ବରଗଡ଼: କରୋନାର ଦ୍ବିତୀୟ ଲହରୀ ଠାରୁ ବନ୍ଦ ହୋଇ ପଡିଥିବା ସେଲୁନ ଖୋଲିବାକୁ ଅନୁମତି ଦେବା ପାଇଁ ବରଗଡ଼ ଜିଲା ବାରିକ ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛି।ବାରିକ ସମାଜର ଜିଲା ସଭାପତି ଦୁର୍ଗା ପ୍ରସାଦ ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ମହାମାରୀ କରୋନା ଜନିତ ଲକଡାଉନ ସଟଡାଉନ ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି। ଅନ୍ୟାନ୍ୟ କ୍ଷେତ୍ରପରି ସେଲୁନ ଓ ବିୟୁଟି ପାର୍ଲର କର୍ମଚାରୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କରୋନାର ଦ୍ବିତୀୟ ଲହରରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବାରିକମାନଙ୍କୁ କୌଣସି କୋଭିଡ୍ ସହାୟତା ମିଳିନି। ତେଣୁ ସେଲୁନ ଖୋଲିବାକୁ ଦାବି କରିଛି ବାରିକ ସମାଜ। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବାରିକ ସମାଜର ଜିଲା ସମ୍ପାଦକ ଘନଶ୍ୟାମ ବାରିକ, ଉପଦେଷ୍ଟା ଅଶୋକ କୁମାର ପଶାୟତ, ଲାଭ ବାରିକ, ରୋହିତ ବାରିକଙ୍କ ସମେତ ଜିଲାର ୧୨ଟି ବ୍ଲକର ପ୍ରତିନିଧି ଉପସ୍ଥିତ ଥିଲେ।