ଓଡ଼ିଆ ବାର୍ତ୍ତା/ ନୂଆପଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଓଡ଼ିଶାର ଜନଜୀବନ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ହସ୍ତଗତ ହେବାରେ ଲାଗିଛି। ଜିଲ୍ଲାର ବୋଡ଼େନ ବ୍ଲକ ଝରଣାମାଲ ଗାଁର ଚାଷୀମାନେ ଏହି ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଖେତରେ ପାଣି ଜମିଥିବାରୁ ଉତ୍ପାଦିତ ହେବାକୁ ଥିବା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ସେହିପରି କପା ଚାଷ ମଧ୍ୟ ନଷ୍ଟ ହୋଇ ଉତ୍ପାଦନ ହ୍ରାସ ହେବାର ଆଶଙ୍କା ଦେଖାଦେଇଛି। ଅନେକ ଚାଷୀ ଋଣ ନେଇ ଚାଷ କରିଥିବାରୁ ଚିନ୍ତିତ ହୋଇ ପଡିଛନ୍ତି। ଯଥାଶୀଘ୍ର କୃଷିକ୍ଷେତ୍ରର ସର୍ବେ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଚାଷୀ ଓ କୃଷକ ସଂଗଠନଗୁଡ଼ିକ ପ୍ରଶାସନଙ୍କୁ ଦାବି କରିଛନ୍ତି। ତେବେ ଝରଣମାଳ ଗାଁ ସମେତ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ଚାଷୀମାନେ ଉଣା ଅଧିକେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଯୋଗାଇ ଦେବାକୁ ଦାବୀ କରିଛନ୍ତି ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲ୍ଲା ସଭାପତି ଦିଗପାଳ ନାଗ।