ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ମହିଳା ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ଗ୍ରାମର ବଡରଣାପଡାର ଲଲିତ ରଣାଙ୍କ ସ୍ତ୍ରୀ ହାରା ରଣା (୬୫) ବୋଲି ସୂଚନା ମିଳିଛି। ସେ ମଙ୍ଗଳବାର ସକାଳୁ ନିକଟସ୍ଥ ପୋଖରୀ କୁ ଗାଧୋଇବା କୁ ଯାଇ ପାଣି ଭିତରେ ବୁଡ଼ିଯାଇଥିଲେ। ଏହା ପରେ ପରିବାର ଓ ସ୍ଥାନୀୟ ଲୋକେ କୋକସରା ଥାନାକୁ ଖବର ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ। କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ହାବିଲଦାର ସୁନୀଲ ରଞ୍ଜନ ବାରଳା, କର୍ମଚାରୀ ଦେବାଶିଷ ମହାପାତ୍ର, ଉମାଶଙ୍କର ନାଏକ, ସତ୍ୟମ ମାଝୀ, ଲଳିତ ପୁଟେଲ ପ୍ରମୁଖ ଶବ ଉଦ୍ଧାର କରି ପୋଲିସ କୁ ହସ୍ଥାନ୍ତର କରିଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇଥିଲେ। କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ହେବାପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।





