ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଧୋବେନପଡାର ଦେବୀ ସିଂ ମୁଲକିଆଙ୍କ ସ୍ତ୍ରୀ ଡାଲିମ୍ବ ମୁଲକିଆ (୮୬) ଗତ ତିନି ଦିନ ହେଲା ନିଖୋଜ ହୋଇଛନ୍ତି। ଏନେଇ ପରିବାର ଲୋକେ ତାଙ୍କୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ ଆମପାଣି ଥାନାରେ ନିଖୋଜ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ବୃଦ୍ଧା ମହିଳା ଜଣକ ସୋମବାର ଅପରାହ୍ନରେ କାଜୁ ସଂଗ୍ରହ କରିବାକୁ ବଗିଚା ଯାଇଥିଲେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ସେ’ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକ ଅନେକ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଏନେଇ ନିଖୋଜ ବୃଦ୍ଧା ଡାଳିମ୍ବଙ୍କ ନାତି ସଞ୍ଜିବ ମୁଲକିଆ ୩୦ ତାରିଖରେ ଆମପାଣି ଥାନାରେ ଏକ ନିଖୋଜ ମାମଲା ଦେଇଛନ୍ତି। ଅଭିଯୋଗ ପରେ ଆମପାଣି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବୁଧବାର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ଅନ୍ୟପଟେ ପରିବାର ଓ ସମ୍ପର୍କୀୟ ମାନେ ପୁଣିଥରେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଏନେଇ ଆମପାଣି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।





