ରାୟଗଡ: ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରତି ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ବିଶ୍ଵକର୍ମା ଦିବସକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ପାଳନ କରିଆସୁଛି । ଏହି କ୍ରମରେ ଗୁରୁବାର ଦିନ ରାୟଗଡ ଜିଲ୍ଲା ଶାଖା ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି ।ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ ଓ ଉପସଭାପତି ମୋହନ ରାଓ ମାଝୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାୟଗଡ ସହର ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସମସ୍ତ ସଂଗଠନର ନେତୃ ବୃନ୍ଦ ଓ ସଂଗଠନର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ହୋଇ କାେଭିଡ-୧୯ କଟକଣାକୁ ମାନି ଓ ସାମାଜିକ ଦୂରତା ରକ୍ଷା କରି ବିଶାଳ ପଦଯାତ୍ରା ସହିତ ସହର ପରିକ୍ରମା କରି ଠକ୍କର ବାପା ଆଶ୍ରମ ଠାରେ ପହଁଚି ସେଠାରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ ।
ଉକ୍ତ ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣ ରଖିଥିଲେ । ତାଙ୍କ ବକ୍ତବ୍ୟରେ ସଂଘଠନର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହିତ ମୁଖ୍ୟତଃ କୋଭିଡ-୧୯ ସମୟରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଯେଉଁ ଭଳି ଭାବରେ ଶ୍ରମିକ ମାରଣ ନୀତି ଅଵଲମ୍ବନ କରି ଶ୍ରମିକମାନଙ୍କୁ ଅଣଦେଖା କରିବା ସହିତ ସେମାନଙ୍କୁ ହଇରାଣ କରାଯାଉଛି ତାହା ନିନ୍ଦନୀୟ ଓ ଏହାର ପ୍ରତିବାଦ ରେ ଭାରତୀୟ ମଜଦୁର ସଂଘ ସବୁବେଳେ ଲଢ଼ୁଛି ଓ ଲଢେଇ ଜାରି ରଖିବ ବୋଲି ପ୍ରକାଶ କରିଥିଲେ ।
ସମସ୍ତ ପ୍ରବାସୀ ଶ୍ରମିକ ଓ ବେକାର ଯୁବକଯୁବତୀ ମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ସେମାନଙ୍କୁ ଅନୁକମ୍ପା ପୂର୍ବକ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା, ହସ୍ପିଟାଲ କର୍ମଚାରୀ, ଅଙ୍ଗନବାଡି ସଂଘ, ଆଶା କର୍ମଚାରୀ ସଂଘ, ପାଚିକା କର୍ମଚାରୀ ଓ ବିଭିନ୍ନ ସଂଗଠନରେ ଅସ୍ଥାୟୀ ରୂପେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଦୈନିକ ୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା, ଅର୍ଥାଭାବ ଦର୍ଶାଇ କୌଣସି ଠିକା ଶ୍ରମିକ ମାନଙ୍କୁ ଛଟେଇ ନ କରିବା ଏବଂ ବନ୍ଦ ଥିବା ସରକାରୀ ନିଯୁକ୍ତି ତୁରନ୍ତ ଚାଲୁ କରିବା, ନିର୍ମାଣ ଶ୍ରମିକ, ରିକ୍ସା ଚାଳକ, ସ୍ୱରୋଜଗାରୀ, ଉଠାଦୋକାନୀ ଓ ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟରେ ମାସିକ ୨୦୦୦ ଟଙ୍କା କୋରନା ସହାୟତା ରାଶି ପ୍ରଦାନ କରିବା, ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜୀକରଣ କରିବା, ବିଭିନ୍ନ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଯେପରି କୋଭିଡ-୧୯ ନିୟମ ଅନୁଯାଇ ସୁବିଧା ଦିଆଯାଉଛି । ସେପରି ସୁବିଧା ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଆଶା ସାଥି ଏବଂ ସ୍ଵାସ୍ଥ୍ୟ ବିଭାଗ ଠିକା ଶ୍ରମିକ ମାନଙ୍କୁ ପ୍ରଦାନ କରିବା ଭଳି ଦାବି ଉପସ୍ଥାପନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ସମସ୍ୟାକୁ ଉପସ୍ଥାପନା କରି ଏହାର ତୁରନ୍ତ ସମାଧାନ କରିବାକୁ ଭାରତୀୟ ମଜଦୁର ସଂଘ ସର୍ବଦା ଲଢେଇ କରିବାକୁ ଉପସ୍ଥିତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଶପଥ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଗ୍ରାମିଣ ବନବାସୀ ମଜଦୁର ମହା ସଂଘ ରାଜ୍ୟ ସଂଯୋଜକ ସହଦେବ ନାୟକ, ଜେକେ ପେପର ମଜଦୁର ସଂଘର ସଭାପତି ଏସ୍ ଦୁର୍ଗା, ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସଭାପତି ଅରୁଣ ଲେଙ୍କା, ବିଶ୍ଵକର୍ମା ମଜଦୁର ସଂଘର ଜିଲ୍ଲା ସଂପାଦକ ଦୁର୍ଗା ମାଧବ ଘୋଷ, ବ୍ୟବସାୟ ମଜଦୁର ସଂଘର ଆନନ୍ଦ ରାଉଳ, ଅଲ ଓଡିଶା ଅଙ୍ଗନବାଡ଼ି ଲେଡ଼ିଜ୍ ଓାର୍କରସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସମ୍ପାଦିକା ଉଷାରାଣି ଦାସ , ଓଡିଶା ରାଜ୍ୟ ଆଶା ସାଥି ସଙ୍ଘର ସଭାନେତ୍ରୀ ମନୋରମା ବେନୀୟା, ଜିଲ୍ଲା ସମ୍ପାଦିକା ପଦ୍ମିନୀ ପଢ଼ିଆରୀ, କୃଷି ଗ୍ରାମୀଣ ମଜଦୁର ସଙ୍ଘର ସଭାପତି ରମେଶ କିଲାନା ଓ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ସମସ୍ତ ସଂଗଠନର ସଦସ୍ୟ ଯୋଗ ଦେଇଥିଲେ । ସର୍ବଶେଷରେ ଭାରତୀୟ ମଜଦୁର ସଂଘର ରାୟଗଡ ବ୍ଲକ ସଭାପତି ଗୋପୀନାଥ ଗୌଡ଼ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in