ମ.ରାମପୁରକୁ ତୁରନ୍ତ ଏନଏସି ମାନ୍ୟତା ଦିଆଯାଉ -ନର୍ଲା ବିଧାୟିକା ମନୋରମା ମହାନ୍ତି

ନର୍ଲାକୁ ଏନଏସି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୋମବାର ସନ୍ଧ୍ୟାରେ ରୁପ୍ରାରୋଡ ଠାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ସଭାପତି ରୋମାଞ୍ଚ ସାହୁ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନର୍ଲା ଓ ମ.ରାମପୁରକୁ ଏନଏସି ମାନ୍ୟତା ଘୋଷଣା କରିଥିଲେ କିନ୍ତୁ ନୂଆ ବିଜେପି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ ପର୍ଯ୍ୟାୟ ଏନଏସି ତାଲିକାରୁ ନର୍ଲା ଓ ମ.ରାମପୁର ବାଦ ପଡ଼ିଥିଲା। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏହାପରେ ରବିବାର ନର୍ଲାକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ତେଣୁ ତାଙ୍କୁ ଧନ୍ୟବାଦ। କିନ୍ତୁ ମ.ରାମପୁର ପୁଣି ବାଦ୍ ପଡ଼ିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ମ.ରାମପୁରକୁ ଏନଏସି ମାନ୍ୟତା ନଦେବା ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି। ଯଦି ୧୫ ଦିନ ମଧ୍ୟରେ ସରକାର ମ.ରାମପୁରକୁ ଏନଏସି ଘୋଷଣା ନକରନ୍ତି ତେବେ ଭୟାବହ ଆନ୍ଦୋଳନ ହେବ। ନର୍ଲା ନିର୍ବାଚନ ମଣ୍ଡଳୀ ସ୍ବାଭିମାନ ବିକାଶ ମଞ୍ଚ ପୁଣି ରାଜରାସ୍ତାକୁ ଓହ୍ଲାଇ ଚକ ଅଖ ବନ୍ଦ କରି ଆନ୍ଦୋଳନ କରିବ। ଏହି ସମ୍ମିଳନୀରେ   ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.