ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର ତଲକାଲିମା ଗାଁର କାନାଦେଇ ମାଝୀ(୪୦) ଗୁରୁତର ଆହତ ହୋଇ ଲାଞ୍ଜିଗଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ତଲକାଳୀମା ଗାଁର ଲିଙ୍ଗା ମାଝୀଙ୍କ ସ୍ତ୍ରୀ କାନାଦେଇ ଗାଁଠାରୁ ଦେଢ଼ କିଲୋମିଟର ଦୁର ଗୋରାବାଲି ଡଙ୍ଗରରେ ନିଜ ସାତ ବର୍ଷର ଶିଶୁପୁତ୍ର କରୁଣା ମାଝୀଙ୍କ ସହିତ ପୋଢୁ ଚାଷ କରିବା ପାଇଁ ଯାଇଥିବା ବେଳେ ଅପରାହ୍ନ ୪ ଘଣ୍ଟା ସମୟରେ ଅକସ୍ମାତ ଘଡ଼ଘଡି ବିଜୁଳି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରାଘାତରେ କାନାଦେଇ ଗୁରୁତର ଭାବେ ଆଘାତ ହୋଇ ଅଚେତ ହୋଇ ଯାଇଥିଲେ। ପୁଅ ମା’ଠାରୁ ୨୦୦ ମିଟର ଦୂରରେ ଥିବା ଯୋଗୁଁ ଅଳ୍ପକେ ବର୍ତି ଯାଇଥିଲା।ମା’ଙ୍କ ଅବସ୍ଥା ଦେଖି ପୁଅ କରୁଣା ଘରକୁ ଆସି ବାପାଙ୍କୁ କହିଥିଲା।ଲିଙ୍ଗା ସାଙ୍ଗେ ସାଙ୍ଗେ ଯାଇ ଅଚେତ ହୋଇ ପଡ଼ିଥିବା ସ୍ତ୍ରୀକୁ କାନ୍ଦରେ ବୋହି ଗାଁକୁ ଆଣିଥିଲା। ପରେ ଆମ୍ବୁଲାନ୍ସରେ ଲାଞ୍ଜିଗଡ଼ ମେଡ଼ିକାଲରେ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ କାନାଦେଇର ଅଣ୍ଟା ପାଖରେ ଆଘାତ ଲାଗିଥିବା ଜଣା ପଡିଥିଲା। ବର୍ତ୍ତମାନ ସେ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in