କଳାହାଣ୍ଡି, (ହେମନ୍ତ ସାହୁ): କରୋନାର ଦ୍ୱିତୀୟ ଲହରର ସମୟ । କରୋନା ସଂକ୍ରମିତଙ୍କ ସଂଖ୍ୟା କମବେଶୀର ଲୁଚକାଳି ଖେଳଖେଳୁଛି । କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁବି ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ଦ୍ୱାରା ସଂକ୍ରମଣ ଏବେ ସମସ୍ତଙ୍କ ମୁଣ୍ଡବ୍ୟଥା ପାଲଟିଛି । ଅନେକ କରୋନା ପଜିଟିଭ ଗୃହ ପୃଥକବାସର ସମୟସୀମା ପୂର୍ବରୁ ବାହାରେ ବୁଲାବୁଲି କରି ଅନ୍ୟମାନଙ୍କୁ ବିପଦରେ ପକାଉଛନ୍ତି । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ନୁନପୁର ପଂଚାୟତ ଢେକୁନକୁପାଠାରେ କିନ୍ତୁ ଗ୍ରାମବାସୀ ନେଇଛନ୍ତି ଏକ ଭଲ ନିଷ୍ପତ୍ତି । ଗାଁରେ ଚିହ୍ନଟ ହେଇଥିବା ପ୍ରାୟ ପନ୍ଦର କରୋନା ପଜିଟିଭ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ପ୍ରାୟ ଦଶଜଣ ପୁରୁଷ ଏବଂ ପାଂଚଜଣ ମହିଳା ରହିଛନ୍ତି, ତେବେ ମହିଳାମାନେ ଓ ଦୁଇ/ତିନିଜଣ ପୁରୁଷ (ଯାହାଙ୍କ ଘରେ ପୃଥକବାସର ସୁବିଧା ରହିଛି) ଘରେ ପୃଥକବାସରେ ରହୁଥିବା ବେଳେ ସାତଜଣ ପୁରୁଷଙ୍କୁ (ଯେଉଁମାନଙ୍କ ଘରେ ପୃଥକବାସର ସୁବିଧା ନାହିଁ) ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ ଏହି ସଂକ୍ରମିତ ବ୍ୟକ୍ତିମାନେ ମଧ୍ୟ ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଗାଁ ବିଦ୍ୟାଳୟରେ ପୃଥକବାସରେ ରହିଛନ୍ତି । କାରଣ ଗାଁ ଗୁଡ଼ିକରେ ପ୍ରାୟ ସମସ୍ତଙ୍କ ଘରେ ପୃଥକବାସରେ ରହିବା ସମ୍ଭବ ପର ହେଇନଥାଏ, ସେମାନେ ବାଧ୍ୟହେଇ ନିତ୍ୟକର୍ମ ପାଇଁ ବାହାରକୁ ଯାଆନ୍ତି, ଯାହା ସଂକ୍ରମଣ ବଢାଇବାରେ ସୁଯୋଗ ସୃଷ୍ଟି କରେ । ଏହି ସବୁ କାରଣରୁ ଏହି ଗାଁର ସାତ ଜଣ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିି ଏବେ ଗାଁ ବିଦ୍ୟାଳୟରେ ରହିଛନ୍ତି । ଘରୁ ସେମାନଙ୍କୁ ନିୟମିତ ଖାଇବାକୁ ସମୟାନୁଯାୟୀ ଦିଆଯାଉଥିବାବେଳେ ଗତବର୍ଷ ଏହି ବିଦ୍ୟାଳୟଟି ଟିଏମସି ଭାବରେ ବ୍ୟବହୃତ ହେଉଥିବା କାରଣରୁ ଏଠାରେ ସମସ୍ତ ସୁବିଧା ରହିଛି, ତେଣୁ କାହାକୁ ବାହାରକୁ ଯିବାକୁ ପଡ଼ିବନି, କି ଗାଁରେ ଆଉ ସଂକ୍ରମଣର ଭୟ ରହିବନି ବୋଲି କହିଛନ୍ତି ଗ୍ରାମବାସୀ । ଏ ନେଇ ସ୍ଥାନୀୟ ତହସିଲଦାରଙ୍କୁ ସୟଦ ଇସାକ ମଦିନାଙ୍କୁ ପଚାରିବାରୁ, ଗାଁରେ ଏହିଭଳି ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ, କାରଣ ଏହି ବ୍ଲକର ପଣ୍ଡକାମାଲ ଗ୍ରାମରେ ପ୍ରତିଦିନ ପଜିଟିଭ ଚିହ୍ନଟ ହେଉଛନ୍ତି,କାରଣ ହେଉଛି, ପଜିଟିଭ ଆକ୍ରାନ୍ତଙ୍କ ଅମାନିଆ ମନୋଭାବ, କଣ୍ଟେନମେଂଟ ଜୋନ ଘୋଷଣା କରିବା ପରେ ସେହି ଗାଁରେ ସଂକ୍ରମଣ କମୁନାହିଁ । କିନ୍ତୁ ନୁନପୁର ଗ୍ରାମ ପଂଚାୟତର ଢେକୁନକୁପା ଗ୍ରାମବାସୀଙ୍କ ନିଷ୍ପତି ଅନ୍ୟମାନଙ୍କ ପାଇଁ ଉଦାହରଣ ଏବଂ ଏ ସଂକ୍ରାନ୍ତରେ ଆମ ପାଖରେ ଖବର ଅଛି, ମେଡ଼ିକାଲ ଟିମ ମଧ୍ୟ ଫୋନରେ ଯୋଗାଯୋଗ ରଖିଛନ୍ତି ଏବଂ ଯଦି କାହାର ବିଶେଷ କିଛି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲେ ଆମେ ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କରିବୁ ବୋଲି କହିଛନ୍ତି ।