ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସରକାରୀ ମହିଳା ପଲିଟେକନିକ୍ ପ୍ରତିଷ୍ଠା କରିବା ପାଇଁ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଦାବି ଜଣାଇଛନ୍ତି।ପ୍ରକାଶଥାଉ କି ବସ୍ତା ନିର୍ବାଚନ ମଣ୍ଡଳୀର ଦୁଇଟି ବସ୍ତା ଓ ବାଲିଆପାଳ ବ୍ଲକ୍ ଏବଂ ତତ୍ ସଂଲଗ୍ନ ଉତ୍ତର ବାଲେଶ୍ୱରର ଗ୍ରାମାଞ୍ଚଳ ଗୁଡିକରେ ଅଧିକାଂଶ ପରିବାର କୃଷି, କ୍ଷୁଦ୍ର ବ୍ୟବସାୟ ଏବଂ ଅଣସଂଗଠିତ କ୍ଷେତ୍ରର ନିଯୁକ୍ତି ଉପରେ ନିର୍ଭର କରିଥାନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ବିଦ୍ୟାଳୟ ସ୍ତରରେ ନାମଲେଖା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଥିଲେ ମଧ୍ୟ, ଉଚ୍ଚ ଏବଂ ବୈଷୟିକ ଶିକ୍ଷା କ୍ଷେତ୍ରରେ ଝିଅମାନଙ୍କ ଯୋଗଦାନ ଏବେ ବି ଯଥେଷ୍ଟ କମ୍ ରହିଛି। ରାଜ୍ୟ ଶିକ୍ଷା ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ସାକ୍ଷରତା ହାରରେ ସୁଧାର ଆସିଥିଲେ ହେଁ, ଡିପ୍ଲୋମା ସ୍ତରୀୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଅଂଶଗ୍ରହଣ ଏବେ ବି ପଛରେ ରହିଛି, ବିଶେଷ କରି ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଏହା ସ୍ପଷ୍ଟ ବାରି ହୋଇପଡ଼େ।
ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ଝିଅମାନଙ୍କ ପାଇଁ ପଲିଟେକନିକ୍ ଶିକ୍ଷା ସୁବିଧା ଅତ୍ୟନ୍ତ ସୀମିତ। ବର୍ତ୍ତମାନ ଥିବା ଅନୁଷ୍ଠାନଗୁଡ଼ିକ ମିଳିତ ଶିକ୍ଷା ବା କୋ ଏଜୁକେଶନ୍ ପ୍ରଦାନ କରୁଛନ୍ତି ଯେଉଁଠାରେ ସିଟ୍ ସଂଖ୍ୟା ସୀମିତ ଅଛି କିମ୍ବା ସେଗୁଡ଼ିକ ବାଲେଶ୍ୱର ସହର ଠାରୁ ଦୂର ସ୍ଥାନରେ ଅବସ୍ଥିତ। ତେଣୁ ଉତ୍ତର ବାଲେଶ୍ୱରର ଆର୍ଥିକ ଅନଗ୍ରସର ଶ୍ରେଣୀର ଝିଅମାନଙ୍କ ପାଇଁ ଏହା ମୁଖ୍ୟ ପ୍ରତିବନ୍ଧକ ସାଜୁଛି। ଏଥି ସହିତ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବୈଷୟିକ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଥିବା ଲିଙ୍ଗଗତ ବ୍ୟବଧାନକୁ ଦୂର କରିବା ପାଇଁ ଓ ଉତ୍ତର ବାଲେଶ୍ୱର ଅଞ୍ଚଳର ମହିଳା ମାନଙ୍କୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧିକ ସୁଯୋଗ ଦେବା ପାଇଁ ବସ୍ତା ନିର୍ବାଚନ ମଣ୍ଡଳୀରେ ଗୋଟିଏ ସରକାରୀ ମହିଳା ପଲିଟେକନିକ୍ ସ୍ଥାପନ କରିବା ପାଇଁ ବିଧାୟିକା ଜେନା ଦାବି କରିଥିଲେ।





