ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କୋଲନରା ଅଞ୍ଚଳରୁ ୨ଗୋଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇସ୍ଥିତ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ ଜଣ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ ୨ ଜଣ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡ଼ିଛି | ସୂଚନାରୁ ଜଣାପଡ଼ିଛି ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଞ୍ଚଳର ଅନ୍ୟ ୨ ଜଣ ବ୍ୟକ୍ତି ମହାରାଷ୍ଟ୍ର ରାଜ୍ୟର ମାତିନଗର ଅଞ୍ଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡ଼ାକୁ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିଲା | କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡାଇରେକ୍ଟର ଅଫ୍ ରେଭିନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ୍ କରିଥିଲେ | ଏନେଇ ରାୟଗଡ଼ା ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡ଼ା ବିକ୍ରି କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର କାମେଶ୍ବର ଆଚାରୀ ସୂଚନା ଦେଇଛନ୍ତି । ଏହି କଲରାପତରିଆ ବାଘ ଚମଡ଼ାକୁ ଗଜପତି ଜିଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ସୂଚନାରୁ ଜଣାପଡ଼ିଛି I ଉଭୟ ବାଘର ବୟସ ୫ ରୁ ୭ ବର୍ଷ ମଧ୍ୟରେ ରହିଥିବା ନେଇ ଜଙ୍ଗଲ ବିଭାଗ ସୂଚନା ଦେଇଛି I ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସିଏଫ୍ ଅଶୋକ ପ୍ରଧାନ ପ୍ରକାଶ କରିଛନ୍ତି।