ଅପହଞ୍ଚ ଇଲାକା: ପଞ୍ଚାୟତ ଅଫିସରୁ ଗାଁ ୮୦ କିମି, ୧ ଟଙ୍କା ଚାଉଳ ପାଇଁ ୨୦୦ ଶହ ଟଙ୍କା ଖର୍ଚ୍ଚ

ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ, ସମାଧାନ ପାଇଁ ତିବ୍ର ହେଲା ସ୍ବର

କଳାହାଣ୍ଡି/ଲାଞ୍ଜିଗଡ: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ କେତେକ କ୍ଷେତ୍ରରେ ଏହାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚିବାରୁ ନଥିବା ପରିଲକ୍ଷିତ ହେଉଛି। କଳାହାଣ୍ଡି ଜିଲ୍ଲାରେ ଏମିତି ଗାଁ ରହିଛି ଯେଉଁଠୁ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ୮୦ କିମି। ଏଠାରୁ ପଞ୍ଚାୟତକୁ ଯାଇ ରାସନ ସାମଗ୍ରୀ ଆଣିବାରେ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ ଓ ଲାଞ୍ଜିଗଡ ବ୍ଲକ ସୀମାନ୍ତରେ ଏଭଳି ୮ ଗୋଟି ଗାଁ ଅଛି ଯେଉଁଠି ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଗାଁ ଲୋକଙ୍କ ଅଭିଯୋଗ ଏପର୍ଯ୍ୟନ୍ତ ସାତ ସପନ ହୋଇ ରହିଛି। ବର୍ଷ ବର୍ଷ ଧରି ପାହାଡ଼ ଆର ପାଖରେ ବହୁ କଷ୍ଟରେ ଜୀବନ କାଟୁଛନ୍ତି ଏହି ଗ୍ରାମମାନଙ୍କର ୩ଶହ ୧୫ ପରିବାର। ଏମାନଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଗୁହାରୀ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ପ୍ରକାଶ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ସଦର ବ୍ଲକ ଓ ଲାଞ୍ଜିଗଡ ବ୍ଲକ ସୀମାନ୍ତ ପଞ୍ଚାୟତ ଯୋକସାଇପାଟଣା ପଞ୍ଚାୟତର ସୀମାନ୍ତର ୮ ଗୋଟି ଗାଁ ହେଉଛି ସଲପାଙ୍ଗ, କଟଲଙ୍ଗ, କଟରୁସରୁ, ଝେନଙ୍କାପିଟା, ରଙ୍ଗଗୁଡା, ପଣ୍ଡାମ, ଖଜୁରଗୁଡା ଓ ବଡ଼ମ୍ଭା। ଯାହାର ଦୂରତା ବ୍ଲକ ମୁଖ୍ୟାଳୟଠାରୁ ୫୫ କିଲୋମିଟର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଯୋକସାଇପାଟଣା ଠାରୁ ପ୍ରାୟ ୮୦ କିଲୋମିଟର ପଡେ। ଏହି ପଞ୍ଚାୟତ ଓ ୮ ଗୋଟି ପଞ୍ଚାୟତ ମଧ୍ୟରେ ୪ ଗୋଟି ପାହାଡ଼, ୩ ଟି ନାଳ, ଝରଣା, ଘଞ୍ଚ ଜଙ୍ଗଲ ଓ ଘାଟି ଦେଇ ପାଦ ଚଲା ରାସ୍ତା ୨୫ କିଲୋମିଟର ବାଟ ରହିଥିବା ବେଳେ ଯିବା ଆସିବା ଲୋକଙ୍କ ପାଇଁ ସମ୍ଭବ ହୋଇନଥାଏ। ଯିଏ ରାସ୍ତା ଦେଇ ଯାଏ ସର୍ବଦା ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଏହି ଗ୍ରାମବାସୀମାନେ ଲାଞ୍ଜିଗଡ ବ୍ଲକ ଲାଖବାହିଲି ପଞ୍ଚାୟତକୁ ୫ କିଲୋମିଟର ଆସିବା ପରେ ବେନଗାଁ, ଲାଞ୍ଜି(ମୂଷାନାଳ) ଭଟାଙ୍ଗପଦର ପଞ୍ଚାୟତ ପରେ ଭବାନୀପାଟଣା ଦେଇ ନିଜ ଯୋକସାଇପାଟଣା ପଞ୍ଚାୟତକୁ ପ୍ରାୟ ୮୦ କିଲୋମିଟର ଯିବାକୁ ପଡିଥାଏ। ଏହି ୮ ଗୋଟି ଗାଁରେ ପ୍ରାୟ ୩ଶହ ୧୫ ପରିବାର। ସମୁଦାୟ ଜନସଂଖ୍ୟା ପ୍ରାୟ ୨ ହଜାର ୩୦୦ ଶହରୁ ଅଧିକ। ଏହି ଗାଁ ମାନଙ୍କ ମଧ୍ୟରୁ ସଲପାଙ୍ଗରେ ୮୦, କଟଲଙ୍ଗ ୭୦, କଟରୁସରୁ ୨୫, ଝେନଙ୍କାପିଟା ୫୫, ରଙ୍ଗଗୁଡା ୨୦, ପଣ୍ଡାମ ୨୦, ଖଜୁରଗୁଡା ୨୦, ବଡ଼ମ୍ଭା ୨୫ ପରିବାର ବସବାସ କରୁଛନ୍ତି।

