ଓଡ଼ିଆ ବାର୍ତ୍ତା/ ବୁର୍ଲା: ହୀରାକୁଦ ଡ୍ୟାମ୍ ମଜଦୁର ସଂଘର ନେତୃତ୍ୱରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ, କ୍ୱାଲିଟି ରିସର୍ଚ୍ଚ ସେଣ୍ଟର, ମୁଖ୍ୟ ବନ୍ଧ ବିଭାଗ ସହିତ ବୁର୍ଲା ଅଞ୍ଚଳର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଏକ ସଭା ସ୍ଥାନୀୟ ଭାରତୀ କ୍ଲବ ପଡ଼ିଆରେ ଆୟୋଜିତ ହୋଇଯାଇଛି। ସଭାପତି ପୂର୍ଣ୍ଣାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାଟି ଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ, ଶ୍ରମ ଆଇନ୍ ଅନୁଯାୟୀ ଯେପରି ସୁବିଧା ମିଳିବା ଉଚିତ, ସେଗୁଡ଼ିକ ତାଙ୍କୁ ମିଳୁନାହିଁ। ସେମାନେ ତାଙ୍କର ମୌଳିକ ଦାବିଗୁଡ଼ିକ ମଧ୍ୟରେ “ସମାନ କାମକୁ ସମାନ ଦରମା”, ଠିକା, ଆଉଟସୋର୍ସିଂ, ଏନ୍ଏମ୍ଆର୍ ଓ ୱର୍କଚାର୍ଜ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସମସ୍ତଙ୍କୁ ନିରାପତ୍ତା ଯୋଜନାରେ ସାମିଲ କରିବା, ଇ-ଶ୍ରମ କାର୍ଡ ଓ ଆୟୁଷ୍ମାନ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ଉଠାଇଥିଲେ।
ଏହାସହିତ, ୧୦ ବର୍ଷରୁ ଅଧିକ ସମୟ ଧରି କାମ କରୁଥିବା କର୍ମଚାରୀମାନଙ୍କୁ କୁଶଳୀ ଶ୍ରେଣୀରେ ଗଣନା କରି ସର୍ବନିମ୍ନ ମଜୁରୀ ଦେବା, ଗ୍ରାଚୁଇଟି ପ୍ରଦାନ, ପ୍ରଭିଡେଣ୍ଟ ଫଣ୍ଡ ସ୍ଲିପ୍ ଦେବା, ସ୍ୱାସ୍ଥ୍ୟ ବୀମା ସୁବିଧା, ନିୟମିତ ଦରମା ପ୍ରଦାନ ଏବଂ ମନମୁଖୀ ଭାବେ ଚାକିରୀରୁ ବର୍ଖାସ୍ତ କରାଯାଉଥିବା ପ୍ରକ୍ରିୟାକୁ ବନ୍ଦ କରିବା ପ୍ରମୁଖ ଦାବି ଥିଲା।ଏହି ସମସ୍ତ ଦାବି ସମ୍ବଳିତ ଏକ ଦାବିପତ୍ର ଆସନ୍ତା ୩ ଏପ୍ରିଲ ତାରିଖରେ ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ ଉପ-ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯିବ ବୋଲି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢୀ ସୂଚନା ଦେଇଛନ୍ତି। ସଭାରେ ରବି ଗୁରୁ, କୁନୁ ଛତ୍ରିଆ, ଜୟନ୍ତ ପାଣିଗ୍ରାହୀ, ପ୍ରମୋଦ ସେଠି, ରମେଶ ପଳେଇ, ଚନ୍ଦ୍ରମଣି ବେହେରା, ଶ୍ରୀକର ବେହେରା, ସୁରେନ୍ଦ୍ର ଥେଟୁଆ, ଦିଲୀପ ରେଡ୍ଡୀ, ଡାଲିଆ ରେଡ୍ଡୀ, ରାମଲାଲ କିଷାନ, ବୃନ୍ଦାବନ ବାଗ୍, ଅନିଲ ବେହେରା, ଯାରିଆ ସ୍ୱାଇଁ ଓ ବାବୁ ପ୍ରଧାନ ସହିତ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିଲେ।





