କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପୂଝାରୀ ଗୁଡା ପଞ୍ଚାୟତ ସବିଗୁଡ଼ା ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର କରିଛି ଜୟପାଟଣା ପୋଲିସ। ମୃତକ ଜଣକ ସବିଗୁଡ଼ା ଗ୍ରାମର ଯୁଗେଶ୍ବର ରାଉତଙ୍କ ପୁଅ ସୁରେନ୍ଦ୍ର ରାଉତ (୨୫) ବୋଲି ଜଣାପଡିଛି।
ସୂଚନା ଅନୁସାରେ ମଙ୍ଗଳ ବାର ପାଞ୍ଚ ଜଣ ବ୍ୟକ୍ତି ଯୁବରାଜ ପୂଝାରୀ, ମହେତ ପୂଝାରୀ, ଶିଶିର ରାଉତ ଓ ସୁପାଡ଼ ଗ୍ରାମର ଭୁରଳୀ, ବେଲକର ଜଙ୍ଗଲକୁ କୁକୁଡ଼ା ମାରିବା ପାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ସୁରେନ୍ଦ୍ର କୁ ଖୋଜା ଖୋଜି କଲେ ମଧ୍ୟ ପାଇ ନ ଥିଲେ। ବୁଧବାର ସକାଳୁ ଶୁଣିବାକୁ ପାଇଲେ ଯେ, ସୁରେନ୍ଦ୍ରର ମୃତ ଦେହ ବେଲକର ଜଙ୍ଗଲ ନିକଟରେ ପଡ଼ିରହିଛି।
ସ୍ଥାନୀୟ ଲୋକେ ଜୟପାଟଣା ପୋଲିସକୁ ଖବର ଦେବା ପରେ ଥାନାଧିକାରୀ ରଶ୍ମିତା ପ୍ରଧାନ ଘଟଣା ସମ୍ପର୍କରେ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକ ଓ ସାଇଣ୍ଟିଫିକ ଟିମ ଆସି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି। ଅନ୍ୟ ପଟେ ସୁରେନ୍ଦ୍ର ସହିତ ଯାଇଥିବା ଚାରି ସାଙ୍ଗ ମଧ୍ୟରୁ ଦୁଇ ଜଣ ଫେରାର ଥିବା ବେଳେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି। ଘଟଣା ସ୍ଥଳରେ ଏକ ଦେଶୀ ବନ୍ଧୁକ ପଡି ରହିଥିବା ବେଳେ ପରିବାର ଲୋକେ ଏହାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏନେଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକଙ୍କୁ ପଚାରିବାରୁ ତଦନ୍ତ ଜାରି ଅଛି ତଦନ୍ତ ପରେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି।