ବାଲେଶ୍ଵରରେ ଏକତା ପଦଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ଭାବେ ‘ଏକତା ପଦଯାତ୍ରା’ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବିଷୟରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏହି ପଦଯାତ୍ରା ବାଲେଶ୍ଵର ଜିଲ୍ଲାରେ ୩୧ ଅକ୍ଟୋବରରେ ଆଇଟିଆଇ ଛକ ସ୍ଥିତ ଇଣ୍ଡୋର୍ ହଲ୍‌ରୁ ଶୁଭାରମ୍ଭ ହୋଇଥିଲା। ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରରେ ତିନୋଟି ପଦଯାତ୍ରା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବାଲେଶ୍ବର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୀଳଗିରି, ବାଲେଶ୍ବର ସଦର ଓ ଭୋଗରାଇରେ ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସିମୁଳିଆରେ ଏହି ପଦଯାତ୍ରା ଆୟୋଜିତ ହେବ।ନୀଳଗିରିରେ ରାଜ୍ୟ ସ୍ତରୀୟ ବିଶେଷ ପଦଯାତ୍ରା ୧୩ ନଭେମ୍ବରରେ ଆୟୋଜିତ ହେବା ସହିତ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହ‌ନ ଚରଣ ମାଝୀ। ପଦଯାତ୍ରା ନିଳଗିରି ଠାରେ ପ୍ରାରମ୍ଭ ହୋଇ ମିତ୍ରପୁର ପର୍ଯ୍ୟନ୍ତ ଯିବ। ପ୍ରତି ୨.୫ କିଲୋମିଟର ବ୍ୟବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପଦଯାତ୍ରା ସମୟରେ ସର୍ଦ୍ଦାର ପଟେଲଙ୍କ ଜୀବନ ଓ ଜାତୀୟ ଏକତା ସମ୍ବନ୍ଧିତ ପ୍ରଜ୍ଞାପନ ମେଢ଼ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀମାନେ ପୁରସ୍କୃତ ହେବେ। ଯାତ୍ରା ମାର୍ଗରେ ପାଣି ଓ ଓଆରଏସ୍ ବ୍ୟବସ୍ଥା ମଧ୍ୟ ରହିବ।ଦ୍ବିତୀୟ ପର୍ଯ୍ୟାୟର ପଦଯାତ୍ରା ୧୮ ନଭେମ୍ବରରେ ଭୋଗରାଇ ଚନ୍ଦନେଶ୍ବର ଠାରେ ପ୍ରାରମ୍ଭ ହୋଇ ବଗଡା ହାଇସ୍କୁଲ, ନଗୁଆ ପାନ ବଜାର ଦେଇ ଯିବ ଏବଂ ଥାନା ଛକ ଠାରେ ସମାପ୍ତ ହେବ। ତୃତୀୟ ପର୍ଯ୍ୟାୟର ପଦଯାତ୍ରା ୨୧ ନଭେମ୍ବରରେ ବାଲେଶ୍ବର ସଦର ମହକୁମାରେ ହେବ। ଏଥିରେ ମଧ୍ୟ ପ୍ରଜ୍ଞାପନ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.