ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନାର ଦ୍ୱିତୀୟ ଲହରର ସଂକ୍ରମଣକୁ ନେଇ ରାଜ୍ୟ ସରକାର ଯେତିିକି ତତ୍ପରତା ଦେଖାଇ କୋଭିଡ କଟକଣାକୁ କଡାକଡି ଭାବେ ମାନି ଚଳିବାକୁ ନିର୍ଦ୍ଦେଶ ଦେଉଛନ୍ତି ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ଉକ୍ତ ନିର୍ଦ୍ଦେଶକୁ ଅନେକ କ୍ଷେତ୍ରରେ ପାଳନ କରାଯାଉଥିବା ବେଳେ କିଛି କ୍ଷେତ୍ରରେ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଜନଗହଳି ସ୍ଥାନରୁ ଦୂରେଇ ରହିବା ସହ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ରାୟଗଡ ଜିଲ୍ଳାରେ ଥିବା ୩୧ଟି ବିଦେଶୀ ମଦ ଦୋକାନ ପାଇଁ ଗୁରୁବାର ହୋଇଥିବା ଲଟେରୀ ଉଠାଣ ବ୍ୟବସ୍ଥାରେ କୋଭିଡ-୧୯କଟକଣା ଫୁ’ମାରିବା ଭଳି ଦୃଶ୍ୟ ହୋଇଥିଲା । ଜିଲ୍ଳାରେ ଥିବା ୩୧ଟି ବିଦେଶୀ ମଦ ଦୋକାନ ପାଇଁ ୬୪୨ଗୋଟି ଆବେଦନ ଫର୍ମ ଗ୍ରହଣ କରାଯାଇଥିବା ବେଳେ ଆଜି ୫୦୫ଜଣଙ୍କୁ ଟୋକେନ ସହ ପାସ ପ୍ରଦାନ କରାଯାଇଥିଲା । ସରକାରଙ୍କ କୋଭିଡ ନିୟମ ପ୍ରକାରେ ବିବାହ, ବ୍ରତ କାର୍ଯ୍ୟକ୍ରମରେ ୨୦୦ଜଣ ତଥା ଅନ୍ତିମ ସଂସ୍କାରରେ ୫୦ଜଣଙ୍କ ମଧ୍ୟରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏକା ଥରକେ ୫୦୦ରୁ ଉର୍ଦ୍ଧ ଲୋକଙ୍କୁ ଏକା ସାଙ୍ଗରେ ବସିବା ବ୍ୟବସ୍ଥା କରାଯାଇଥିବା ଘଟଣାକୁ ଦେଖିଲେ ତାହାପୁଣି ଖୋଦ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳାପାଳଙ୍କ ଉପସ୍ଥିତିରେ ଆଜି ପ୍ରତ୍ୟେକ ଦୋକାନ ପାଇଁ ଲଟେରୀ ଉଠାଣ ପରେ ନୂଆ ଭେଣ୍ଡରଙ୍କ ନାମ ଘୋଷଣା କରାଯାଉଥିବା ବେଳେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଯିବା ପାଇଁ ମୁଖ୍ୟ ଫାଟକରେ ଟୋକେନ ଧରି ଆବେଦନକାରୀମାନେ ବିନା ସାମାଜିକ ଦୂରତା ତଥା ମାସ୍କ ପରିଧାନ କରି ଗହଳି କରିଥିବା ଦେଖିବାକୁ ମିଳିଥିଲା । ସେହିପରି ଆବେଦନକାରୀମାନଙ୍କ ବସିବା ନିମନ୍ତେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ବ୍ୟବସ୍ଥା ମଧ୍ୟ କୋଭିଡ-୧୯ ନିୟମକୁ ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆବେଦନକାରୀ ମାନେ ସାମାଜିକ ଦୂରତା ଭୁଲି ଯାଇ ମିଶାମିଶି ହୋଇ ବସିଥିବା ବେଳେ ଉପସ୍ଥିତ ଅଧିକାରୀମାନେ କୈାଣସି ପ୍ରକାର ବାରଣ କରୁଥିବା ଦେଖିବାକୁ ମିଳି ନ ଥିଲା । ବର୍ତମାନ ସପ୍ତାହକ ମଧ୍ୟରେ ଜିଲ୍ଳାରେ ଦୈନିକ ୨୦ଜଣଙ୍କ ମଧ୍ୟରେ ନୂଆ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେଉଥିବା ସ୍ଥଳେ ପ୍ରଶାସନର ଏପରି କାର୍ଯ୍ୟକ୍ରମଗୁଡିକ ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ କେତେ ଯେ ପ୍ରୋତ୍ସାହିତ କରୁଛି ତାହା ଦେଖିବାକୁ ବାକି ରହିଛି ।





