ଭୁବନେଶ୍ୱର: ଜେରିକେୟାର (ଜେରିଆଟ୍ରିକ୍ କେୟାର୍ ଏଣ୍ଡ୍ ରିସର୍ଚ୍ ଅର୍ଗାନାଇଜେସନ୍) ସଂସ୍ଥା ତରଫରୁ ୨୦୨୦ ମସିହାର ପାଣିନି ସମ୍ମାନ ଲେଖକ ଧନେଶ୍ୱର ସାହୁଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ସାହୁ ଓଡିଶାର ଜଣେ ପ୍ରତିଷ୍ଠିତ ବୁଦ୍ଧିଜୀବୀ, ହେତୁବାଦୀ, ଦାର୍ଶନିକ ଓ ଲେଖକ। ସେ ଓଡିଆ ଓ ଇଂରାଜୀ ଭାଷାରେ ୨୫ରୁ ଉର୍ଦ୍ଧ୍ବ ପୁସ୍ତକ ରଚନା କରିଛନ୍ତି। ଭାରତରେ ଜାତିପ୍ରଥା, ଦର୍ଶନ ସମାଜ ଓ ସଂସ୍କୁତି, ଜୀବନ ଦର୍ଶନ ଓ ହେତୁବାଦ ଇତ୍ୟାଦି ବିଷୟରେ ସେ ଲେଖିଛନ୍ତି।
ଶ୍ରୀ ସାହୁ ଏହା ପୁର୍ବରୁ ସଂସ୍କୃତି ଓ ସର୍ବୋଦୟ ପୁସ୍ତକ ପାଇଁ ୨୦୧୦ ମସିହାର ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କରିଥିଲେ। ସେ ୨୦୧୪ ମସିହାର ପେରିୟାର୍ ଆନ୍ତର୍ଜାତିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସାହିତ୍ୟ ସାଧନା ପାଇଁ ଓଡିଶା ସରକାର ତାଂକୁ ୨୦୧୭ ମସିହାର ଲାଇଫ୍ ଟାଇମ୍ ଏଚିଭମେଣ୍ଟ ପୁରସ୍କାର ପ୍ରଦାନ କରିଛନ୍ତି।
ପାଣିନି ସମ୍ମାନ ସମାରୋହରେ ଓଡିଶାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହା ଅନଲାଇନ୍ ସଭା ଦ୍ବାରା କରାଯାଇଥିଲା। ପ୍ରଫେସର୍ ରତିକାନ୍ତ ପଣ୍ଡା, ପ୍ରଫେସର୍ ଶରତ ରଥ, ଡ. କୈଲାଶ ଚନ୍ଦ୍ର ଦାଶ, ଡ. ନମିତା ରଥ, ଭାରତ ଚନ୍ଦ୍ର ନାଥ, ବାଲ୍ମୀକି ନାୟକ, ବି ରାମଚନ୍ଦ୍ର, ଡ. ସୁରେଶ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଜେରିକେୟାରର ସଭାପତି ହରିଶ ଚନ୍ଦ୍ର କର ସମ୍ମାନ ପ୍ରଦାନ କରିଥିଲେ ଓ ଉପସଭାପତି ଗୟାଧର ପାଣିଗ୍ରାହୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଡ. ନୀଳମାଧବ କର ଏହି ସମାରୋହକୁ ଇଂଲଣ୍ଡରୁ ପରିଚାଳନା କରିଥିଲେ। ପୁରସ୍କାର ଗ୍ରହଣ କରି ଶ୍ରୀ ସାହୁ ନିଜର ଦୃଷ୍ଟିକୋଣ, କାର୍ଯ୍ୟ ଓ ଏହାର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।