Udyog Nursery
Udyogi Nursery

ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟରେ ଅନ୍ତର ପାତର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ତଦାରକ ଠିକ୍ ଭାବରେ ହେଉନଥିବା ଯୋଗୁଁ ଲୋକ ଅଭିଯୋଗ କରିବା ପାଇଁ ମଧ୍ୟ ଏତେ ବାଟ ଯିବାକୁ ସମ୍ଭବ ହୋଇନଥିବା ପ୍ରକାଶ କରିଛନ୍ତି। ସବୁଠାରୁ ପରିତାପର ବିଷୟ ହେଲା ହିତାଧିକାରୀ ପଞ୍ଚାୟତରୁ ପାଉଥିବା ରାସନ ସାମଗ୍ରୀ ଓ ଭତ୍ତା ପଇସା ଆଣିବା। ନିଜ ଗାଁଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାୟ ୮୦ କିଲୋମିଟର ହୋଇଥିବା ବେଳେ ରାସନ ସାମଗ୍ରୀ ଆଣିବା ପାଇଁ ଏହି ୮ ଗୋଟି ଗାଁର ୩ ଶହ ୧୫ ପରିବାରଙ୍କୁ ୧୦ ଗୋଟି ପିକଅପ୍ ଭ୍ୟାନ ଭଡା କରିବାକୁ ପଡିଥିବା କହିଛନ୍ତି ଗାଁ ଲୋକେ। ଗାଡି ପିଛା ୪ ରୁ ୫ ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଥିବା ବେଳେ ହାରାହାରି ମୋଟ ୪୦ ରୁ ୫୦ ହଜାର ଟଙ୍କା ଗାଡି ଭଡାରେ ଖର୍ଚ୍ଚ ହେଉଥିବା ବେଳେ ୧ ଟଙ୍କା ଚାଉଳ ପାଇଁ ହିତାଧିକାରୀଙ୍କୁ ୨୦୦ ଶହରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଏନେଇ ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ, ସଦର ବ୍ଲକ ପ୍ରଶାସନଙ୍କୁ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ପ୍ରକାଶ କରିଛନ୍ତି। ଭବାନୀପାଟଣା ସଦର ବ୍ଲକର ଏହି ପଞ୍ଚାୟତ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା ଯୋଗୁଁ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଏହି ୮ ଗୋଟି ଗାଁର ସୁବାସ ନାଏକ, ସନା ମାଝୀ, ତ୍ରିନାଥ ନାଏକ, ବୁଡୁ ମାଝୀ, ଖାଇରୁ ନାଏକ, ଡୁଲା ମାଝୀ, ଲେଲି ନାଏକ, ରଞ୍ଜିତ ନାଏକ, ଗୌର ନାଏକ, ସୁଣ୍ଡିଆଣି ନାଏକ, ଗୁଲାପି ନାଏକ, ରାଇବରୀ ନାଏକ, ମରିଚ ନାଏକ, ଫୁଲମତି ନାଏକ, ପୁରାଣ ମାଝୀ, ଲାଗଣା ମାଝୀ, ମାଲି ମାଝୀ, ପଙ୍ଗୁ ମାଝୀ, ଖଲି ମାଝୀ, ରିଡିଙ୍ଗା ମାଝୀ, ଲାଞ୍ଜି ମାଝୀ, ବାଲମତି ମାଝୀ ସହ ଗାଁ ଲୋକେ ଅନୁରୋଧ କରିଛନ୍ତି। ଏନେଇ ସଦର ବ୍ଲକ ବିଡ଼ିଓଙ୍କୁ ପଚାରିବାରୁ ମୋ ପାଖରେ ସୂଚନା ନଥିଲା ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।ତେଣୁ ରାଜ୍ୟ ସରକାର ଓ କଳାହାଣ୍ଡି ଜିଲ୍ଲାପାଳ ଏହି ଗାଁ ଗୁଡିକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.