ଏନପିଏସ ଶିକ୍ଷକ ସଂଘର ୬ ବର୍ଷ ଚୁକ୍ତି ଅବଧି ମିଶ୍ରଣ ଓ ୬ ଗୋଟି ଇଂକ୍ରିମେଣ୍ଟ ଦାବିରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ, କଳାହାଣ୍ଡି ଜିଲ୍ଲାର ସଭାପତି ସାମନ୍ତ କୁମାର ପଟ୍ଟଯୋଶୀ, ସମ୍ପାଦକ ଗିରିଜା ଶଙ୍କର ସାହୁ ଓ ରାଜ୍ୟ ସଂଘ ଆବାହକ ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ୨୦୦୪ ରୁ ୨୦୧୪ ମଧ୍ୟରେ ସରକାରୀ ହାଇସ୍କୁଲରେ ନିଯୁକ୍ତ ଶହ ଶହ ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେମାନେ ୨୦୦୪ ରୁ ୨୦୧୪ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ ସେବାରେ ଥିବା ଅସଙ୍ଗତି ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ଉଦ୍ଦେଶ୍ୟ କରି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଶାନ୍ତିପୂର୍ଣ ଶୋଭାଯାତ୍ରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଲା। ବିଭିନ୍ନ ବ୍ଲକରୁ ଆସିଥିବା ପ୍ରାୟ ୨୦୦ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଓଡ଼ିଶା ସରକାର ୨୦୦୪ ରୁ ୨୦୨୨ ମଧ୍ୟରେ ସମସ୍ତ ହାଇସ୍କୁଲରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତ କରିଥିଲେ। ସରକାରୀ ନିୟମ ଅନୁଯାୟୀ, ୬ ବର୍ଷ ନିୟମିତ ସେବା କରିଥିବା ଶିକ୍ଷକମାନେ ନିୟମିତ ହେବେ। ସେହି ଅନୁସାରେ, ୨୦୦୪ ରୁ ୨୦୧୪ ମଧ୍ୟରେ ନିଯୁକ୍ତ ଶିକ୍ଷକମାନେ ୬ ବର୍ଷ ସେବା ପରେ ନିୟମିତ ହୋଇଥିଲେ। କିନ୍ତୁ, ୨୦୨୨ ନଭେମ୍ବରରେ ତତ୍କାଳୀନ ସରକାର ଚୁକ୍ତିଭିତ୍ତିକ ନିୟମ ରଦ୍ଦ କରି ୨୦୧୩ ପରେ ନିଯୁକ୍ତ ଶିକ୍ଷକମାନଙ୍କୁ ନିୟମିତ କରି ସେମାନଙ୍କୁ ନିୟମିତ ଚାକିରିରେ ଯୋଗଦାନ ଦିନଠାରୁ ସମସ୍ତ ସୁବିଧା ପ୍ରଦାନ କଲେ। ଦୁର୍ଭାଗ୍ୟବଶତଃ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଗଲା, ଯାହା ଫଳରେ ବରିଷ୍ଠ ଶିକ୍ଷକମାନେ କନିଷ୍ଠ ଶିକ୍ଷକଙ୍କ ତୁଳନାରେ କମ ଦରମା ପାଇଲେ। 

Pearl dental clinic
Near Ashish Medical Store, Bhawanipatna

୨୦୨୩ରେ ସରକାର ଏକ ଏସଓପି (SOP) ଜାରି କରି ଏହି ଅସଙ୍ଗତି ଦୂର କରିବାକୁ ଚେଷ୍ଟା କଲେ, କିନ୍ତୁ ଦୁଃଖର ବିଷୟ ଯେ, ୨୦୦୪ ରୁ ୨୦୧୦ ମଧ୍ୟରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଗଲା। ଏହା ଫଳରେ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ମଧ୍ୟରେ ବର୍ଗୀକରଣ ସୃଷ୍ଟି ହେଲା। ୨୰୦୪ ରୁ ୨୦୧୪ ମଧ୍ୟରେ ନିଯୁକ୍ତ ଶିକ୍ଷକମାନେ ବାରମ୍ବାର ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଅନୁରୋଧ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଏହି ଦାବି ପ୍ରତି ଧ୍ୟାନ ଦେଇନାହାନ୍ତି।

