ହେମନ୍ତ ସାହୁ
ଆଜି ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଲାବେଳେ କହିଲି,କାଲି ପାଇଁ କିଛି ଯୋଜନା କରାଯାଉ,ସେ ମୋତେ ପାଲଟା ପ୍ରଶ୍ନ କଲେ,କାଲି କାଣା ଅଛେ ଯେ? ମୁଁ ପୁଷ ପୁନି କଥା କହିଲି,ସେ କହିଲେ,ମୁଁ ଭୁଲି ଯାଇଥିଲି । ଆଉ ଜଣେ ବନ୍ଧୁଙ୍କ ସହ ସନ୍ଧ୍ୟା ଆଲୋଚନା ସମୟରେ ବି ସେହି ସମାନ କଥା ଘଟିଲା,ସେ ବି ଜାଣିନଥିଲେ ଏଇ ପୁଷ୍ ପୁନିର କଥା । ତେବେ କୃଷି ପ୍ରଧାନ ରାଜ୍ୟରେ ଅନ୍ୟ ଏକ ପ୍ରସିଦ୍ଧ ପର୍ବ ଏବେ ହରେଇବସିଛି ତାର ସ୍ୱାତନ୍ତ୍ର୍ୟତା । କଳାହାଣ୍ଡିଆ ଭାଷାରେ ଆଉ ଗାଁ ଦାଣ୍ଡରେ ଶୁଣିବାକୁ ମିଳୁନି:
“ଛେରର ଛେର ଛେରା..ଇ ଘର୍ ବୁଢୀ କାଇଁ ଗଲା
କୁଣା ଖାଇ ଖାଇ ଛେରେଇ ହେଲା ।”
“ଆଏଜ ପୁନି କାଏଲ ପୁନି
କପଡ଼ା ଲତା ତୁନା ତୁନି ।”
ତେବେ ପୁଷପୁନି ଦିନ ଗାଁର ସାହୁକାର,ଗଉନ୍ତିଆ ଘରେ ଯୋଉମାନେ ହଳିଆ ଭାବରେ କାମ କରୁଥାନ୍ତି,ସେମାନଙ୍କୁ ଏହି ଦିନ ଛୁଟି ମିଳିଥାଏ । ଏହି ଦିନଠାରୁ ପୁଣି ଥରେ ଚାଷ କାମ ଆରମ୍ଭ କରିବା ଯାଏଁ ବଡ଼ ଲୋକ ଘରେ ନିଜ ହଳିଆ ଜୀବନରୁ ସାମୟିକ ମୁକ୍ତି ମିଳିଥାଏ । ସେହି ଖୁସିରେ ଏହି ଦିନ ପିଠା,ପଣା,ଭୋଜି ଭାତରେ ଗାଁ ଗହଳି ଉଠୁଥାଏ,ପଡ଼ୁଥାଏ ।
ପିଲାମାନେ ଦଳ ଦଳ ହେଇ ବାଡ଼ି ଖଣ୍ଡେ ଖଣ୍ଡେ ଧରି ଗାଁରେ ଘର ଘର ବୁଲି ଛେର ଛେରା ମାଗିବା ସହ ଯାହା ଚାଉଳ,ଡ଼ାଲି ପାଆନ୍ତି ତାକୁ ନେଇ ଭୋଜି କରିବାକୁ ଯାଆନ୍ତି । କିନ୍ତୁ ଏହି ସବୁ ପରମ୍ପରା ଏବେ ବିଲୁପ୍ତପ୍ରାୟ । କେହି ଆଉ ହଳି÷ଆ ନାହାନ୍ତି କି ପିଲାଠାରୁ ବୁଢା ପ୍ରାୟ କେହି ଆଉ ଛେର ଛେରା ମାଗୁନାହାନ୍ତି । ଘରେ ଘରେ ପିଠା,ପଣାର ଆସର ଜମୁନି । ବର୍ଷକ ପାଇଁ ଆଉ କେହି ଗାଁ ସାହୁକାର କି ଗଉନ୍ତିଆ ଘରେ ମୂଲ ଲାଗିବାକୁ ଯାଉନି ।
ସଭ୍ୟତାର କ୍ରମ ବିକାଶରେ ଆମେ ନିଜର ଆତ୍ମା ଭଳି ପର୍ବ ମାନଙ୍କୁ ଭୁଲି ଯିବାକୁ ବସିଛୁ । ଏବେ ପୁଷ ପୁନି କେବଳ କିଛି ଅନୁଷ୍ଠାନର ମଂଚ ଉପରେ ହିଁ ସୀମିତ ରହିଯାଉଛି । ହଳିଆ ଗୀତ,ଛେରଛେରା ଗୀତ,ପିଠାମଡ଼ା,ଭୋଜିର ମଜା ଆଉ କେହି ଉଠାଉ ନାହାନ୍ତି ।
ଆସନ୍ତୁ ଆମେ ସଭ୍ୟତାର କ୍ରମ ବିକାଶରେ ନିଜକୁ ସାମିଲ କରାଇବା ସହ ଆମର ପୁୁରୁଣା ପରମ୍ପରା,ଦିବସ ଗୁଡ଼ିକୁ ଟିକେ ମନେ ପକାଇବା ଆଉ ଗାଇବା…
ଛେର୍ ଛେର ଛେରା…
ତଲସାଗର ପଡା, ମ. ରାମପୁର, କଳାହାଣ୍ଡି
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube