ଶାରଳା ମହାଭାରତରେ ଗୋସିଂହ ଦୈତ୍ୟ: ଏକ ସଂକ୍ଷିପ୍ତ ଆଲୋଚନା 

ଶାରଳା ଦାସଙ୍କ କୃତ ମହାଭାରତର ମଧ୍ୟପର୍ବରେ ଗୋସିଂହ ଦୈତ୍ୟବଧ ଉପାଖ୍ୟାନ ରହିଛି। ରୈବତ ପର୍ବତରେ କୃଷ୍ଣ-ବଳରାମ ଯଜ୍ଞ କରିବାକୁ ମନସ୍ଥ କରି ରାଜା ମାନଙ୍କୁ ନିମନ୍ତ୍ରୀ ଆଣିବା ପାଇଁ ନିଜ ପୁତ୍ର ମାନଙ୍କୁ ଚାରି ଦିଗକୁ ପ୍ରେରଣ କଲେ। ଶ୍ରୀକୃଷ୍ଣଙ୍କ ଆଜ୍ଞା ଅନୁସାରେ ଶାମ୍ବ ପଶ୍ଚିମ ଦିଗ, ପ୍ରଦ୍ୟୁମ୍ନ ଦକ୍ଷିଣ ଦିଗ, ଗଦ ପୂର୍ବ ଦିଗ ଓ ସାତ୍ୟକି ଉତ୍ତର ଦିଗକୁ ଯାଇ ରାଜାମାନଙ୍କୁ ନିମନ୍ତ୍ରଣ କଲେ। ସାତ୍ୟକି ଚାଳିଶ ସହସ୍ର ରାଜାଙ୍କୁ ନିମନ୍ତ୍ରଣ କରିବା ପରେ ଭ୍ରମ ବସତଃ ଗୋସିଂହ ଦୈତ୍ୟର ରାଜଧାନୀରେ ପ୍ରବେଶ କଲେ। 

ଶାରଳା ଦାସଙ୍କ ଭାଷାରେ –

“ଚାଳିଶ ସହସ୍ର ରାଜାଗଣ ନିମନ୍ତ୍ରିଲା।

ଭ୍ରମନ୍ତେ ଯେ ଜେନାବଳୀ ନଗରେ ମିଳିଲା।।

ଜେନାବଳୀ ପାଟଣାରେ ହୋଇଲା ପ୍ରବେଶ।

ଭୁବନ ସୁବର୍ଣ୍ଣମୟ ଦେଖି ହେଲା ତୋଷ।।

କୁଳାବଳୀ ପାଟଣା ଯେ ଅପୂର୍ବ ନଗରୀ।

ତହିଁ ମଧ୍ୟରେ କନକ ନାମେ ଅଛି ଗିରି।।

କପିଳ ସିଂହ ନନ୍ଦନ ଅଟେ ମହୀ ସିଂହ।

ଏହା ନନ୍ଦନ ଅଟଇ ମହିଷ ସିଂହ।।

ଏହାର ନନ୍ଦନ ଅଟେ ବଜ୍ରସିଂହ ବୀର।

ବଜ୍ରସିଂହର ନନ୍ଦନ ଗୋ ସିଂହ ଅସୁର।।

ଗୋ ସିଂହ ନାମରେ ଅଟେ ଯେବଣ ଅସୁର।

ମନୁଷ୍ୟ ଶରୀର ତାର ଗୋମୁଣ୍ଡ ସଂଜାତ।।

ପ୍ରତାପୀ ରାଜା ମହିଷ ଅସୁରର ବଂଶ।

ଜେନାବଳୀ ନଗ୍ରେ ରାଜ୍ୟ କରଇ ଅସୁର।।

କନକ ଭୁବନ ତାର ପରିମଳ ଦେଖି।

ଅଶ୍ବେକ ଚଢ଼ି ପ୍ରବେଶ ତହିଁରେ ସାତ୍ୟକି।।

ଅସୁର ଭୁବନ ବୋଲି ନଜାଣିଲା ବୀର।

ସାତ୍ୟକି ପ୍ରବେଶ ହେଲା ଯାଇ ସିଂହଦ୍ଵାର।।”

ସାତ୍ୟକି ଜୀବନ ବଞ୍ଚାଇବାକୁ ଯାଇ ଗୋସିଂହ ଦୈତ୍ୟଙ୍କୁ କୃଷ୍ଣ-ବଳରାମଙ୍କ ସନ୍ଦେଶ ଦେଇ ରୈବତ ପର୍ବତରେ ଆୟୋଜିତ ହେଉଥିବା ଯଜ୍ଞକୁ ଆମନ୍ତ୍ରଣ କଲେ। ଅସୁରବଳ ରେରେକାର କରି ରୈବତ ପର୍ବତ ଅଭିମୁଖେ ଯାତ୍ରା କଲେ। ଏହି ପ୍ରସଙ୍ଗରେ ଶାରଳା ଦାସ ଗୋସିଂହ ଦୈତ୍ୟର ସୈନ୍ୟବଳ ସହ ବାଦ୍ୟନାଦର ବର୍ଣ୍ଣନା କରିଛନ୍ତି। –

“ଢୋଲ ଟମକ ନିଶାଣ ବାଣ ବିଜିଘୋଷ।

ବୀର ତୂରୀ ଶବଦରେ କମ୍ପଇ ଆକାଶ।।

ଓଟ ଗଧ ଗଜ ଅଶ୍ବ ବ୍ୟାଘ୍ର ଯେ ଶାର୍ଦ୍ଦୁଳ।

ଆରୋହୀ ଅସୁରେ ଯାନ୍ତି ଅପର୍ଯ୍ୟାପ୍ତ ବଳ।।

ଗଦାଶୂଳ ଚକ୍ରକାତି ମୁଦଗର ଭୂଷଣ୍ଡି।

ସୁବର୍ଣ୍ଣ ପ୍ରବାଳ ରତ୍ନେ ରଥଯାକ ମଣ୍ଡି।।

ଲକ୍ଷେକ ସାଗର ରଥ ଦ୍ବିସାଗର ହୟ।

ବେନିଲକ୍ଷ ସାଗର ଯେ ମାତଙ୍ଗ ଗବୟ।।

ଅଶୀଲକ୍ଷ ଅସୁରଙ୍କ ବ୍ୟାଘ୍ର ଯେ ବାହନ।

ଓଟ ପିଠିରେ ଚଢିଲେ ଅୟୁତେକ ସୈନ୍ୟ।।

ଗଧ ବାହାନେ ପଞ୍ଚାଶ ଖର୍ବ ଦୈତ୍ୟ ଚଳି।

ବଳିଆ ବାହାନେ ତେର ଖର୍ବ ମହାବଳୀ।।

ବଳଦ ବାହାନେ ଗଲେ ଅଶୀ ପଦ୍ମ ସେନା

ଗଜବାହାନରେ ଗଲେ ଅଶୀ ପଦ୍ମ ଜେନା।।”

ଅନେକ ଦେଶ ନଗ୍ରରେ ତାଣ୍ଡବ କରି ଗୋସିଂହ ଦୈତ୍ୟର ସେନା ରୈବତ ପର୍ବତରେ ପହଞ୍ଚିଲେ। ସେଠାରେ ବଳରାମ ଓ ଯାଦବ ସେନା ସହ ଗୋସିଂହ ଅସୁରର ତୁମୁଳ ସଂଗ୍ରାମ ହେଲା। ଅସୁର ଅଜୟ ରହିବା ଦେଖି ଶ୍ରୀକୃଷ୍ଣ ମାୟା ଭିଆଇଲେ। ଉଗ୍ରସେନ ଗୋସିଙ୍ଗକୁ ପାଛୋଟି ଆଣି ଦିବ୍ୟ ଆସନରେ ବସାଇଲେ।

“ପର୍ବତ ଉତ୍ତର କୋଣେ ଛାଡ଼ି ଅସୁରଙ୍କୁ। 

ଅଶୀଜଣ ବୀର ତୁଲେ ନେଲେ ଗୋ ସିଂହକୁ।।

ବସାଇଲେ ନେଇ ଛାୟା ମଣ୍ଡପ ମଧ୍ୟରେ।

ସାଧୁ ତୁ ଜଗମୋହନ ବୋଲନ୍ତି ଅସୁରେ।।

××××××××××××

ଉଗ୍ରସେନ ରାଜା କଲା ଗୋସିଂହକୁ ପୂଜା।

ଗଉରବ ପାଇ ବସେ ସେ ଅସୁର ରାଜା।।

ଯେ ବିଧି ଯୋଗାଡ଼ ଆଣି ତାହାକୁ ଦିଅନ୍ତି। 

ଛପନ କୋଟି ଯାଦବେ ଅନ୍ନ ପରଷନ୍ତି।।

ସୁପାକ୍ବ ଅନ୍ନ ଅମୃତ ଯୋଗାଡ଼ ଏମାନ। 

ସନ୍ତୋଷ ମନେ କରନ୍ତି ଅସୁରେ ଭୋଜନ।।

ଅମୃତରସ ଭୋଜନ ଅସୁର ନୃପତି। 

ଅସୁରଙ୍କ ତୁଲେ ହେଲା ଯାଦବଙ୍କ ପ୍ରୀତି।।

ବଳରାମ ବୋଇଲେ ଏ ପୃଥିବୀକୁ ଭାର। 

ଯଜ୍ଞ ସରିଲେ ମାରିବା ଘେନି ଦାମୋଦର।।”

ଅସୁରଙ୍କୁ ଯାଦବମାନେ ମାନ୍ୟ କରିବା ଦେଖି ଦେବରାଜ ଇନ୍ଦ୍ର ମହାଭୟ ପାଇ କୁଟ କପଟ ପାଞ୍ଚିଲେ। ସେ ଚିତ୍ରସେନ ହାତରେ ପାରିଜାତ ପୁଷ୍ପର ମାଳ ଦେଇ ଶ୍ରୀକୃଷ୍ଣଙ୍କ ଗଳାରେ ପିନ୍ଧାଇବା ସହ ଗୋସିଂହ ଦୈତ୍ୟକୁ ବଧ କରିବାକୁ ଅନୁରୋଧ କରିବାକୁ କହିଲେ। ଚିତ୍ରସେନକୁ ଶ୍ରୀକୃଷ୍ଣ କହୁଛନ୍ତି –

“ଗୋବିନ୍ଦ ବୋଇଲେ ତୁନି ହୋଇଥାରେ ବାବୁ। 

ପ୍ରତାପୀ ଅସୁର ତାକୁ କେମନ୍ତେ ମାରିବୁ।।

ଲକ୍ଷେ ରାଜାର ହୁଅଇ ଯେତେକ ସଇନି। 

ଏକା ଗୋସିଙ୍ଗ ଆସିଛି ସେତେ ସୈନ୍ୟ ଘେନି।।”

ଏହାପରେ ଶ୍ରୀକୃଷ୍ଣ ଗୋସିଂହ ଦୈତ୍ୟକୁ ବହୁତ ସମ୍ମାନ କଲେ। ତା’ର ମନ୍ତ୍ରୀ, ସେନାପତି ଆଦିଙ୍କୁ ବହୁତ ଧନରତ୍ନ ଦେଇ କୃଷ୍ଣ ବଳରାମ ନିରସ୍ତ୍ର ହୋଇ ଯାଇ ଯଜ୍ଞରେ ଉପବେସନ କଲେ। ଏପଟେ ଗୋସିଂହର ମନ୍ତ୍ରୀ ଜପାସୁର ଏସବୁ ଦେବ ମାୟା ବୋଲି ଜାଣିବାକୁ ପାଇଲା। ଯଜ୍ଞ ସରିଲେ ଗୋସିଂହ ବଧ ସୁନିଶ୍ଚିତ ଜାଣି ସେ ରାଜାଙ୍କୁ ମନ୍ତ୍ରଣା ଦେବାକୁ ଲାଗିଲା। ମନ୍ତ୍ରୀର କଥା ଅନୁସାରେ ଗୋସିଙ୍ଗ ଯଜ୍ଞର ଏକାଦଶ ଦିବସରେ ଉତ୍ପାତ ଆରମ୍ଭ କରିଦେଲା। ସେ ଯଜ୍ଞଶାଳାରେ ପହଞ୍ଚି କୃଷ୍ଣ ବଳରାମଙ୍କୁ ଯଜ୍ଞକୁଣ୍ଡରେ ପକାଇ ଦେଇ ଶ୍ରୀକୃଷ୍ଣଙ୍କ ଅଷ୍ଟପାଟବଂଶୀ ମଧ୍ୟରୁ ସତ୍ୟଭାମାଙ୍କୁ ରଥରେ ବସାଇ ଆପଣା ରାଜ୍ୟ ଅଭିମୁଖେ ବାହାରିଲା। ମନ୍ତ୍ରୀ ଜପାସୁର ସତ୍ୟଭାମାଙ୍କୁ ଛାଡ଼ି ଧନରତ୍ନ ନେଇ ନିଜ ରାଜ୍ୟକୁ ଯିବାପାଇଁ ରାଜା ଗୋସିଙ୍ଗକୁ ଅନୁରୋଧ କଲା କିନ୍ତୁ ଅସୁର ଗୋସିଙ୍ଗ ମନ୍ତ୍ରୀ ଜପାସୁରର କଥାକୁ କର୍ଣ୍ଣପାତ କଲାନାହିଁ। ସଭ୍ୟଭାମାଙ୍କୁ ରଥରେ ବସାଇ ଅସୁର ଜେନାବଳୀନଗ୍ରକୁ ଯିବା ବାଟରେ ଅର୍ଜୁନ ବଣରେ ଥିଲେ। ରାତ୍ର ସମୟ, ସେ ସତ୍ୟଭାମାଙ୍କ ଆକୁଳ କ୍ରନ୍ଦନ ଶୁଣି ମନଭେଦୀ ବାଣରେ ଅସୁର ଗୋସିଂହର ପଥରୋଧ କଲେ। ଏହାପରେ ଅର୍ଜୁନ ଓ ଗୋସିଂହ ମଧ୍ୟରେ ତୁମୁଳ ସଂଗ୍ରାମ ହେଲା। ଅନେକ ସମୟର ଯୁଦ୍ଧ ପରେ ଅର୍ଜୁନ ଗୋସିଂହ ଦୈତ୍ୟକୁ ବଧ କଲେ। ଶାରଳା ଦାସ ତାଙ୍କ ବିରଚିତ ମହାଭାରତ ମଧ୍ୟପର୍ବରେ କହିଛନ୍ତି –