Udyog Nursery
Udyogi Nursery

ରାଜ୍ୟ ସଂଘର ଆବାହକ ସରୋଜ କୁମାର ସାହୁ କହିଛନ୍ତି ଯେ, ଯଦି ସରକାର ଆସନ୍ତା ୨୨ ସେପ୍ଟେମ୍ବର ପୂର୍ବରୁ ଆମର ନ୍ୟାୟପୂର୍ଣ୍ଣ ଦାବି ପୂରଣ ନ କରନ୍ତି, ତେବେ ୨୨ ସେପ୍ଟେମ୍ବରରେ ରାଜ୍ୟ ସଂଘର ଆହ୍ୱାନରେ କଳାହାଣ୍ଡିରୁ ଶହ ଶହ ଶିକ୍ଷକ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ଆନ୍ଦୋଳନରେ ଯୋଗ ଦେଇ ଶିକ୍ଷକଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବେ। 

ସଂଘର ସଭାପତି ସାମନ୍ତ କୁମାର ପଟ୍ଟଯୋଶୀ କହିଛନ୍ତି ଯେ, ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକଙ୍କ ମଧ୍ୟରେ ସରକାର ଯେଉଁ ବର୍ଗୀକରଣ କରିଛନ୍ତି, ତାହା ଦୂର କରିବା ପାଇଁ ସରକାର ଅବିଳମ୍ବେ ଟାଳଟୁଳ ନୀତି ତ୍ୟାଗ କରି ଚୁକ୍ତିଭିତ୍ତିକ ୬ ବର୍ଷ ଅବଧିକୁ ନିୟମିତ ଚାକିରିରେ ମିଶ୍ରଣ କରି ୬ଟି ଇଂକ୍ରିମେଣ୍ଟ ପ୍ରଦାନ କରନ୍ତୁ। ସଂଘର ସମ୍ପାଦକ ଗିରିଜା ଶଙ୍କର ସାହୁ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅସଙ୍ଗତିକୁ ଶୀଘ୍ର ଦୂର କରାଯାଉ, ନଚେତ୍ ଶିକ୍ଷକମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ। ଯଦି ଶିକ୍ଷକଙ୍କ ନ୍ୟାୟପୂର୍ଣ୍ଣ ଦାବି ପୂରଣ ନ ହୁଏ, ତେବେ ରାଜ୍ୟ ସଂଘର ଆହ୍ୱାନରେ ଆସନ୍ତା ୨୨ ସେପ୍ଟେମ୍ବରଠାରୁ କଳାହାଣ୍ଡିରୁ ୪୦୦ରୁ ଅଧିକ ଶିକ୍ଷକ ଭୁବନେଶ୍ୱରରେ ଆୟୋଜିତ ଆନ୍ଦୋଳନରେ ଯୋଗ ଦେବେ। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୦୪ ରୁ ୨୦୧୪ ମଧ୍ୟରେ ନିଯୁକ୍ତ ଅଧିକାଂଶ ଶିକ୍ଷକ ପ୍ରଧାନ ଶିକ୍ଷକ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ କିମ୍ବା ବରିଷ୍ଠ ଶିକ୍ଷକ ଭାବେ ଦାୟିତ୍ୱ ପାଳନ କରୁଛନ୍ତି। ଯଦି ଏହି ଶିକ୍ଷକମାନେ ଆନ୍ଦୋଳନରେ ଯୋଗ ଦିଅନ୍ତି, ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ତାହା ପାଇଁ ସରକାର ଦାୟୀ ରହିବେ।

ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ପ୍ରଣତି ମହାପାତ୍ର, ଶକ୍ତି ପ୍ରସାଦ ମେହେର, ରିଖିରାମ ବେହେରା, ଶିବଶଙ୍କର କର, ପୁଷ୍ପଧ୍ୱଜ ବାଗ, ଅଶୋକ କୁମାର ବିଶ୍ୱାଳ, ଶମ୍ଭୁ ଭୂଷଣ ସାହୁ, ଅତୁଲ୍ୟ ପ୍ରଧାନ, ତପନ ଭୋଇ, ଅଭୟ ଗଡ଼ତିଆ, ଗୋକୁଳ ଚନ୍ଦ୍ର ପ୍ରଧାନ, ସଞ୍ଜୀବ ଶର୍ମା, ବୀରେନ୍ଦ୍ର କୁମାର ଆଚାର୍ଯ୍ୟ, ନୀଳାଞ୍ଚଳ ପାନ, ଚନ୍ଦନ ସାହୁ, ଦୀପ୍ତିମୟୀ ସିଂ ଓ ଶହ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.