ପଞ୍ଚୁକ ପାଇଁ ପରିବା ଦର ଆକାଶ ଛୁଆଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶୀତ ଦିନରେ ସାଧାରଣତଃ ପରିବା ର ବହୁଳ ଉତ୍ପାଦନ ଫଳରେ ବଜାରରେ ପ୍ରଚୁର ପରିମାଣରେ ସବୁଜ ପରିବା ଉପଲବ୍ଧ ହୋଇଥାଏ। ଚଳିତ ବର୍ଷ ନର୍ଲା ଅଞ୍ଚଳରେ ଉତ୍ତମ ବର୍ଷା ଯୋଗୁଁ ପରିବା ମଧ୍ୟ ଯଥେଷ୍ଟ ଉତ୍ପାଦିତ ହୋଇଥିବା ବେଳେ ପରିବା ର ଦରଦାମ ରେ କିନ୍ତୁ ପରିବର୍ତ୍ତନ ଆସିନାହିଁ। ଧର୍ମର ମାସ କାର୍ତ୍ତିକ ମାସରେ ସାଧାରଣତଃ ଲୋକେ ଆମିଷ ଭୋଜନ ଠାରୁ ଦୂରେଇ ରହୁଛନ୍ତି। ଏବଂ ବିଶେଷ ଭାବରେ ପରିବା ପ୍ରତି ମନୋନିବେଶ କରୁଥିବାରୁ ଏହାକୁ ଲକ୍ଷ୍ୟ କରି ପରିବା ବ୍ୟବସାୟୀ ମାନେ ଏହାର ଭରପୁର ଫାଇଦା ଉଠାଉଛନ୍ତି। ଯାହା ଫଳରେ ପରିବା ଦର ସାଧାରଣ ଦିନ ଅପେକ୍ଷା ଦୁଇଗୁଣ ବୃଦ୍ଧି ପାଇଥିବା ଅନୁଭୁତ ହେଉଛି। ଫୁଲକୋବି, ଝୁଡଙ୍ଗ, ପୋଟଳ, ଭେଣ୍ଡି, ବାଇଗଣ ପ୍ରଭୃତି ପରିବା ଅଞ୍ଚଳର ଚାଷୀ ଉତ୍ପାଦନ କରୁଥିବା ବେଳେ, ଟମାଟୋ, ଆଳୁ, କୋବି, ଓଉ, ଗାଜର, ବିଟ୍ ଭଳି ନିତ୍ୟବ୍ୟବହାର୍ଯ୍ୟ ଓ ଅପରିହାର୍ଯ୍ୟ ପରିବା ସୁଦୁର ଆନ୍ଧ୍ର ପ୍ରଦେଶର ବିଜୟନଗରମ୍‌, ପାର୍ବତୀପୁରମ୍ ଓ ଛତିଶଗଡ ରାଜ୍ୟର ରାୟପୁର, ଦୁର୍ଗ ପ୍ରଭୃତି ସହରରୁ ଏଠାକୁ ଆମଦାନୀ ହୋଇ ଆସିଥାଏ। ବିଶେଷ କରି ଅଁଳା ନବମୀ ଠାରୁ ପ୍ରାୟତଃ ୯୮ ପ୍ରତିଶତ ଲୋକ ଆମିଷ ବର୍ଜନ କରୁଥିବାରୁ ଆମିଷ ର ଦର ଯଥେଷ୍ଟ ଖସିଯିବା ସହ ଚାହିଦା ମଧ୍ୟ ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷେ ଖାଉଟି ମାନଙ୍କ ପାଇଁ ପରିବା ଦର ଏହି ୭ ଦିନ ଆକାଶଛୁଆଁ ହୋଇଯିବ। ଏବଂ ବର୍ତ୍ତମାନ ଠାରୁ ପରିବା ଦରବୃଦ୍ଧି ହୋଇସାରିଲାଣି। ବିଶେଷ କରି କୁଜିସାରୁ, କଞ୍ଚା କଦଳୀ, ବୋଇତିକଖାରୁ, ଓଉ, ଅମୃତଭଣ୍ଡା, କନ୍ଦମୂଳ ପ୍ରଭୃତି କାର୍ତ୍ତିକିଆ ପରିବା ଦର କଥା ନକହିବା ଭଲ। ସଜନା ଛୁଇଁ, ଲାଉ, ପୋଟଳ ଭଳି ପରିବା ଯାହାକୁ ଶାସ୍ତ୍ର ମତରେ ଆମିଷ ବୋଲି ଧରି ନିଆଯାଇଛି ଏହି ପଞ୍ଚୁକରେ ସେ ସବୁର ଆଦର ନାହିଁ। ଏବଂ ଅନ୍ୟ ପରିବା ଗୁଡିକ ଅପେକ୍ଷା ଏ ସବୁର ବଜାର ଦର ମଧ୍ୟ ଅପେକ୍ଷାକୃତ କମ୍ ରହିଛି। ଏଣୁ ପଞ୍ଚୁକ ସରିଲେ ହିଁ ପରିବା ଦରରେ ସାମାନ୍ୟତା ଆସିବ ବୋଲି ଜଣାପଡୁଛି। ତା ପରେ ଛାଡଖାଇ ଓ ଆମିଷ ଚିନ୍ତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.