାସୀ ଆନ୍ଦୋଳନ ପାଇଁ  ସଜବାଜ ହେଉଛନ୍ତି। ଏନେଇ ନର୍ଲା ବିଧାୟିକା ମନୋରମା ମହାନ୍ତି କହିଛନ୍ତି, ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବୀ ହେଉଛି ନର୍ଲା ଓ ମ.ରାମପୁର ଦୁଇଟି ସହରକୁ ଏନଏସି ଘୋଷଣା କରିବା। ବର୍ତ୍ତମାନ ସରକାର ନର୍ଲାକୁ ଏନଏସି ଘୋଷଣା କରିଛନ୍ତି, ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ମ.ରାମପୁରକୁ ପୁଣି ବାଦ୍ ଦିଆଗଲା ଯାହା ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି। ମ.ରାମପୁରକୁ ତୁରନ୍ତ ଏନଏସି ଘୋଷଣା ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଧାୟିକା ଶ୍ରୀମତୀ ମହାନ୍ତି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.