ଅସୁରଗଡରେ ପଞ୍ଚୁକ ପୁରାଣ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର କାର୍ତ୍ତିକ ମାସ। ଏହା ଧର୍ମର ମାସ। କାର୍ତ୍ତିକ ବ୍ରତୀ ମାନେ ମାସ ସାରା ବଡି ଭୋରରୁ ବୁଡ ପକାଇ ରାଧାକୃଷ୍ଣଙ୍କ ପୂଜା କରି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ବିଶେଷ କରି ଅଁଳା ନବମୀରୁ ଆରମ୍ଭ ହୋଇଯାଇଥାଏ କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା କାର୍ଯ୍ୟକ୍ରମ। ବ୍ରତୀ ମାନେ ଏକ ଓଳି ହବିଷ୍ୟ କରି ପୂଜା ମଣ୍ଡପରେ ପୁରାଣ ଶୁଣି ପାଳିଥାନ୍ତି କାର୍ତ୍ତିକ ବ୍ରତ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗାଁ ଗାଁ ରେ ଚାଲିଛି କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା କାର୍ଯ୍ୟକ୍ରମ। ନର୍ଲା ବ୍ଲକ ଅଞ୍ଚଳରେ ୨୫୦ ରୁ ଉର୍ଦ୍ଧ୍ୱ ସ୍ଥାନରେ ଚାଲିଛି ଏହି ପଞ୍ଚୁକରେ ପୁରାଣ ପୂଜନ କାର୍ଯ୍ୟକ୍ରମ। ସେହିଭଳି ନର୍ଲା, ମାଣ୍ଡେଲ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ସର୍ଗିଗୁଡା ପ୍ରହରୀ ମଣ୍ଡପ, ସର୍ଗିଗୁଡା ମାଝୀପଡା, ବିଞ୍ଝାଲପଡା, ଡିଗିରାପଡା, ଭଟାଙ୍ଗ, ଶାନ୍ତିନଗର ପଡା, ପଟାଙ୍ଗପଡା, ଉଲିସିର୍କା, ବାଙ୍କେଲ, ନର୍ଲା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନର୍ଲା ତ୍ରୀନାଥ ମନ୍ଦିର, ଉପରପଡ଼ା, କଲେଜରୋଡ଼ ପଡ଼ା, ମାଝୀପଡ଼ା, କଲୋନୀ ପଡ଼ା, ରେଖପୁର, ରେଗଡିମାଳ, ଡଙ୍ଗରମାଳ, ଜୁର୍କାଭଟା ଏଭଳି ପ୍ରଭୃତି ସ୍ଥାନରେ ପଞ୍ଚୁକ ପାଇଁ କାର୍ତ୍ତିକ ବ୍ରତ ଓ ପୁରାଣ ବସା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ ଶ୍ରୀ ରାମ ମନ୍ଦିର ଠାରେ ଭବ୍ୟ ଭାବରେ ଚାଲିଛି ପଞ୍ଚୁକ ପୁରାଣ ପୂଜା ଓ କାର୍ତ୍ତିକ ବ୍ରତ। ଏନେଇ ଶନିବାର ଅପରାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ସକାଳୁ ଆରମ୍ଭ ହୋଇଛି ପଞ୍ଚୁକ ପୁରାଣ ପୂଜା ଓ କାର୍ତ୍ତିକ ବ୍ରତ। ପରିଚାଳନା କମିଟିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାର କାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁରାଣ ପୂଜା ଅନୁଷ୍ଠିତ ହୋଇଛି। କମିଟିର ସଭାପତି ଶ୍ରୀ ପଧାନ ଓ ତାଙ୍କ ସହଧର୍ମିଣୀ ହାରାମଣି ପଧାନ କର୍ତ୍ତା ଦାୟୀତ୍ୱ ନିର୍ବାହନ କରୁଥିବା ବେଳେ ବ୍ରହ୍ମା ପଣ୍ତିତ ଶ୍ରୀ ରାମ ମନ୍ଦିର ର ସ୍ଥାୟୀ ପୂଜାରୀ ଶେଷଦେବ ପାଢୀ ପୁରାଣ ପାଠ ଓ ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି। ୫୦ ରୁ ଉର୍ଦ୍ଧ୍ୱ ବ୍ରତୀ କାର୍ତ୍ତିକ ବ୍ରତ ପାଳନ କରି ପୁରାଣ ଶୁଣୁ ଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ଭଗବାନ ରଣା, ଅଭି ଗୌଡ଼, ଗୋପାଳ ଛୁରିଆ, ଭରତ ମାଝୀ, ବେଣୁଧର ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣା ପଡ଼ିଛି। ସେହିଭଳି ବିଞ୍ଝାଲପଡାରେ ଆଧ୍ୟାତ୍ମବାଦ, ଧର୍ମ ପରାୟଣ ବ୍ୟକ୍ତି ତୀର୍ଥବାସୀ ପଧାନଙ୍କ ଉଦ୍ୟୋଗ କ୍ରମେ ଜେମାମଣି ପଧାନଙ୍କ ସହଯୋଗ ରେ ମାସବ୍ୟାପି ଚାଲିଛି ପୁରାଣ ପୂଜନ କାର୍ଯ୍ୟକ୍ରମ। ଏହାର ମଧ୍ୟ ପୂର୍ଣ୍ଣମି ଦିନ ପୂର୍ଣ୍ଣାହୂତି ପଡିବ। ପଞ୍ଚୁକ ପାଞ୍ଚଦିନ ବ୍ୟାପି ଏହି ପୁରାଣ ପୂଜା ଓ ପୁରାଣ ପଠନ କାର୍ଯ୍ୟକ୍ରମ ମାନ ଗାଁ ଗାଁ ରେ ଚାଲୁଥିବା ବେଳେ ଏହା କାର୍ତ୍ତିକ ପୂର୍ଣ୍ଣିମା ବୁଧବାର ସକାଳେ ପୂର୍ଣ୍ଣାହୁତି ପଡିବ।ଏହା ଆଜିକାର ପରମ୍ପରା ନୁହଁ। ଆବହମାନ କାଳରୁ ଓଡିଶାର ପୁର ପଲ୍ଲୀରେ ପାଳିତ ହୋଇ ଆସୁଛି କାର୍ତ୍ତିକ ବ୍ରତ ଓ ପୁରାଣ ପୂଜନ କାର୍ଯ୍ୟକ୍ରମ। କାର୍ତ୍ତିକ ପୂର୍ଣ୍ଣିମା ବଡି ଭୋରରୁ କାର୍ତ୍ତିକ ବ୍ରତୀ ମାନେ ବୁଡ ପକାଇ ବୋଇତ ବନ୍ଦାଣ କରି ଏହାର ପୂର୍ଣ୍ଣାହୂତି କରିବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.