ଓଡ଼ିଆ ବାର୍ତ୍ତା/ ବୌଦ୍ଧ: ଓଡ଼ିଶାର ସାହିତ୍ୟ ଅନୁଷ୍ଠାନର ଦ୍ୱିତୀୟ ଦିବସରେ ବୌଦ୍ଧ ଜିଲ୍ଲା ରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏକକ ଅଭିଯାତ୍ରୀ, ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁଙ୍କୁ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ସଭାପତି ଧ୍ରୁବ ଚରଣ ଘିବେଲା ଓ ସମ୍ପାଦକ ରାଧା ମୋହନ ମାହାଣା ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଶ୍ରୀ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସଭାପତି ଶ୍ରୀ ଘିବେଲା ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ପରେ ଏହି ଅନୁଷ୍ଠାନରେ ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ସଂପାଦକ ପ୍ରଦାନ କରିଥିଲେ । ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକ ସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ “ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ବୌଦ୍ଧ ଜିଲ୍ଲା ଓ ସୋନପୁର ଜିଲ୍ଲା ପରିଭ୍ରମଣ ପୂର୍ବକ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବା ପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।