“ବଇଷ୍ଣବୀ ଚକ୍ର ମହାମାୟାଙ୍କର ଥିଲା। 

ସେ ଚକ୍ର ଘେନିଣ ପାର୍ଥ ଗୋସିଂହ ମାରିଲା।।”

ଏତ ଥିଲା ପୁରାଣ ପୃଷ୍ଠାରୁ ଗୋସିଂହର ଚରିତ୍ର। ଶାରଳା ଦାସ ବର୍ଣ୍ଣିତ ଜେନାବଳୀ ନଗ୍ର ରାଜ୍ୟ ବର୍ତ୍ତମାନର ଅବିଭକ୍ତ କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ସମେତ ବସ୍ତର ଅଞ୍ଚଳ। ରାଜଧାନୀ କୁଳାବଳୀ ପାଟଣା ହେଉଛି ବର୍ତ୍ତମାନର ଅସୁରଗଡ ଏବଂ କନକଗିରି ହେଉଛି ଦେବଗିରି। ପ୍ରତ୍ନତାତ୍ତ୍ଵିକ ଖନନରୁ ଅସୁରଗଡରେ ଏକ ଉନ୍ନତ ସଭ୍ୟତାର ଆବିଷ୍କାର ହୋଇଛି। ଅସୁରଗଡ ସଭ୍ୟତାର ସମୟସୀମା ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ। ଏହି ସଭ୍ୟତା ବର୍ତ୍ତମାନ ପର୍ଯ୍ୟନ୍ତ ଖନନ ହୋଇଥିବା ରାଜ୍ୟର ପ୍ରାଚୀନତମ ସଭ୍ୟତା ବୋଲି ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି। ଲୋକଶୃତି ଓ ଲୋକକଥା ଅନୁସାରେ ଅସୁରଗଡରେ ଜଣେ ପ୍ରଜାପାଳକ ରାଜା ଶାସନ କରୁଥିଲେ। ତାଙ୍କ ନାମ ଗୋସିଂହ। ଗୋସିଂହ ଦୈତ୍ୟ ନାଗ ଗୋତ୍ରୀୟ ବେସ୍କା କନ୍ଧ ଥିବାବେଳେ ତାଙ୍କ ମନ୍ତ୍ରୀ ଜପାସୁର ଡମ୍ବ ଜାତିର ଏବଂ ସେନାପତି ଗଖାସୁର ଗଉଡ ଜାତିର ଥିଲେ। ଏହି ରାଜା ପ୍ରଜାର ହିତ ପାଇଁ କାମ କରୁଥିଲେ। ଆଉ କେତେକ ରାଜା ଗୋସିଂହଙ୍କୁ ଚନ୍ଦ୍ରବଂଶୀ ବୋଲି ମଧ୍ୟ କହିଥାନ୍ତି। ଗୋସିଂହ ଦେବଗିରିର ଗୁମ୍ଫା ମଧ୍ୟରେ ଶିବ ଉପାସନା କରୁଥିଲେ ଯାହା ବର୍ତ୍ତମାନ ସୁଦ୍ଧା ଅକ୍ଷୁର୍ଣ୍ଣ ରହିଛି। ଲୋକବିଶ୍ବାସକୁ ଆଧାର କରି ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢୀପଦର ତା’ର ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଂହ ଦୈତ୍ୟ ଦରବାରର ଆୟୋଜନ କରିଆସୁଛି। ଯାହା ସ୍ଥାନୀୟ ମିଥ୍ କୁ ନେଇ ପରିକଳ୍ପିତ ରାଜ୍ୟର ପ୍ରଥମ ଦରବାର।

ସୁନୀଲ କୁମାର ଧଙ୍ଗଡାମାଝୀ 

ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.