ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକମାନଙ୍କ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଉପରେ ବିଶେଷ ପ୍ରଶିକ୍ଷଣ ଆୟୋଜିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ଦିଲୀପ ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ନାଏକ ଓ ଜଗଦୀଶଚନ୍ଦ୍ର ମୁଣ୍ଡ ଯୋଗ ଦେଇଥିଲେ। ସାଧନକର୍ମୀ ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଚିଣ୍ଟୁପ୍ରସାଦ ନାୟକ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ। ଶିକ୍ଷଣ ସାମଗ୍ରୀ ଶ୍ରେଣୀକକ୍ଷ ଶିକ୍ଷଣକୁ ଅଧିକ ପ୍ରଭାବଶାଳୀ ଓ ମନୋରଞ୍ଜକ କରିଥାଏ। ପିଲାମାନେ ଦେଖି, ଛୁଇଁ ଓ କାମ କରି ଶିଖିଲେ ଅଧିକ ଭଲ ଭାବେ ବୁଝନ୍ତି। ଏହି କର୍ମଶାଳା ଶିକ୍ଷକମାନଙ୍କୁ ନିଜ ହାତରେ ସରଳ ଓ ଉପଯୋଗୀ ଶିକ୍ଷଣ ସାମଗ୍ରୀ ତିଆରି କରିବାରେ ସାହାଯ୍ୟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସାଧନକର୍ମୀ ଶ୍ରୀ ନାୟକ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ତିଆରି କରିବାର ନୂତନ ଓ ସୃଜନଶୀଳ ପଦ୍ଧତି ବିଷୟରେ ଅବଗତ କରାଇଥିଲେ। ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପତି ଶିକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନା ପ୍ରଦାନ କରିଥିଲେ। କର୍ମଶାଳାରେ ପାଲସିପଡ଼ା କ୍ଲଷ୍ଟର ଅଧୀନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ସାମିଲ ହୋଇଥିଲେ।
ଏହି କର୍ମଶାଳା ଆସନ୍ତା ୧୮ ଫେବୃଆରୀ, ୨୦୨୬ରେ ସମାପ୍ତ ହେବ।





