ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶାର ସାହିତ୍ୟ ଅନୁଷ୍ଠାନର ତୃତୀୟ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଛି । ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କୁ ଏକକ ଅଭିଯାତ୍ରୀ, ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ସାକ୍ଷାତ କରିବା ପରେ ବୀର ମହାରାଜପୁରରେ ଥିବା ସପ୍ତଦୀପା ସାହିତ୍ୟ ସଂସଦକୁ ଯାଇ ଉକ୍ତ ଅନୁଷ୍ଠାନର ସଭାପତି ଦ୍ଵିତୀକୃଷ୍ଣ ପଣ୍ଡାଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାପତି ଡ଼. ସୌରଭ ରଂଜନ ଖମାରୀ ଓ ସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଶ୍ରୀ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପରେ ସଭାପତି ଶ୍ରୀ ଖମାରୀ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ। ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟକଙ୍କ ମଧ୍ୟରେ ଏହା ଏକ ନିବିଡ଼ ସମ୍ପର୍କ ତିଆରି କରିବ। ପରେ ଏହି ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ସଂପାଦକ ପ୍ରଦାନ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ମହାନଦୀ ସାହିତ୍ୟ ସଂସଦର ବିଭିନ୍ନ ନିଆରା କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ। ମହାନଦୀ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଓ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ ଏହି ଅଭିଯାନ ଆଗକୁ କିଭଳି ଆହୁରି ସୁନ୍ଦର ଏବଂ ସଂଗଠିତ ହୋଇ ପାରିବ ସେ ଦିଗରେ ଗଠନମୂଳକ ପ୍ରସ୍ତାବମାନ ରଖିଥିଲେ। କବି ନରେନ୍ଦ୍ର କୁମାର ଭୋଇ ଏବଂ ଯୁବ ଗାଳ୍ପିକ ଅବକାଶ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲାରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ “ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ। ଏହି ଅଭିଯାନ ମ.ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ବୌଦ୍ଧ ଜିଲ୍ଲା ଦେଇ ସୁବର୍ଣ୍ଣପୁର ଜିଲ୍ଲା ପରିଭ୍ରମଣ ପୂର୍ବକ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବାପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖ ରେ ଶେଷ ହେବାର ଯୋଜନା ରହିଛି। ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି।





